Latest Odisha News

BREAKING NEWS

ପତ୍ନୀ ସହ ଶ୍ୱଶୁର ଘରର ପରିବାର ଲୋକଙ୍କୁ ଜିଅନ୍ତା ଜାଳିଦେଲା ଜ୍ୱାଇଁ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ। ଜିଲ୍ଲାର ମୋହିତପୁରରେ ଜଣେ ଯୁବକ ନିଜ ଶାଶୁ ଘରକୁ ଯାଇ ପତ୍ନୀ, ଝିଅ, ପୁଅ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଜୀବନ୍ତ ଜାଳି ଦେଇଛି। ପତ୍ନୀ ଘରକୁ ନଫେରିବାରୁ ଏହି ୩୦ ବର୍ଷୀୟ ଯୁବକ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏପରି କାଣ୍ଡ ଭିଆଇଛି।

ଅଭିଯୁକ୍ତ କୁଲଦୀପ ସିଂ ଖୁରସେଦପୁର ଗାଁର ବାସିନ୍ଦା। ସେ ବିଟଲା ଗାଁର ସୁରଜନ ସିଂଙ୍କ ଝିଅ ପରମଜିତ୍ କୌରଙ୍କୁ ବିବାହ କରିଥିଲେ। ପରମଜିତ୍ କୌର ତାଙ୍କ ଦୁଇ ପିଲାଙ୍କ ସହ ଗତ ପାଞ୍ଚ-ଛଅ ମାସ ଧରି ତାଙ୍କ ପିତାମାତାଙ୍କ ସହ ରହୁଥିଲେ। କୁଲଦୀପ ସିଂ ଚାହୁଁଥିଲା ଯେ ପାରଜଜିତ୍ ଲୁଧିଆନାର ଖୁରସେଦପୁର ଗ୍ରାମରେ ତା ଘରକୁ ଫେରିଯାଆନ୍ତୁ, କିନ୍ତୁ କୁଲଦୀପ ତାଙ୍କୁ ଏବଂ ପିଲାମାନଙ୍କୁ ମାଡ ମାରୁଥିବାରୁ ସେ ଫେରିବାକୁ ମନା କରିଦେଇଥିଲେ।

ଶେଷରେ କୁଲଦୀପ କ୍ରୋଧିତ ହୋଇ ସୋମବାର ବିଳମ୍ବିତ ରାତିରେ ନିଜ ପତ୍ନୀ ଏବଂ ପରିବାର ଲୋକେ ଶୋଇଥିବା ବେଳେ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା। କୁଲଦୀପ ସହ ତାର ଦୁଇ ସହଯୋଗୀ ମିଶି କୋଠରୀ ବାହାରୁ ତାଲା ପକେଇବାରୁ ସେମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ ଏବଂ ସମସ୍ତେ କୋଠରୀରେ ଜୀବନ୍ତ ଦଗ୍ଧ ହୋଇଗଲେ।

ଜଳନ୍ଧର ପୋଲିସ ଅଧୀକ୍ଷକ ସତ୍ୟବଜିତ ସିଂ କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ପରମଜିତ୍ କୌର, ତାଙ୍କ ପିତା ସୁରଜନ ସିଂ, ମାତା ଯୋଗୀନ୍ଦ୍ରା ଏବଂ ତାଙ୍କର ଦୁଇ ସନ୍ତାନ, ୮ ବର୍ଷୀୟ ଅର୍ଶଦୀପ ଏବଂ ୫ ବର୍ଷୀୟ ଅନମୋଲ ବୋଲି ଜଣାପଡିଛି। ଘଟଣାଟି ଘଟିବା ପରେ ଅଭିଯୁକ୍ତ ନିଆଁ ଲଗାଇଥିବା ନିଜେ ସ୍ୱୀକାର କରି ଘଟଣାସ୍ଥଳରୁ ଫେରାର ହୋଇଛି। ଏନେଇ ପୋଲିସ କହିଛି ଯେ ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିବା ସହ ତା ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

Comments are closed.