ଫ୍ରେଣ୍ଡସିପରୁ ନୀତୀଶ ଆଉଟ୍, ନବୀନ ଇନ୍ ! ବନ୍ଧୁତ୍ୱ କାହାକୁ ଲୋଡ଼ା ?
ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଳ ମାଳ ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଛନ୍ତି ସେତେବେଳେ ବିଜେପିର ସହଯୋଗୀ ଦଳ ଜେଡିୟୁ ଏନଡିଏକୁ ବାଏ ବାଏ କରିଛି। ଏନଡିଏରୁ ସହଯୋଗୀ ଦଳ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ପାଲଟିଯାଇଛି। ନିକଟ ଅତୀତରେ ପ୍ରଥମେ ଟିଡିପି, ଅକାଳୀ ଦଳ, ଉଦ୍ଧବଙ୍କ ଶିବସେନା ପରେ ଏବେ ଜେଡିୟୁ ମେଣ୍ଟ ଛାଡିଛନ୍ତି।
ଯେଉଁ ସମୟରେ ବିହାରରେ ବନ୍ଧୁତା ଭାଙ୍ଗିବାକୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଥିଲେ ସେହି ସମୟରେ କିନ୍ତୁ କଟକରେ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଏକାଠି ଗୋଟିଏ ମଞ୍ଚରେ ବସିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡିଶା ବିଜେପିରେ ଚେହେରା କୁହାଯାଉଥିବା କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଞ୍ଚରେ ନବୀନ-ଶାହଙ୍କ ହାବଭାବ ଏବଂ ଶାହଙ୍କ ଓଡିଶା ସରକାର ପ୍ରତି ନରମ ମନୋଭାବ ଦେଖି ଗୋଟିଏ ବଡ ବନ୍ଧୁତ୍ୱ ସମ୍ଭାବନାକୁ ଜନ୍ମ ଦେଇଛି। କୁହାଯାଉଛି ୨୦୨୪ ସାଧାରଣ ନିର୍ବାଚନ ବେଳକୁ ମୋଦୀ କ୍ୟାମ୍ପରେ ନବୀନ ସାମିଲ ହେବେ। କହିରଖୁଛୁ ନିର୍ବାଚନ ବେଳେ ଅମିତ ଶାହ ଓଡିଶାରେ ରାଲି କରିବା ବେଳେ ବିଜେଡି ସରକାରକୁ ପୋଡା ଟ୍ରାନ୍ସଫରମର କହିବା ସହିତ ଏ ସରକାରକୁ ଜନାଦେଶ ଜରିଆରେ ଫିଙ୍ଗି ଦେବାକୁ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଉଦବୋଧନ ଦେବାକୁ ଯାଇ କହିଥିଲେ।
ଅନ୍ୟପଟେ କିନ୍ତୁ ‘Modi@20: Dreams Meet Delivery’ ପୁସ୍ତକ ଉନ୍ମୋଚନ ଅବସରରେ ଶାହ କହିଛନ୍ତି, ରାଜ୍ୟରେ ତାଙ୍କ ଦଳ ସରକାର ଗଢିବ। କିନ୍ତୁ କେବେ ଗଢିବ ସେ କହି ନାହାନ୍ତି। ସେହିପରି ରାଜ୍ୟ ବିଜେପିର ଶୀର୍ଷ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ରାଜ୍ୟ ବିଜେପି ନେତାଙ୍କୁ ଶାହ ଟିଉସନ କରିଥିବା ଜଣାପଡିଛି। ପଶ୍ଚିମବଙ୍ଗ କେରଳରେ ଦଳ ଦୁର୍ବଳ ଥାଇ ଯଦି ମଜବୁତ ହୋଇପାରୁଛି ତାହେଲେ ଓଡ଼ିଶାକୁ ମୋଦୀ ସରକାର ଅନେକ ଲାଭ ଦେବା ପରେ କାହିଁକି ଦଳ ମଜବୁତ ହୋଇପାରୁନି ବୋଲି ଜବାବ ଲୋଡିଛନ୍ତି ବୋଲି ଶୁଣାଯାଉଛି।
କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ନବୀନ ସରକାର ଅନେକ ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ କରିଛନ୍ତି। ଏବେର ପ୍ରମାଣ ରାଷ୍ଟ୍ରପତି ନିର୍ବାଚନ ହେଉ ଅବା ଉପରାଷ୍ଟ୍ରପତି ନିର୍ବାଚନ, ସିଏଏ ଆଦି ଅନେକ ପ୍ରସଙ୍ଗରେ ମୋଦୀଙ୍କୁ ନେତୃତ୍ୱକୁ ସମର୍ଥନ କରିଛନ୍ତି ନବୀନ। ଯେଉଁଥିପାଇଁ ବୋଧହୁଏ ନବୀନ ସରକାର ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ରାଜ୍ୟ ବିଜେପି ଏବଂ କଂଗ୍ରେସ ଆଣୁଥିଲେ ମଧ୍ୟ ବିଜେଡି କିନ୍ତୁ ନିଜ ଚାଲରେ ମୋଦୀ ସରକାରକୁ ପାଖରେ ରଖି ସୁରକ୍ଷିତ ରହିଥିବା କୁହାଯାଏ।
ତେବେ ବିଜେପି ଏବଂ ବିଜେଡି ସମ୍ପର୍କ କିଛି ନୂଆ ନୁହେଁ। ୧୯୯୮ରେ ଯେତେବେଳେ ବିଜେଡି ଜନ୍ମ ନେଇନଥିଲା ସେତେବେଳେ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ପ୍ରମୁଖ ଦଳ ଥିଲେ। ହେଲେ ୨୦୦୦ରେ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ତିଆରି କରିଥିଲେ। ଆଉ ଏହି ଆଞ୍ଚଳିକ ଦଳ ଗଠନ ହେବା ପଛରେ ବିଜେପିର ଭୀଷ୍ମପୀତାମହ ତଥା ସ୍ୱର୍ଗତ ଅଟ୍ଟଳ ବିହାରୀ ବାଜେପେୟୀ ଏବଂ ପ୍ରମୋଦ ମହାଜନଙ୍କର ଗୋଟିଏ ବଡ ଅବଦାନ ଥିଲା। ନବୀନ ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପୂର୍ବରୁ କେନ୍ଦ୍ରରେ ବିଜେପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ସେତେବେଳେ ବିଜେପି ସମର୍ଥନରେ ବିଜେଡି ଆଗକୁ ବଢିଲା। କିନ୍ତୁ ୨୦୦୯ ବେଳକୁ ନବୀନ ମେଣ୍ଟ ଭାଙ୍ଗି ଦେଇଥିଲେ। ତେଣୁ ଆଜି ନବୀନ ନିଜ ପରିଚୟରେ ସାରା ଦେଶରେ ଗୋଟିଏ ମଜବୁତ ଆଞ୍ଚଳିକ ଦଳର ମୁଖିଆ ବୋଲି ପରିଗଣିତ ହୁଏ।
୨୦୦୭ରୁ ୟୁପିଏ ସରକାର ଥିଲା ଏହି ସମୟରେ କେନ୍ଦ୍ର ସହ ନବୀନ କୌଣସି ମେଂଟ ନକରି ସମଦୂରତାର ନାରା ଦେଇ ଆସୁଛନ୍ତି। ସେତେବେଳେ ନବୀନଙ୍କ ସହ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ଭଲ ସମ୍ପର୍କ ରଖିବାରେ ସଫଳ ହୋଇଥିଲେ ବୋଲି କୁହାଯାଏ। ତେଣୁ ରାଜ୍ୟରେ କଂଗ୍ରେସ ବିରୋଧୀ ଭୂମିକାରେ ଥିଲେ ମଧ୍ୟ ବିଜେଡି ସରକାରକୁ ଶାଣିତ ଆକ୍ରମଣ କରିବାରେ ବିଫଳ ହୋଇଥିଲେ। ଆଉ ନବୀନ ମଧ୍ୟ ବିରୋଧୀ ଦଳକୁ ସିଧାସଳଖ କ୍ଷତି ନପହଞ୍ଚାଇ ପରୋକ୍ଷରେ ଦୁର୍ବଳ କରିବାରେ ସଫଳ ହୋଇଥିଲେ ବୋଲି କୁହାଯାଏ।
ଏବେ ମଧ୍ୟ ସମାନ ସ୍ଥିତି ବୋଲି କୁହାଯାଏ। ୨୦୧୪ ପୂର୍ବରୁ ବିଭିନ୍ନ ରାଲି ଜରିଆରେ ନରେନ୍ଦ୍ର ମୋଦୀ ଚିଟଫଣ୍ଡ ଦୁର୍ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ବିଜେଡି ସରକାରର ଭ୍ରଷ୍ଟାଚାରର ମୂଳତ୍ପୋଟନ ହେବ ବୋଲି କହିଥିଲେ। କିନ୍ତୁ ସରକାର ବଦଳିବା ପରେ ମୋଦୀଙ୍କ ପୂର୍ବ ରୁବାବ ବଦଳିଯାଇଥିବା ଦେଖିବାକୁ ମିଳିଛି। ଆଉ ନବୀନ ମଧ୍ୟ ମୋଦୀଙ୍କର ନିକଟତର ବୋଲି କେନ୍ଦ୍ର ରାଜନୀତିରେ କୁହାଯାଏ। ରାଜ୍ୟରେ ବିଜେପି ୨୦୧୪ ବେଳେ ଅନେକ ଥର ବିଜେଡି ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଛି । ଆଉ ନିଜେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମାଲୋଚନା କରିଛନ୍ତି। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ଓଲଟି ଯାଇଥିବା ମନେ ହେଉଛି। ନିଜେ ଧର୍ମେନ୍ଦ୍ର ଏବେ ନବୀନଙ୍କ ବନ୍ଧୁ ବୋଲି କୁହାଯାଉଛି। ଯେଉଁଥିପାଇଁ ରାଜ୍ୟ ବିଜେପି କଂଗ୍ରେସ ଅବସ୍ଥା ଭୋଗିବ ବୋଲି ଚର୍ଚ୍ଚା ହେଉଛି। କାରଣ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ମୋଦୀଙ୍କୁ ନବୀନ ସମର୍ଥନ ଦେବା ରାଜ୍ୟ ବିଜେପିକୁ ମଧ୍ୟ ଅଡୁଆରେ ପକାଇଛି। ସେହିପରି ପଞ୍ଚାୟତ ନିର୍ବାଚନ ବେଳେ ମୋଦୀ ସଂସଦରେ ନବୀନଙ୍କ କୋଇଲା ଖଣି ସଂସ୍କାର ପ୍ରସଙ୍ଗରେ ପ୍ରଶଂସା କରିବା ବିଜେପିର ଭୋଟ୍ ମାଇନସର ପ୍ରମୁଖ କାରଣ ବୋଲି କୁହାଯାଏ। ଏପରି ସ୍ଥିତିରେ ନବୀନଙ୍କ ନେତୃତ୍ୱରେ ବିଜେଡି ଓଡିଶାରେ ମଜବୁତ ରହିଛି। ଏକାକୀ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାର ଦକ୍ଷତା ମଧ୍ୟ ବିଜେଡି ରହିଛି। ଗୋଟିଏ ବଡ ଦଳ ବିଜେପି ସହ ନବୀନ ବନ୍ଧୁତା ରଖିବା ହୁଏତ ରାଜ୍ୟରେ କ୍ଷମତା ପାଇଁ ଲଢେଇ କରୁଥିବା ବିଜେପିକୁ ଲାଭବାନ ଦେଇପାରେ କିଛି ମାତ୍ରାରେ କିନ୍ତୁ ବିଜେଡିକୁ ନୁହେଁ।
ରାଜ୍ୟରେ ଅପରାଜିତା ଷଡ଼ଙ୍ଗୀ, ର୍ଆଉ କିଛି ନେତା ବିଜେଡିକୁ କଡା ସମାଲୋଚନା କରୁଥିଲେ ମଧ୍ୟ କେନ୍ଦ୍ର ଓ ନବୀନଙ୍କ ବନ୍ଧୁତ୍ୱ ଦଳର ଗୋଟିଏ ବଡ ବର୍ଗର ସମର୍ଥନ ଅପରାଜିତା ହରାଉଛନ୍ତି ବୋଲି କୁହାଯାଉଛି।
ନିକଟରେ ଟିଏମସି ସାଂସଦ ଡାରେକ ଓବ୍ରାଏନ ମଧ୍ୟ ବିଜେପି-ବିଜେଡି ଭିତିରିଆ ସମ୍ପର୍କକୁ ନେଇ ବର୍ଷିଥିଲେ। ସେ କହିଥିଲେ ବିଜେପିର ଏଜେଣ୍ଡାକୂ ସଫଳ ହେବାକୁ ନବୀନଙ୍କ ଭଳି ଜଣେ ନେତା ଥିଲେ ବିଜେପିର ଅସୁବିଧା ନାହିଁ। ତେଣୁ ଏପରି ନେତାଙ୍କୁ ନେଇ ଦିଲ୍ଲୀ ଦରବାରରେ ସେମିତି କୌଣସି ଆଲୋଚନା ହୁଏ ନାହିଁ।
ଯଦି ଏନଡିଏର ସମୀକରଣ କଥା ପୂର୍ବରୁ ଏନଡିଏ ଛାଡିବା ପରେ ବିଏସପି, ଟିଡିପି, ପିଡିପି, ଅକାଳୀ ଦଳ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଦୁର୍ବଳ ହୋଇଛି। ହେଲେ ଏନଡିଏ ଛାଡ଼ି ଏଯାବତ ଟିଏମସି ଏବଂ ବିଜେଡି ମଜବୁତ ରହିଛନ୍ତି। ସେହିପରି ଏନଡିଏରେ ଥାଇ ମଧ୍ୟ ବିହାରରେ ଏଲଜେପି (ଚିରାଗ-ପାରଶ) ଦୁର୍ବଳ ରହିଛି।
Comments are closed.