ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଆଶ୍ୱସ୍ତି । ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ଆଉ ତିନିମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ୩୦ ସେପ୍ଟେମ୍ବରରେ ଶେଷ ହେବାର ଥିଲା। ଏହାପୂର୍ବରୁ ସରକାର ଏହି ଯୋଜନାକୁ ତିନିମାସ ଅର୍ଥାତ୍ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦରଦାମ ବୃଦ୍ଧି ବେଳେ କେନ୍ଦ୍ର ସରକାର ରାସନ ଯୋଜନାକୁ ଆଉ ତିନି ମାସ ବଢାଇବା ଗରିବ ଲୋକଙ୍କୁ ଟିକିଏ ଆଶ୍ବସ୍ତି ଦେବ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମଧ୍ୟ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି।
ଅର୍ଥ ମନ୍ତ୍ରଣାଳୟର ସୂଚନାନୁସାରେ, ତିନିମାସ ପାଇଁ ମାଗଣା ରାସନ ଯୋଜନାକୁ ବଢାଇବା ଦ୍ୱାରା ୪୫ ହଜାର କୋଟି ଟଙ୍କା ରାଜସ୍ବରୁ ଖର୍ଚ୍ଚ ହେବବ। ମହଜୁଦ ରହିଥିବା ଖାଦ୍ୟ ଶସ୍ୟର ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସରକାରଙ୍କ ସହ ବ୍ୟାପକ ପରିମାଣରେ ଖାଦ୍ୟ ଶସ୍ୟ ଉପଲବ୍ଧ ରହିଛି। ଏହା ପୂର୍ବରୁ ଆଲୋଚନା ହୋଇଥିଲା ଯେ ବୋଧହୁଏ ମାଗଣା ରାସନ ଯୋଜନା ବର୍ତ୍ତମାନ ବନ୍ଦ ହୋଇଯିବ। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଲାଭ ହେବ ଭାବି ବିଜେପି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଆସନ୍ତା ତିନି ମାସ ମଧ୍ୟରେ ଗୁଜୁରାଟ ଏବଂ ହିମାଚଳରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଏହି ଯୋଜନାକୁ ତିନିମାସ ବୃଦ୍ଧି କରିବା ନେଇ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନାମରେ ଘୋଷଣା କରିଥିଲେ। ଏହା ଅଧୀନରେ ପ୍ରତି ମାସରେ ୫ କିଲୋଗ୍ରାମ ମାଗଣା ରାସନ ଦିଆଯାଏ। ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି।