Latest Odisha News

BREAKING NEWS

ହିଜାବ ନ ପିନ୍ଧିବା ମହଙ୍ଗା ପଡିଲା କି ଇରାନ ଆଥଲେଟ ଏଲନାଜ ରେକାବିକଙ୍କୁ ?

ତେହେରାନ: ଇରାନର ମହିଳା ଆଥଲେଟ ଏଲନାଜ ରେକାବିକଙ୍କ ପତା ମିଳୁନି । ଯାହାକୁ ନେଇ ଭିନ୍ନ ଭିନ୍ନ ସନ୍ଦେହ ପୋଷଣ କରାଯାଉଛି । ରିପୋର୍ଟ ମୁତାବକ ସେ ହିଜାବ ପରିଧାନ କରି ନ ଥିବାରୁ ଇରାନ ସରକାର ତାଙ୍କୁ ଗିରଫ କରିଥିବା ଆଶଙ୍କା କରାଯାଉଛି । ସେ ୧୦ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ ରନ କ୍ଲାଇମ୍ବିଂ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିଲେ । ୩୩ ବର୍ଷୀୟା ଏଲନାଜ ପ୍ରତିଯୋଗିତାରେ କେବଳ ଫାଇନାଲ ମୁକାବିଲାରେ ହିଜାବ ପରିଧାନ କରି ନ ଥିଲେ । ସେ ଚମତ୍କାର ପ୍ରଦର୍ଶନ କରି ୪ର୍ଥ ସ୍ଥାନରେ ରହିଥିଲେ । ଇରାନ ଆସିବା ପରେ ତାଙ୍କର ଆଉ ଦେଖା ମିଳିନି । ସୋସିଆଲ ମିଡିଆରେ ତାଙ୍କ ଶେଷ ପୋଷ୍ଟରେ ସେ ଲେଖିଛନ୍ତି ପ୍ରତିଯୋଗିତାରେ ହିଜାବ ପରିଧାନ ନ କରିବା ପଛରେ କୌଣସି ଏଜେଣ୍ଡା ନାହିଁ । ଏପରିକି ସେ ଏ ନେଇ ଇରାନ ଲୋକଙ୍କୁ କ୍ଷମା ମାଗିଥିଲେ ।

ଇରାନ ପୋଲିସ ତାଙ୍କ ଫୋନ ଓ ପାସପୋର୍ଟ ଜବତ କରିଥିବା ଅନୁମାନ କରାଯାଉଛି । ତେବେ ତେହେରାନ ସରକାର ଏହି ଖବରକୁ ଫେକ ବୋଲି ଘୋଷଣା କରିଛି । ସେପ୍ଟମ୍ବର ୧୭ରୁ ଇରାନରେ ହିଜାବକୁ ବିରୋଧ କରି ତୀବ୍ର ଆନ୍ଦୋଳନ ଚାଲିଛି । ସ୍ଥାନୀୟ ସରକାର ଏହାକୁ ଦମନ କରିବା ପାଇଁ କଠୋର ପନ୍ଥା ଆପଣାଉଛି । ଏ ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟି ସାରିଛି ।

Comments are closed.