Latest Odisha News

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍, ୩୦ଟି ଗାଁ ସହ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ନୂଆପଡ଼ା: ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁ ସହ ପଡ଼ୋଶୀ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ଥିବା ପତୋରା ଡ୍ୟାମର ଜଳସ୍ତର ବଢ଼ୁଛି । ମଙ୍ଗଳବାର ରାତିରେ ପତୋରା ଡ୍ୟାମର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ହୋଇଥିଲା ।

ଏପଟେ ହୋସ୍ ପାଇପ୍ ସାହାଯ୍ୟରେ ନିର୍ମାଣ ହୋଇଥିବା ବ୍ରିଜ୍ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ପାଣି ଚାପରେ ୧୦ଟି ପାଇପ୍ ଭୁଶୁଡ଼ି ପଡିଛି । ବ୍ରିଜ୍ ଭୁଶୁଡ଼ି ପଡ଼ିଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ସୁଉଚ୍ଚ ସେତୁ ନିର୍ମାଣ ଦାବି କରିଛନ୍ତି । ୩ଟି ପଞ୍ଚାୟତ ଆମାନାରା, କେନ୍ଦୁବାହାରା ଓ ମୋଟା ସହ ନୂଆପଡ଼ାର ଖଲନା, ପତାଲଘୁତୁକୁରି, ମୋହରାଡିହି, ପାୱାରତଲା, ବସ୍ତିଡିହି, ବାବନି, ସିରିଗିଡି ଏଭଳି ପାଖାପାଖି ୩୦ଟି ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ପ୍ରଶାସନ ସହ ବିଭାଗୀୟ ଅଧିକାରୀ ପହଞ୍ଚି ଧନ ଜୀବନ ହାନି ରୋକିବାକୁ ରାସ୍ତାକୁ ବନ୍ଦ କରି ଦେଇଛନ୍ତି ।

ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବ୍ରିଜ୍ ଭୁଶୁଡ଼ି ଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ଲୋକଙ୍କ ଗମନାଗମନ ସୁବିଧା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି । ପାଣି ସ୍ରୋତ କମିଲେ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା କରି ସ୍ଥାୟୀ ବ୍ରିଜ ନିର୍ମାଣ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

Leave A Reply

Your email address will not be published.