ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏ ଜାତି ଅପାଠୁଆ ବୋଲି
ପଢ଼େନି, ଶୁଣି ଯାଏ ଚଳି
ସରଳ ଭାଷାରେ ସାହିତ୍ୟ
ଅଟେ ଏହାର ବିଶେଷତ୍ବ
ଏବେ ଲେଖକେ ଯଶଲୋଭୀ
ନୁହଂତି ଜଣେ ବି ପ୍ରଭାବୀ
କେବଳ ସ୍ବଜନ ମଂଡଳେ
ତାଂକର କୀର୍ତିଗାଥା ଚଳେ
ପାରସ୍ପରିକ ସୁସଂପର୍କ
ରକ୍ଷା କରଂତି ବହୁ ଲୋକ
ତହିଁରୁ ମିଳିଥାଏ ଫଳ
ମାନପତ୍ର ଓ ଫୁଲମାଳ
ଅସଂଖ୍ୟ ସମ୍ମାନିତ କବି
ଥିଲେ ବି ଭାଷା ଯାଏ ଦବି
ଏହି ବିଚିତ୍ର ବିଡ଼ଂବନା
କାହାକୁ ବିସ୍ମିତ କରେନା
ବ୍ୟକ୍ତିର ସ୍ତୁତିଗାନ କରି
କୃତିକୁ ପାରୁଛୁଁ ପାସୋରି
ଏହା ହିଁ ପ୍ରଧାନ ସମସ୍ୟା
ତେଣୁ ଭାଷାର ଏହି ଦଶା
ନୂଆଁ ଢଂଗରେ କଲେ ଚିଂତା
ଜଣା ପଡ଼ିବ ବାସ୍ତବତା
ପରିବର୍ତିତ ହେବ ମନ
ସମାନ ନୁହେ ସବୁ ଦିନ
ଚେଇଁବ ସୁଷୁପ୍ତ ବିବେକ
ବୁଝିପାରିବେ ବହୁ ଲୋକ
ସ୍ବଭାଷା ପାଇବ ଆଦର
ସୁଂଦର ହେବ ଏ ସଂସାର
ଆଶା ସହିତ ଟିକେ ଚେଷ୍ଟା
ତା ସଂଗେ ସତ୍ୟ ଦୃଢ଼ ନିଷ୍ଠା
ସରଳ ସ୍ପଷ୍ଟାକ୍ଷର ପୃଷ୍ଠା
ଦେବ ଏ ଭାଷାକୁ ପ୍ରତିଷ୍ଠା
ଆପେ ବିତିବ ଏ ପର୍ଯାୟ
ଘଟିବନାହିଁ ବିପର୍ଯୟ
ବଢ଼ିବେ ସ୍ବଭାଷୀ ପାଠକ
ରଖିବେ ସ୍ବଭାଷାର ଟେକ
Comments are closed.