ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ କରିବେ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ। ଦିନ ୧୧ ଟା ୩୦ରେ ବିମାନ ବନ୍ଦରରୁ ଆସି କଂଗ୍ରେସ ଭବନରେ ପହଞ୍ଚିବେ। ଓଡ଼ିଶା ଗସ୍ତ କାଳରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ ମାଗିବେ ଖଡ଼ଗେ। ଏଆଇସିସି ସଭାପତି ପ୍ରାର୍ଥୀ ପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
କଂଗ୍ରେସ ଭବନରେ ଓଡିଶା ପ୍ରଭାରୀ ଡ. ଏ ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ଅନ୍ୟ ସମସ୍ତ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ରହିବେ। ଭୋଟ ଦେବାକୁ ଯୋଗ୍ୟ ନେତାଙ୍କ ସହ ଖଡ଼ଗେ ସାକ୍ଷାତ କରିବା ସହ ଭୋଟ ମାଗିବେ। ଏଆଇସିସି ସଭାପତି ନିର୍ବାଚନରେ ସମର୍ଥନ ପାଇଁ ସମସ୍ତଙ୍କୁ ନିବେଦନ କରିବେ।
ଓଡ଼ିଶାରେ ଅଛନ୍ତି ୪୧୮ ପିସିସି ସଭ୍ୟ । ଏହି ୪୧୮ ଜଣ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଏଆଇସିସିର ବିଭିନ୍ନ ପଦବୀରେ ଥିବା ନେତାମାନେ ଭୋଟ ଦେଇପାରିବେ। ଆଜି ସମସ୍ତ ନେତାଙ୍କ ସହ ଖଡ଼ଗେଙ୍କ ସାକ୍ଷାତ ପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଥାଉକି, ଏଆଇସିସି ସଭାପତି ପାଇଁ ଖଡ଼ଗେଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର। ତେବେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଦୁଇ ପରେ ଆର୍ଥାତ ଆସନ୍ତା ୧୯ ତାରିଖରେ ଏହାର ଫଳ ଘୋଷଣା ହେବ। ସେପଟେ କଂଗ୍ରେସ ନେତା ଶଶୁ ଥରୁର ଓଡି଼ଶା ଆସିବେ ନା ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ।
Comments are closed.