ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କୁ ହରାଇ ୪୫ ବର୍ଷୀୟ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଏକ ଖେଳାଳି ସଭାପତି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ପୂର୍ବତନ ଗୋଲକିପର ଚୌବେ ୩୩-୧ରେ ଭୂତିଆଙ୍କୁ ପରାସ୍ତ କରିଥିଲେ । କର୍ଣ୍ଣାଟକ ଫୁଟବଲ ସଂଘର ସଭାପତି ଏବଂ କଂଗ୍ରେସ ବିଧାୟକ ଏନଏ ହ୍ୟାରିସ ଉପ ସଭାପତି ଭାବେ ଚୟନ ହୋଇଛନ୍ତି । ଭୂତିଆଙ୍କୁ ତାଙ୍କ ରାଜ୍ୟ ସଂଘ ବଦଳରେ ଆନ୍ଧ୍ର ଫୁଟବଲ ସଂଘ ପ୍ରସ୍ତାବକ ହୋଇଥିଲା । ରାଜସ୍ଥାନ ସଂଘ ଏହାକୁ ଅନୁମୋଦନ ପ୍ରଦାନ କରିଥିଲେ । ପଶ୍ଚିମବଙ୍ଗ ନିର୍ବାଚନରେ ଚୌବେ ବିଜେପି ପକ୍ଷରୁ ଲଢ଼ି ପରାଜିତ ହୋଇଥିଲେ ।
ଭାରତୀୟ ସିନିୟର ଟିମ ପକ୍ଷରୁ ସେ ଖେଳି ନ ଥିଲେ ମଧ୍ୟ ଅନେକଗୁଡିଏ ଜୁନିୟର ଟୁର୍ଣ୍ଣାମେଂଟରେ ଦେଶ ପକ୍ଷର ପ୍ରତିନିଧିତ୍ୱ କରିଛନ୍ତି । ଇଷ୍ଟବେଙ୍ଗ ପକ୍ଷରୁ ଉଭୟ ଭୂତିଆ ଏବଂ ଚୌବେ ଏକତ୍ର ଖେଳିଛନ୍ତି । ଏଆଇଏଫଏଫ ବାକି ୧୪ଟି ପଦବୀ ନିର୍ବିରୋଧ ରହିଥିଲା । ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବା ଭାରତକୁ ଶକ୍ତ ଧକ୍କା ଲାଗିଥିଲା ଯେତେବେଳେ ଫିଫା ତୃତୀୟ ପାର୍ଟିର ହସ୍ତକ୍ଷେପ ଯୋଗୁ ସସପେଣ୍ଡ କରି ଦେଇଥିଲା । ଏଆଇଏଫଏଫ ପୁନର୍ବାର ନିରପେକ୍ଷ ନିର୍ବାଚନ କରିବା ପାଇଁ ରାଜି ହେବାରୁ ଅଗଷ୍ଟ ୨୫ରେ ଫିଫା ପ୍ରତିବନ୍ଧ ଉଠାଇଥିଲା ।
Comments are closed.