Latest Odisha News

କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଖଡ଼ଗେ କହିଲେ ‘‘ବକରିଦ୍ ମେ ବଚେଙ୍ଗେ ତୋ ମହରମ ମେ ନାଚେଙ୍ଗେ’’

ଭୋପାଳ: ଆଉ ୫ ଦିନ ରହିଲା କଂଗ୍ରେସର ସଭାପତି ନିର୍ବାଚନ । ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ କଂଗ୍ରେସର ବହୁ ପ୍ରତୀକ୍ଷିତ ସଭାପତି ପାଇଁ ନିର୍ବାଚନ । ନିର୍ବାଚନରେ ଯିଏ ବିଜୟୀ ହେବ ତାଙ୍କ ନିଷ୍ପତ୍ତି ଅନୁସାରେ ସାରା ଦେଶରେ କଂଗ୍ରେସ ଦଳ ଚାଲିବ ।

ତେବେ ନୂଆ ସଭାପତି ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ଆଜି ସାମ୍ବାଦିକମାନେ ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ପ୍ରଶ୍ନ କରିଥିଲେ । ଅବଶ୍ୟ ଏହି ପ୍ରଶ୍ନର ସିଧା ଉତ୍ତର ଦେଇନଥିଲେ ଖଡଗେ । କିନ୍ତୁ ଏହି ପ୍ରଶ୍ନକୁ ନେଇ କିଛି ଦିନ ଧରି ଚର୍ଚା ଲାଗି ରହିଛି । ଗାନ୍ଧୀ ପରିବାରରୁ ଏଥର ସଭାପତି ନିର୍ବାଚନରେ କେହି ପ୍ରାର୍ଥୀ ନାହାଁନ୍ତି । ତେବେ ନୂଆ ସଭାପତି ମଧ୍ୟ  ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବି ଦାର ହୋଇପାରନ୍ତି । କିନ୍ତୁ ଏହାର ଉତ୍ତର କାହା ପାଖେ ନାହିଁ । ଖଡ଼ଗେ ତ ଏହାର ଏକ ରୋଚକ ଉତ୍ତର ଦେଇଛନ୍ତି ।

 ଖଡ଼ଗେ କହିଛନ୍ତି ‘‘ବକରିଦ୍ ମେ ବଚେଂଗେ ତୋ ମହରମ ମେଁ ନାଚଗେଁ’’ । ଏହାର ମାନେ କଣ ତାହା ଖଡ଼ଗେ ହିଁ ଜାଣନ୍ତି । କିନ୍ତୁ ଏହା କହିବା ପରେ ସେ କହିଥିଲେ କି ପ୍ରଥମେ ମୁଁ ସଭାପତି ହୁଏ ତା ପରେ ଚିନ୍ତା କରିବା । ମଧ୍ୟପ୍ରଦେଶରେ ତାଙ୍କ ପାଇଁ ଭୋଟ ମାଗିବାକୁ ଯାଇଥିବା ଖଡ଼ଗେ କହିଛନ୍ତି ଯେ ସେ ଏବେ ଦଳର ସଭାପତି ହେବା କଥା ଭାବୁଛନ୍ତି । ତାପରେ ସେ ଦଳକୁ ମଜବୁତ କରିବେ । ବିଜେପି ବିରୋଧରେ ଦଳ କିପରି ଲଢ଼ିବ ସେ ନେଇ ରଣନୀତି କରିବେ ।  ସେ ଏବେ ଶଶୀ ଥରୁରଙ୍କ ସହ ସଭାପତି ଦୈାଡ଼ରେ ଅଛନ୍ତି । ସଭାପତି କିପରି ହେବେ ସେ ନେଇ ସେ କଂଗ୍ରେସ ନେତା କାର୍ଯ୍ୟକର୍ତ୍ତାଙ୍କୁ ଭେଟୁଛନ୍ତି । ଏହା ସହ ସେ ସ୍ପଷ୍ଟ କରିଥିଲେ ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ବେର ଛଅଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଥିଲା । ବିଜେପି ହୀନ ରାଜନୀତି କରି ସେ ସବୁ ରାଜ୍ୟରେ ଏବେ ସରକାର ଚଳାଉଛି । ଏହା ମାନେ ତାଙ୍କର ରାହୁଲ ଗାନ୍ଧୀଙ୍କ ନେତୃତ୍ବ ପ୍ରତି ସମର୍ଥନ ରହିଛି । କିନ୍ତୁ ସ୍ପଷ୍ଟଭାବେ ଖଡ଼ଗେ କିଛି କହିନଥିଲେ ।

ତେବେ କଥା ହେଉଛି କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ୨୦୨୪ ପାଇଁ ଏକରକମ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛି । କିନ୍ତୁ ଏହାରି ଭିତରେ ରାହୁଲ ଗାନ୍ଧୀ କି କୈାଣସି ନେତା କହୁନାହାଁନ୍ତି ମୋଦିଙ୍କ ବିରୋଧରେ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ? । କୈାଣସି ଭାଷଣରେ ୨୦୨୪ରେ ନେତା କିଏ ହେବ ତାହା କୈାଣସି ନେତା କହିବାକୁ ନାରାଜ ।

କଂଗ୍ରେସ ଗାନ୍ଧୀ ପରିବାରରୁ କାହାକୁ ନେତା ବାଛିବ ନା ବିରୋଧୀ ଭୂମିକାରେ ଥିବା କିଛି ଦଳର ନେତାଙ୍କୁ ସମର୍ଥନ କରିବ ତାହା ଏବେଠୁ ସ୍ପଷ୍ଟ କରିନଥିଲେ ମଧ୍ୟ ଖଡ଼ଗେ କି ଥରୁର ଯେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୈାଡ଼ରେ ଅଛନ୍ତି ସେମାନେ ମଧ୍ୟ କହିପାରୁନାହାଁନ୍ତି । ଦଳର ଅନେକ ପ୍ରାଥୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଇଚ୍ଛୁକ ଥିଲେ ମଧ୍ୟ ରାହୁଲ ଗାନ୍ଧୀ ପ୍ରଥମ ପସନ୍ଦ ହୋଇପାରନ୍ତି । କିନ୍ତୁ ଖଡ଼ଗେ ଆଜି ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ସ୍ପଷ୍ଟ ଭାବେ ନେଇପାରିନାହାଁନ୍ତି ।

Comments are closed.