Latest Odisha News

ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନସିପ: ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡର ବର୍ମିଂହାମଠାରେ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନସିପ୍ ୨୦୧୯ର ଭାରତୀୟ ଦଳରେ କିସ୍ ଛାତ୍ର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି ।

ଭାରତୀୟ ୪୬କେଜି ବିଶିଷ୍ଟ ପ୍ରି-କ୍ୟାଡେଟ୍ ବାଳକ ବିଭାଗରେ ନିତ୍ୟା ମନୋନୀତ ହୋଇ ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ନିକଟରେ ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀ କୋଟଲାସ୍ଥିତ ନ୍ୟାସନାଲ୍ ବାଲ୍ ଭବନଠାରେ ଭାରତୀୟ ଜୁଡୋ ଫେଡେରେସନ୍ ପକ୍ଷରୁ ଅନୁଷ୍ଠତି ପ୍ରଶିକ୍ଷଣ ଓ ଚୟନ ଶିବିରରେ ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀର ଜୁଡ଼ୋକାମାନଙ୍କୁ ହରାଇ ନିତ୍ୟା ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି ।

ନିତ୍ୟା ଏବେ କିସର ୧୦ମ ଶ୍ରେଣୀରେ ଅଧ୍ୟୟନରତ । ଏହା ପୂର୍ବରୁ ସେ ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଜାତୀୟସ୍ତରର ଜୁଡ଼ୋ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ୨୦୧୦ରେ ନିତ୍ୟା କିସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ । ୨୦୧୩ ମସିହାରୁ ସେ କିସର ଜୁଡ଼ୋ କୋଚ କନ୍ଦନ ମୁର୍ମୁଙ୍କଠାରୁ ନିୟମିତ ଜୁଡ଼ୋ ପ୍ରଶିକ୍ଷଣ ନେଇ ଆସୁଛନ୍ତି ।

ଚଳିତବର୍ଷ ଇଂଲଣ୍ଡ ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନସିପ୍ ଆୟୋଜନ କରୁଛି । ଏଥିରେ ପ୍ରି-କ୍ୟାଡେଟ୍, କ୍ୟାଡେଟ୍, କନିଷ୍ଠ, ବରିଷ୍ଠ, ଅନୁଭବୀ ଓ ଦୃଷ୍ଟି ଦିବ୍ୟାଙ୍ଗ ଜୁଡ଼ୋକାଙ୍କୁ ନେଇ ହଜାରେରୁ ଅଧିକ ଖେଳାଳି ଯୋଗଦେବେ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁରୁଡ଼ିମାହା ଗ୍ରାମର ଏକ ଗରିବ ଜନଜାତି ପରିବାରରୁ ଆସିଥିବା ନିତ୍ୟାଙ୍କ ବାପା ଆବ୍ରାହମ୍ ମାଝୀ କୃଷି ଶ୍ରମିକ ଭାବେ ଗୁଜୁରାଣ ମେଣ୍ଟାଇଥାନ୍ତି ।

ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ ନିତ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

Leave A Reply

Your email address will not be published.