ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୮
ସେ ଜଣେ ବିଦ୍ୱାନ। ଧର୍ମ ଶାସ୍ତ୍ର ସମ୍ପର୍କିତ ତାଙ୍କର ଜ୍ଞାନ ପ୍ରାଞ୍ଜଳ ଏବଂ ସ୍ପଷ୍ଟ ଆଉ ତାହା ସହିତ ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ସେ ସମୟର ପ୍ରସିଦ୍ଧ ମୁଗଲ ସମ୍ରାଟ ଆକବରଙ୍କୁ ସବୁ ସମୟରେ ମୁଗ୍ଧ କରି ରଖିବା ଭଳି କଥାର କିଛି କିଛି ଉଲ୍ଲେଖ ରହିଅଛି ।
ପ୍ରତ୍ୟୁତ୍ପନ୍ନମତି କହିଲେ ବାକପଟୁତା ଆଉ ବାକପଟୁତା କହିଲେ ରଙ୍ଗରସ ର ନିୟନ୍ତ୍ରିତ ପ୍ରୟୋଗ । ଆଉ ସେହି କାରଣରୁ ସେହିଭଳି ଜଣେ ବ୍ୟକ୍ତି ବିଶେଷ ର ସମସ୍ତ ଜ୍ଞାନ ଆଉ ବକ୍ତବ୍ୟରୁ ଆମେ କେବଳ ରଙ୍ଗରସ ଅଥବା ବିଦୂଷକ ପଣକୁ ଅଧିକ ଦେଖିଥାଉ ।
ଏଇଠି କିନ୍ତୁ ଆମର ପ୍ରିୟ ଚର୍ଚ୍ଚିତ ହସକଥା ଏବଂ ପ୍ରତ୍ୟୁତ୍ପନ୍ନମତିତାର ପ୍ରଖର-ପୁରୁଷ ବୀରବଲଙ୍କ କଥା କୁହାଯାଉ ନାହିଁ। ବରଂ ବୀରବଲ୍ ଙ୍କ ଉପସ୍ଥିତି ଏହିଭଳି ସେ ସମୟର ରଙ୍ଗରସ ର ଜଗତକୁ ଆଚ୍ଛନ୍ନ କରି ରଖିଥିଲା ଯେ ଆଉ ଦ୍ୱିତୀୟ କେହି ଜଣେ ସାମ୍ନାକୁ ସେମିତି ଆସି ପାରିବା ସହଜ ନଥିଲା ।
ଯାହା ବିଷୟରେ ଏଇଠି ଚର୍ଚ୍ଚା କହିବାକୁ ଗଲେ ସେହି ବ୍ୟକ୍ତିବିଶେଷ ଜଣକ ବୀରବଲଙ୍କର ରଙ୍ଗରସର ଅନ୍ୟତମ ପ୍ରତିଦ୍ୱନ୍ଦୀ ଥିଲେ ।
ତାଙ୍କର ବୁଦ୍ଧିମତାକୁ ସମ୍ମାନ ଦେଖାଇ ଭାରତରେ ଏକ ସୁସ୍ୱାଦୁ ବ୍ୟଞ୍ଜନକୁ ତାଙ୍କର ନାଆଁରେ ନାମିତ କରାଯାଇଛି। ଆମ ଭଳି ଆମିଷଭକ୍ଷଣକାରୀ ମାନଙ୍କର ଏହି ବିଶେଷ ବ୍ୟଞ୍ଜନଟି ଅତୀବ ପ୍ରିୟ।
ସମ୍ରାଟ ଆକବର ନିଜେ ଜଣେ ଭୋଜନରସିକ ହୋଇ ଥିବା କାରଣରୁ ନିଜର ଅନ୍ତରଂଗ ନବରତ୍ନଙ୍କ ଭିତରୁ ଜଣକର ନାଆଁରେ ଗୋଟିଏ ସୁସ୍ୱାଦୁ ବ୍ୟଞ୍ଜନ ନାମିତ କରିବା ଆଦୌ ଅସଂଗତିପୂର୍ଣ୍ଣ ନୁହଁ।
ବୁଦ୍ଧିମତାକୁ ଖାଦ୍ୟ ସହ ଯୋଡିବା କୌଣସି ନୁଆ କଥା ନୁହଁ।ଆମେ ଆମର ସବୁ କଥାର ପ୍ରାୟୋଗିକ ବିଚାରକୁ ଖାଦ୍ୟ- ତଥା ଖାଦ୍ୟ ଓ ଖାଦକର ସମ୍ପର୍କର ଆଧାରରେ ବିବେଚନା କରିଥାଉ।
ସେ ଗିଳିଲା ଭଳି ଚାହିଁଛି। ମୁଁ ତୋତେ ଖାଇବି। ସଂସାର ମୋତେ ଗୋଟାପଣେ ଖାଇଦେଲାଣି। ଏହି ଭଳି କହିବାକୁଗଲେ ଏହାଠାରୁ ଅନେକ ଭଲ ଉଦାହରଣ ଆମକୁ ଆମର ଜୀବନରେ ମିଳିପାରିବ।
ବିଶେଷରେ “ଚିନ୍ତା ପାଇଁ ଖାଦ୍ୟ” ବୋଲି ଆପ୍ତବାକ୍ୟଟି ଆମେ ବେଶ୍ ବ୍ୟବହାର କରିଥାଉ।
ପ୍ରଫେଟସ୍ ଆଣ୍ଡ ଫିଲୋସଫରସ୍ ଡିଡନଟ୍ ଲିଭ୍ ଅନ୍ ବ୍ରେଡ୍ ଏଲୋନ୍ ।
ଏହି ଆଲୋକୋଜ୍ଛଳ ପ୍ରଜାତିର ଜୀବନଧାରଣ ପାଇଁ ଆମେ ଯାହାକୁ ଖାଦ୍ୟ ବୋଲି କହିଥାଉ ତାହା ଅପେକ୍ଷା ଆଉ ଅଧିକା କିଛିର ଆବଶ୍ୟକତା ରହିଥାଏ ।
ସେ ଯାହା ହେଉ ଉପସ୍ଥିତ ଲେଖକ ଓଡ଼ିଶାର ପ୍ରମୁଖ ତିଳକ କବିମାନଙ୍କୁ ନେଇ ଭିନ୍ନ ଭିନ୍ନ ଅନ୍ନ-ବ୍ୟଞ୍ଜନର ନାମକରଣ କରିବାର ଏକ ଜଟିଳ ପ୍ରାକ୍ ପ୍ରସ୍ତୁତି କରିଥିଲା।ତାହା ସାମ୍ନାରେ କିନ୍ତୁ ଜଟିଳ ପ୍ରଶ୍ନଟିଏ ଆସିଲା। କାହାକୁ ସେ ଆମିଷ ଆଉ କାହାକୁ ସେ ନିରାମିଷ ର କାଟାଗୋରୀରେ ବିଧିବଦ୍ଧ ଭାବରେ ସ୍ଥାନିତ କରିବାକୁ ସକ୍ଷମ ହେବ ?ସମସ୍ତ ସାରସ୍ୱତ ସାଧକ ନିଶ୍ଚିତ ଭାବରେ ନିରାମିଷ ଜାତୀୟ ଅନ୍ନ-ବ୍ୟଞ୍ଜନ ସହ ସଂପୃକ୍ତ ରହିବାକୁ ଉଚିତ ମଣିବେ।ଏଣେ ପ୍ରଚୁର ଆମିଷ ବ୍ୟଞ୍ଜନ ମାନ ଅନାମ ହୋଇ ଅରକ୍ଷିତ ଭାବରେ ପଡିରହିବାର ସମ୍ଭାବନା ଅଧିକ।ଏବଂ ଏହି ଜାତୀୟ ନାମକରଣରେ ଟିକିଏ ଓଲମ ବିଲମ ହେଲେ ଏବେ ସଂପ୍ରତି ଯେଉଁ “ତ୍ୱରିତ ନ୍ୟାୟ” ଦେଶ ସାରା ବୋହୁଛି ସେଥିରେ ପୈତୃକ ପ୍ରାଣଟି ହାୱାଧୀନ ହୋଇଯିବାର ସମ୍ଭାବନା ଅଧିକ।ତେଣୁ ସେ ଏହି ଭଳି ନାମକରଣ କରିବା ଭଳି ଅପଚେଷ୍ଟାରୁ କ୍ଷାନ୍ତ ରହିଛି ।
ଏହି ପ୍ରସଙ୍ଗରେ ଉପସ୍ଥିତ ଲେଖକର ସବୁଠୁ ବଡ ପ୍ରତିରକ୍ଷା ର ଅସ୍ତ୍ର ହେଲା ଯେ ସେ କୌଣସି ରାଜାଧିରାଜ ନୁହଁ, ଶାହାନଶାହ ଆବୁଲ ଫତ ଜଲାଲୁଦ୍ଦିନ ମହମ୍ମଦ ଆକବର ନୁହଁ। ସେଇଥିପାଇଁ କୌଣସି ନବରତ୍ନଙ୍କର ନାମକରଣ କରିବାର ଦାୟ ତାହା ଉପରେ ତେଣୁ ନାହିଁ।
ଭାରତର ଖାଦ୍ୟ ଇତିହାସର ଅଧ୍ୟୟନରେ ମୁଗଲ ସମ୍ରାଟ ଆକବରଙ୍କ କଥା ନିଶ୍ଚୟ ଆସିବ । ଭାରତୀୟ ଖାଦ୍ୟର ବିବର୍ତ୍ତନରେ ବସ୍ତୁତଃ ଯେଉଁ ବୈଚିତ୍ର୍ୟ ଆସିଛି ତାହାର କର୍ତ୍ତା ହେଉଛନ୍ତି ମୋଗଲ ସମ୍ରାଟ ଆକବର।
ସଂକ୍ଷେପରେ କହିଲେ ,ସାଧାରଣତଃ ଶସ୍ୟ ଉତ୍ପାଦନ ହେବା ପରଠାରୁ ମଣିଷର ଖାଦ୍ୟରେ ଶସ୍ୟ ନିର୍ଭରଶୀଳତା ଅଧିକ ଦେଖାଦେଇଥିଲା। ତାହା ପୂର୍ବରୁ ଅର୍ଥାତ୍ ମଣିଷର ଖାଦ୍ୟ -ସଂଗ୍ରହ କାଳରେ ମାଂସାହାରଟି ପ୍ରମୁଖ ରହିଥିଲା। ମାତ୍ର ମାଂସ ପାଇଁ ଆବଶ୍ୟକୀୟ ପଶୁ ଏତେ ସୁଲଭ ହେଉନଥିଲା। ତେଣୁ ଶସ୍ୟ ଉତ୍ପାଦନର ନିର୍ଦ୍ଦଷ୍ଟ ବିକଳ୍ପଟି ପାଇଗଲା ପରେ ମଣିଷ ଶସ୍ୟାହାରୀ ହୋଇ ରହିଲା।ଭାରତୀୟ ଧର୍ମାଚରଣ ତାହାକୁ ଅଧିକ ଭାବରେ ଶସ୍ୟାହାରୀ ହେବାପାଇଁ ପ୍ରରୋଚିତ କରୁଥିଲା।ବୌଦ୍ଧ ଓ ଜୈନ ଧର୍ମର ସମୟ ହେଉଛି ଭାରତରେ ପୂର୍ଣ୍ଣତଃ ଶାକାହାରର ସମୟ।ସେ ଯାହାହେଉ ଭାରତୀୟ ଖାଦ୍ୟରେ କମି ଆସୁଥିବା ମାଂସ ଭାଗ ମୋଗଲ ସମ୍ରାଟ୍ ଆକବରଙ୍କ ସମୟରେ ବେଶ୍ ବୃଦ୍ଧି ପାଇଥିଲା।ଆକବରଙ୍କ ରନ୍ଧନଶାଳ କହିବାକୁ ଗଲେ ଖାଦ୍ୟଦୃଷ୍ଟିରୁ ଭାରତୀୟ ବିବିଧତାର ଏକ ପ୍ରତୀକ ଥିଲା।ଭାରତର ବିଭିନ୍ନ ଅଂଚଳରୁ ରାନ୍ଧୁଣିଆ ମାନେ ଆକବରଙ୍କ ରୋଷେଇଶାଳରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରୁଥିଲେ।ତେଣୁ ଭାରତୀୟ ଖାଦ୍ୟବୈଚିତ୍ର୍ୟର ପ୍ରୟୋଗକର୍ତ୍ତା ହିସାବରେ ତାଙ୍କୁ ଖାଦ୍ୟ -ଇତିହାସକାର ମାନେ ଗ୍ରହଣ କରିଛନ୍ତି।
ସମ୍ରାଟ ଆକବର ଙ୍କ ନିକଟରେ ବୀରବଲଙ୍କ ବିକଳ୍ପ ଭାବରେ ଉପସ୍ଥିତ ଥିବା ତଥା ସମ୍ରାଟଙ୍କ ଅନ୍ତରଙ୍ଗ ନବରତ୍ନମଣ୍ଡଳୀର ଅନ୍ୟତମ ଏହି ବିଦ୍ୱାନଙ୍କର ନାଆଁ ହେଉଛି ମୁଲ୍ଲା ଦୋ ପିୟାଜା।
ଏବେ ସେହି ସୁସ୍ୱାଦୁ ବ୍ୟଞ୍ଜନର ବାସ୍ନା କୁ ଆପଣମାନେ କଳ୍ପନା କରିପାରୁଥିବେ ନିଶ୍ଚୟ ।
Comments are closed.