ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
କୃଷିପ୍ରଧାନ ଭାରତବର୍ଷରେ ମର୍ଯ୍ୟାଦାସମ୍ପନ୍ନ ବଞ୍ଚିବାର ବାଟକୁ ବଦଳାଇ ଦେଇସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି ଶିଳ୍ପସମୃଦ୍ଧିକୁ ମାପକାଠି କରି । କିନ୍ତୁ ଫଳ କ’ଣ ହେଲା ? ମୁନାଫାଧର୍ମୀ ମାଲିକାନାଧୀନ କଳକାରଖାନାଗୁଡିକର ବିଷାକ୍ତ ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଲା ଚାଷକ୍ଷେତର ଭାରତବର୍ଷ । ପରିବେଶ ପ୍ରଦୂଷଣଠାରୁ ଆରମ୍ଭକରି ଶଦ୍ଦପ୍ରଦୂଷଣ ପର୍ଯ୍ୟନ୍ତ ସବୁପ୍ରକାର ପ୍ରକୋପରେ ପ୍ରପୀଡିତ ହେଲେ ପ୍ରବଞ୍ଚିତ ପ୍ରଜାବର୍ଗ । ନିଜକୁ ରାଜା ମଣୁଥିବା ମନ୍ତ୍ରୀମାନେ ଖାତିର୍ କଲେ କି ଏ ଅକ୍ଷମଣୀୟ କ୍ଷତିକୁ ? ଶିଳ୍ପକୁ ରାଶିରାଶି ଋଣମଞ୍ଜୁର କରାଯାଇ ବରଂ ସହରର ଗୋଦାମ କରିଦିଆଗଲା ଗାଆଁଗଣ୍ଡାକୁ । ଅଧିବାସୀର ଜମି ଓ ଆଦିବାସୀର ଜଙ୍ଗଲଆଡକୁ ଆଖି ପଳାଇଲା ଠିକାଦାରୀ ଠଗୀସଂସ୍କୃତି । ଶିଳ୍ପସାମ୍ରାଜ୍ୟ ତାର ଉପନିବେଶ ବିସ୍ତାର ପାଇଁ ଉତ୍ପାତ ଆରମ୍ଭ କଲା ସୌଦାଗରୀ ସୌଧସଭ୍ୟତାର ମୂଳଦୂଆ ପକାଇ । ଏବେ ଚାଷଜମିସବୁ ଚାଲିଯାଉଚି କଂଟ୍ରାକ୍ଟରମାନଙ୍କ କଣ୍ଟା ବାଡଘେରା ଇଲାକା ଅଧୀନକୁ, ବିଲଡରମାନଙ୍କ ବୈଷୟିକ ବଳୟକୁ । ଫ୍ଲାଟ୍ସବୁ ଗଢାହେଉଛି ଚଢାଦରରେ ବିକ୍ରିବଟା
ପାଇଁ । ଆପାର୍ଟମେଣ୍ଟ ଓ ଡିପାର୍ଟମେଣ୍ଟ ମଝିରେ ଅର୍ଥନୀତି ଓ ରାଜନୀତି ମନ୍ତ୍ରଣାରତ ।
ଗରିବମାନଙ୍କ ଭାରତବର୍ଷ ଆଜି ଅନୁର୍ବରତାରେ ଅତିଷ୍ଠ । ଏଠି ଘାସରେ ବିଷ, ଧାନରେ ଧୂଷ, ଧର୍ମରେ ଧାସ, ଶାସନତନ୍ତ୍ରରେ ସର୍ବନାଶ । ଶିଳ୍ପାଭିମୁଖୀ ଅର୍ଥନୀତିର ଅନ୍ୟାୟ ଅତିକ୍ରମ କରିସାରିଛି ଅନ୍ତିମ ସୀମା, ଲଂଘନ କରିସାରିଛି ଲକ୍ଷ୍ମଣରେଖା । ଶିଳ୍ପପତି ଋଣ ପରିଶୋଧ ନକରିପାରିଲେ ରୁଗ୍ଣଶିଳ୍ପ ଘୋଷଣା ବାଟେ ଛାଡ ପାଇଯିବା ବେଳକୁ ଏ ଦେଶର ଦରିଦ୍ରଦୁର୍ଗତ କୃଷକ ବା କୃଷିଶ୍ରମିକ କିନ୍ତୁ ଋଣ ଶୁଝିନପାରି ମାଡ ଖାଇଯାଉଚି ପୂରାପୂରି । ଋଣଯନ୍ତ୍ର ପାଲିଛି କୃଷିକାରୀ ପାଇଁ ମରଣଯନ୍ତା । ନିକଟ ଅତୀତରେ ଭାରତବର୍ଷର ଋଣଗ୍ରସ୍ତ ଗରିବ ଚାଷୀସମାଜରେ ଆତ୍ମହତ୍ୟାର ହାର ଯେପରି ଅଚିନ୍ତନୀୟ ଆତଙ୍କଜନକ ଅବସ୍ଥାରେ ଉପନୀତ ହୋଇଥିଲା, ତାହା କ’ଣ ପାସୋରିପାରିବ କିଏ? କୃଷି ଓ ଶିଳ୍ପର ସମୀକରଣ ପରିବର୍ତେ ବିଷମୀକରଣ ଯୋଗୁ ଗରିବ ଭାରତବର୍ଷର ଭବିଷ୍ୟତ ଉପରେ
ଆଜି ଖଣ୍ଡା ଝୁଲୁନାହିଁ କି ? ବର୍ତ୍ତମାନ ଯେଉଁ ବିସଦୃଶ ବ୍ୟବସ୍ଥାରେ ବିଧ୍ୱସ୍ତ ଏ ଦେଶ – ତା’ର ‘ସେବା’ ନୁହେଁ, ଶଲ୍ୟଚିକିତ୍ସା ବା ଆଶୁ ଅସ୍ତ୍ରୋପଚାର ଦରକାର । କିଛି କାରବାରୀ / କିଛି ଦରବାରୀ / କିଛି ବୁଦ୍ଧିଜୀବୀ / କିଛି ଟୀକାକାର / କିଛି ଠିକାଦାର / କିଛି ମହାଜନ / କିଛି ମାତବର ମିଶି ସ୍ୱାଧୀନତା ପରେ ଯେଉଁ ‘ରାଷ୍ଟ୍ର’ ଠିଆ କରାଇଛନ୍ତି, ତାହା କ’ଣ ସମୁଦାୟ ଜନସାଧାରଣଙ୍କର ସେଇ ସର୍ବଶ୍ରୀସମ୍ପନ୍ନ ଦେଶ ନା ସେଇ ସ୍ୱାଭାବସୁନ୍ଦର ସ୍ୱଦେଶ ? ସେଇ ଦେଶ ଦରକାର, ଯାହା ନବଜନ୍ମ ନେବ ପରବର୍ତୀ ପ୍ରଜନ୍ମର ପ୍ରସୂତିଶାଳାରେ । ଜନସମୁଦାୟ ଜନସମୁଦ୍ରର ଜୋର୍ଦାର ଜୁଆର । ସେ ଜୁଆରରେ ଦେଶ ପାଇଁ ସେତୁବନ୍ଧ ବନ୍ଧା ହେବ । ଦଳ ଓ ରାଜନୀତି ଏଇ ଜନସମୁଦ୍ରରେ ହିଁ ସେତୁବନ୍ଧର ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ହେବା ପ୍ରୟୋଜନ । ଏହି ଦୃଷ୍ଟିରୁ ବହୁସ୍ଫୀତ ବେତନ ଓ ବର୍ଦ୍ଧିତ ଭତା ସହ ସ୍ୱତନ୍ତ୍ର ସୁବିଧାଭୋଗୀ ସ୍ୱଳ୍ପସଂଖ୍ୟକ ପ୍ରଶିକ୍ଷିତ ପ୍ରତାରକଙ୍କୁ ନେଇ କୌଣସି ପ୍ରଶାସନ ବ୍ୟବସ୍ଥା ନୁହେଁ, ଦେଶର ମଣିଷକୁ ଅଗ୍ରାଧିକାର ଦେଇ ଗାଁଗଣ୍ଡାରୁ ସହରର ସରହଦବ୍ୟାପୀ ଏକ ଜନସଂଗ଼ଠନାଧୀନ ସୁପରିକଳ୍ପିତ ପରିଚାଳନା ବ୍ୟବସ୍ଥା ଜାରି କରାଯିବା କଥା । ଦଳ ଓ ରାଜନୀତିର ସେଇ ପୁରୁଣା ଢାଞ୍ଚା ଦ୍ୱାରା ଏମିତି ନୂଆ ଭାରତର ନିଆରା ନକ୍ସା କେମିତି ବା ଅଙ୍କାଯାଇପାରେ ? ପାଠୁଆ ବାବୁସାହେବମାନଙ୍କର ପ୍ରଚୁର ପୋଥିବାଇଗଣକୁ ନେଇ ଅସଲ ଭାରତବର୍ଷର ଫସଲକ୍ଷେତଟିଏ ପାଇଁ ମଞ୍ଜି କି ବିହନ ବୁଣିବା ସମ୍ଭବ କି?
ଏବେ ସବୁଆଡେ ଶସ୍ତା ସ୍ଲୋଗାନ୍ । ବସ୍ତାବସ୍ତା ଭାଷଣବାଜିର ରିହାତି – ରାଜନୀତି । ଏ ଦଳ କହୁଚି ସେ ଦଳ ଚୋର, ସେ ଦଳ କହୁଚି ଏ ଦଳ ତସ୍କର । ଲୋକେ କହୁଛନ୍ତି ସବୁ ଦଳ – ପଙ୍ଗପାଳ । ଶାସନତନ୍ତ୍ରର ଶସ୍ୟକ୍ଷେତ୍ରରେ ପ୍ରବେଶ କରିବା ପାଇଁ ସମସ୍ତେ ପାଗଳ । ଆଗେ ଆମର ରାଷ୍ଟ୍ରନୀତିଜ୍ଞ ଥିଲେ – ଯେଉଁମାନଙ୍କ ସଂଖ୍ୟହ୍ରାସ ଘଟିଛି ଶୋଚନୀୟ ଭାବରେ । ଏବେ ଅବଶ୍ୟ ରାଜନୀତିଜ୍ଞ ଅଛନ୍ତି କେତେକ – ମାତ୍ର ଚଳନ୍ତି ରାଜନୀତିର ଚକ୍ରବ୍ୟୂହରେ ସେମାନେ ନିଷ୍ପ୍ରଭ ଚରିତ୍ର ଜଣେଜଣେ । ବର୍ତମାନର ରାଜନୀତି ଏକପ୍ରକାର ପ୍ରଜାଶୋଷଣଧର୍ମୀ ପ୍ରବୃତି ନହେଲେ ରାଜକୋଷଲୁଣ୍ଠନମୁଖୀ ବାଜନୀତି । ରାଜନୀତିକୁ ବାଜନୀତିରେ ବଦଳାଇ
ଦେଇଥିବା ଅପଶକ୍ତିର ଆଜ୍ଞାବହ ବର୍ଗ ଗୋଟିଏ ଗୋଟିଏ ଦଳ ଗଢି ସାରା ଦେଶକୁ ଦଖଲ କରିବାକୁ ବ୍ୟଗ୍ର । ଏମାନେ କେବଳ ମିଥ୍ୟାଚାରୀ, ଭ୍ରଷ୍ଟାଚାରୀ, ବ୍ୟଭିଚାରୀ, ଅବିଚାରୀ ବା ମୁଖାଧାରୀ ନୁହନ୍ତି, ଦରକାର ପଡିଲେ ଏମାନେ ବି ଭାରତୀୟ ଗଣତନ୍ତ୍ରର ହତ୍ୟାକାରୀ ହେବାକୁ ହାତ ମିଳାନ୍ତି ପରସ୍ପର ସହିତ ।
ଗୋଟିଏ ଚୁଡାନ୍ତ ବିଡମ୍ବନାର ପର୍ଯ୍ୟାୟରେ ପହଂଚିସାରିଛି ଭାରତବର୍ଷର ରାଜନୀତି । ତାହା ହେଉଛି, କେବଳ ବଣିକବର୍ଗ ଓ ଧନିକବର୍ଗର ସମବାୟ ସମିତିକୁ ନେଇ ଗଢାହେଉଛି ଶାସନ ଓ ପ୍ରଶାସନ ବ୍ୟବସ୍ଥା । କେବଳ ଧନୀଲୋକେ ନିର୍ବାଚନୀ ରାଜନୀତିର ମଇଦାନରେ ଦଳୀୟ ଟିକେଟ୍ ପାଇ ଯାତ୍ରା ଦେଖାଉଛନ୍ତି ଜନଗଣଙ୍କୁ । ଜଣେ ଗରିବ ଲୋକ ଯେତେ ଯୋଗ୍ୟତା, ଦକ୍ଷତା ଓ ଆନ୍ତରିକତାର ଅଧିକାରୀ ହେଉ ପଛେ – ଏ ଚନ୍ଦନଚର୍ଚ୍ଚିତ ଚିହ୍ନାବ୍ରାହ୍ମଣମାନଙ୍କ ଚିତାଚଇତନୀ ରାଜନୀତି ତାକୁ ନେତୃତ୍ୱ ସ୍ତରକୁ ଉନ୍ନୀତ କରାଇôାର ସୁଯୋଗ ଦିଏନା । ଗରିବ ଲୋକଟିଏ ଖୁବ୍ ବେଶିରେ ମୁଖିଆ କର୍ମୀ ପର୍ଯ୍ୟନ୍ତ ଯାଇପାରେ, ମାତ୍ର ଟିକେଟ୍ କିଣି ନିର୍ବାଚନ ଜିଣି ନେତା ହେବା କି ମନ୍ତ୍ରୀ ହେବା ତା’ ପକ୍ଷରେ ସହଜ ବ୍ୟାପାର ନୁହେଁ । ଗଣତନ୍ତ୍ରରୁ ଗରିବ କ୍ରମେ ବିଦାୟ ନେଉଛି । ଗରିବ ନାଆଁରେ ଗୁରୁଗମ୍ଭୀର ଧ୍ୱନି ଦେଇ ଧନୀ ଏବେ ନିଜକୁ ବୋଲାଉଛି ନେତା – ଏ ଜନତାର ହର୍ତାକର୍ତା – ଦୈବ ବିଧାତା । ବ୍ୟୟବହୁଳ ନିର୍ବାଚନ କେବଳ ନକଲି ନେତୃତ୍ୱର ରାଜନୈତିକ ବିସ୍ତାରବାଦ ନିମନ୍ତେ ବାଟ ଫିଟାଉଛି । ଏହାଦ୍ୱାରା ଜାତୀୟ ସମ୍ପତି ଉପରେ ଶ୍ୱେନଦୃଷ୍ଟି ପକାଉଥିବା ଧନୀ ଧୂର୍ତମାନେ ଜାତୀୟ ବିପତିକୁ ନେଇ ମିନିଟିଏ ବି ମୁଣ୍ଡବ୍ୟଥାରେ ଘାରି ହେଉଥିବା ଉପଲବ୍ଧି କରିପାରୁନାହାନ୍ତି କେହି । ‘ଦାରିଦ୍ର୍ୟ’ ଏଭଳି ଏକ ସୂତ୍ର, ଯାହାକୁ ନେଇ ଏଠି ଏବେ ରାଜନୈତିକ ଦାରିବୃତି ନିଜ ନିଷିଦ୍ଧ ବଜାର ବିଛାଇବାରେ ବେଶ୍ ସଫଳ ହୋଇପାରିଛି । କିନ୍ତୁ ଏ ‘ସଫଳତା’ ଆମ ଜାତୀୟ ବ୍ୟର୍ଥତାକୁ ସାରା ଦୁନିଆ ଦରବାରରେ ସାବ୍ୟସ୍ତ କରିସାରିଛି ଶତସହସ୍ରଗୁଣ ।
ରାଜନୀତି ଏଠି ଚାଲିଚି ବହୁଦଳୀୟ ଏକ ସୁପରିକଳ୍ପିତ ଯୋଜନାରେ । ସେ ଯୋଜନାର ସୂତ୍ରଧର ହେଉଛନ୍ତି ବିଦେଶୀ ପୁଞ୍ଜ ଉପରେ ପ୍ରତିଷ୍ଠିତ ଦେଶୀ ଶିଳ୍ପପତି ଗୋଷ୍ଠୀ ଏବଂ ସେମାନଙ୍କ ଭତାରେ ପରିପାଳିତ ଓ ପରିଚାଳିତ ଏ ଦେଶର ସୁବିଧାବାଦୀ ନ୍ୟସ୍ତସ୍ୱାର୍ଥ ସ୍ୱଚ୍ଛଳ ରାଜନୈତିକ ନେତୃପକ୍ଷ । ଦେଶ ଓ ଜାତିକୁ ନେଇ ଛଦ୍ମଚରିତ୍ରବର୍ଗ ଟେକି ଦେଉଛନ୍ତି ଭୟଙ୍କର ଭବିଷ୍ୟତ ହାତରେ । ଏଠି ଚଷା ଚଷୁ ହେଉଚି, ମୂଲିଆ ମାହାଳିଆ ମରୁଚି, ଯୁବକ ଅକାଳ ବାର୍ଦ୍ଧକ୍ୟ ବରଣ କରୁଚି, ଶିଶୁମୃତ୍ୟୁର ହାର ଆହୁରି ବଢୁଚି । ବର୍ତ୍ତମାନ ରାଷ୍ଟ୍ର ଓ ସମାଜର ପ୍ରତ୍ୟେକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ନୈତିକ ମୂଲ୍ୟବୋଧ ଓ ରାଜନୈତିକ ମୂଲ୍ୟବୋଧ ମଧ୍ୟରେ ଆକାଶପାତାଳ ଫରକ । ଅର୍ଥନୈତିକ ଆଭିମୁଖ୍ୟ ଜନାଭିମୁଖୀ ହେବା ବଦଳରେ ଧନାଭିମୁଖୀ । ଧନତନ୍ତ୍ର ଦ୍ୱାରା ଜନତନ୍ତ୍ର ଧ୍ୱସ୍ତ । କଳାଟଙ୍କା ତା’ର କୁହୁକ ଦେଖାଇବାରେ ବ୍ୟସ୍ତ । ଆଜି ନେତୃତ୍ୱର ଭୂମିକା ନେତିବାଚକ । ବ୍ୟକ୍ତିତ୍ୱର ବିସର୍ଜନ ଓ ବ୍ୟକ୍ତିର ଆବାହନ କେବଠୁ ଆରମ୍ଭ ହୋଇସାରିଛି ଦଳୀୟ ରାଜନୀତି କ୍ଷେତ୍ରରେ । ଦଳର ରାଜନୀତି ଦେଶର ରାଜନୀତି ନୁହେଁ, ଦେଶର ରାଜନୀତି ହେଉଛି ପ୍ରକୃତ ପକ୍ଷରେ ଜନସାଧାରଣଙ୍କର ଅନନ୍ୟସାଧାରଣ ରାଜନୀତି – ଯାହା ବିଶାଳ, ବ୍ୟାପକ, ବିକାଶମାର୍ଗୀ । ଯେଉଁ ଦେଶରେ ସାଧାରଣ ମଣିଷଟିଏ ବ୍ୟୟବହୁଳ ନ୍ୟାୟବ୍ୟବସ୍ଥା ନିକଟରେ ନିଜର ଅବଶିଷ୍ଟ ଆତ୍ମମର୍ଯ୍ୟାଦା ଦାବୀ କରିବା ପାଇଁ ସମ୍ପୂର୍ଣ୍ଣ ସମ୍ବଳହୀନ, ସେ ଦେଶରେ ଗଣତନ୍ତ୍ର ଗୌଣ – ଜନଗଣମନ ମୌନ ।
ଏବେ ବଦଳିବାର ବେଳ । ଏଇ ଭାରତରେ ଅଜସ୍ର ରାଜନୈତିକ ଦଳ । ନାନା ରଙ୍ଗର ପତାକା । ଜାତୀୟ ଦଳରୁ ଆଂଚଳିକ ଦଳ ମାଳମାଳ । ସବୁ ଦଳ ଭିତରେ ଅପର୍ଯ୍ୟାପ୍ତ ମଳ । ପେଟ ଭିତରେ ମଳ ରହିଲେ ଶରୀର ଅସୁସ୍ଥ ହୁଏ । ନାନା ରୋଗ ମାଡିଆସେ । ସେଇଭଳି ଦଳ ଭିତରେ ମଳ ରହିଲେ ଗଣତନ୍ତ୍ର ରୋଗାକ୍ରାନ୍ତ ହେବାକୁ ବାଧ୍ୟ । ଦଳବଦ୍ଧ ରାଜନୀତି ଆଜି ସୃଷ୍ଟି କରିଛି ଅସ୍ୱଚ୍ଛ ଭାରତ, କାଲି ସୃଷ୍ଟି କରିବ ଅସୁସ୍ଥ ଭାରତ । ଅତଏବ ଆଗହୁଁ ସାବଧାନ – ମଳ ସଫା ହେବା ଦରକାର ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.