Latest Odisha News

BREAKING NEWS

ତୁମେ କେମିତି ଜାଣିବ

ତୁମେ କେମିତି ଜାଣିବ

ସଂଗ୍ରାମ ଜେନା

ତୁମେ କେମିତି ଜାଣିବ
କେତେ ଜଣ ତୁମକୁ ଭଲ ପାଆନ୍ତି ।

ମାଷ୍ଟ୍ରେ ଯାହା ପଢ଼ାଉଛନ୍ତି
ସେ ସବୁ ସତ
ବର୍ଷା ହେଲେ ନଈବଢ଼ି ଆସିବ କି ନାହିଁ
ରାତି ହେଲେ କେତେ ତାରା ଉଇଁବେ
କେତେ ଜଣ ଏ ବର୍ଷ
ଗୋପନରେ ଗର୍ଭପାତ କରିଛନ୍ତି
ସଞ୍ଜ ହେଲେ ସବୁ ପକ୍ଷୀ
ବସାକୁ ଫେରିବେ କି ନାହିଁ ।

ତୁମେ କେମିତି ଜାଣିବ
କେତେବେଳେ ଆଖିର ଲୁହ
କାକରବିନ୍ଦୁ ପାଲଟିଯାଏ
ଦୁଇଟି ଦେହ ଭିତରେ
କେତେ ଫାଙ୍କ ଥାଏ
ଅନ୍ଧାର ଭିତରେ ଏତେ ଆଲୁଅ
କୁଆଡ଼ୁ ଆସେ ।

ତୁମେ କେମିତି ଜାଣିବ
ନିର୍ଜନତାର ବାସ୍ନା କେଡେ଼ ଅନ୍ତରଙ୍ଗ ଲାଗେ
ଦୀର୍ଘଶ୍ୱାସମାନେ କେଡେ଼ ଚିରସ୍ଥାୟୀ
ଚିହ୍ନା ଅଚିହ୍ନା ବୋଲି କିଛି ନଥାଏ
ସଞ୍ଜ କାହିଁକି ଆସେ
ଗର୍ଭବତୀ ନାରୀଟିଏ ପରି
ଫୁଲର ଭିତର ବାହାରେ ଗନ୍ଧ ଏକାପରି ନୁହେଁ
ଈଶ୍ୱରମାନେ କ’ଣ ଭାବୁଥାନ୍ତି ଏକାନ୍ତରେ,
ପ୍ରେମ ଓ ପ୍ରାର୍ଥନା ଏକା ଭଳି
ଦେହଟିଏ କିନ୍ତୁ ଅଲଗା ଅଲଗା
ପ୍ରତ୍ୟେକ ରାତିରେ ।

ତୁମେ କେମିତି ଜାଣିବ
ତୁମ ଦେହ କେତେବେଳେ
ଛାଇଟିଏ ହୋଇଯାଇଥାଏ
ତୁମେ ଯେଉଁଠି ଭାବୁଛ ଅଛ ବୋଲି
ସେ ସେଠାରୁ ଘୁଂଚି ଯାଇଥାଏ ।

Leave A Reply

Your email address will not be published.