Latest Odisha News

BREAKING NEWS

ଓଡ଼ିଶା ଆସୁଛନ୍ତି ଜଗା-କାଳିଆ, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ ଖୁବଶୀଘ୍ର ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ଏଥିସହିତ ସେମାନଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ଏନଏଚଏମ୍ ଏମଡି ଶାଳିନୀ ପଣ୍ଡିତ କହିଛନ୍ତି, ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସର ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆହୁରି ମଧ୍ୟ “ଜଗା ଓ କାଳିଆ ଡିସଚାର୍ଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସେମାନଙ୍କୁ କିପରି ଓଡିଶା ସ୍ଥାନାନ୍ତରିତ କରାଯିବ, ସେନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖୁବଶୀଘ୍ର ଏକ ଆଡଭାଇଜରୀ ଜାରି କରାଯିବ” ବୋଲି ଶାଳିନୀ କହିଛନ୍ତି ।

ଚିକିତ୍ସା ପରେ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ସେମାନଙ୍କର ଓଡିଶା ଫେରିବା ନେଇ ସମସ୍ତ ଡିସଚାର୍ଜ ପ୍ରୋସେସ୍ ଆରମ୍ଭ ହୋଇଥିବା ଏମ୍ସ କର୍ତ୍ତୃପକ୍ଷ ସୂଚନା ପ୍ର୍ରଦାନ କରିଛନ୍ତି । ଆସନ୍ତା ଜୁଲାଇ ମାସ ୨ୟ ସପ୍ତାହ ବେଳକୁ ସେମାନେ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶାପ୍ରକଟ କରାଯାଉଛି ।

ମେ’ ୩୧ ତାରିଖରେ ଗଣମାଧ୍ୟମକୁ ସୂଚନା ଦେଇ ଏମ୍ସର ଜଣେ ଡାକ୍ତର କହିଥିଲେ, ଉଭୟ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ବର୍ତ୍ତମାନ ସମୟରେ ସେମାନଙ୍କୁ ଆଇସିୟୁ କିମ୍ବା ସ୍ୱତନ୍ତ୍ର ୱାର୍ଡରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଜଗା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବାବେଳେ କାଳିଆ ଟ୍ୟୁବ୍ ପରିବର୍ତ୍ତେ ପାଟିବାଟେ ଖାଦ୍ୟ ଗ୍ରହଣ କରୁଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜୁନମାସ ଶେଷ ସୁଦ୍ଧା ଏହି ଦୁଇ ଶିଶୁଙ୍କୁ ଓଡିଶା ସ୍ଥାନାନ୍ତର କରାଯିବା ନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଜଣେ ଡାକ୍ତର ଓ ନର୍ସଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ଓଡିଶା ଆଣିବାକୁ ଓଡିଶା ସରକାର ପ୍ରସ୍ତାବ ଦେଇଥିଲେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଏଥିସହିତ ଓଡିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୨ ଶିଶୁଙ୍କୁ ଓଡିଶା ପଠାଯିବ । ଆହୁରି ମଧ୍ୟ ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସା ଓ ବର୍ତ୍ତମାନର ସ୍ଥିତି ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ବିସ୍ତୃତ ରିପୋର୍ଟ ମାଗିଥିବା ଜଣାପଡିଛି ।

କନ୍ଧମାଳ ଜିଲ୍ଲାର ମିଲିପଡା ଗ୍ରାମରେ ରହୁଥିବା ଏହି ଦୁଇ ମୁଣ୍ଡଯୋଡା ଯାଆଁଳା ଶିଶୁ ଚିକିତ୍ସା ନିମନ୍ତେ ୨୦୧୭ ମସିହା ଜୁଲାଇ ମାସରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସେହିବର୍ଷ ଅକ୍ଟୋବର ୨୫ ତାରିଖରେ ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆନେସ୍ଥେସିଆ ଓ ନ୍ୟୁରୋସର୍ଜରୀ ବିଭାଗର ପାଖାପାଖି ୩୦ ଜଣ ସ୍ପେଶାଲିଷ୍ଟ୍ ଡକ୍ଟର ପ୍ରାୟ ୧୧ ଘଣ୍ଟାର ମାରାଥନ୍ ଅପରେସନ ପରେ ସଫଳତାର ସହ ଯୋଡାମୁଣ୍ଡକୁ ଅଲଗା କରିପାରିଥିଲେ ।

ଏହି ସର୍ଜରୀର ଗୋଟିଏ ମାସପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୨ ତାରିଖରେ ଉକ୍ତ ୨ ଶିଶୁଙ୍କୁ ଭେଟିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା ଲାଗି ମଧ୍ୟ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.