Latest Odisha News

ପିମ୍ପୁଡ଼ି

ପିମ୍ପୁଡ଼ି

ରଜନୀକାନ୍ତ ମହାନ୍ତି

ଖସ୍ ଖସ୍ ଶବ୍ଦ କରି ପତ୍ରଟି ଭୂଇଁ ଉପରେ ଖସି ପଡ଼ିଲା । ଠିକ୍ ଶ୍ୱେତାଙ୍କର ଦେହକୁ ଲାଗି । ଶ୍ୱେତାଙ୍କ ଚମକି ପଡ଼ିଲା ନି । ଆଶ୍ଚର୍ଯ୍ୟ ବି ହେଲା ନି । କିନ୍ତୁ ଏ ଶୁଖିଲା ପତ୍ରଟି ତା ମନର ନୀଳ ହ୍ରଦରେ ଯେ ଧଳା ନୌକାଟିଏ ଭସେଇ ଦେଇ ନ ଗଲା, ତା ନୁହେଁ । ଉପରେ ବେବାକ୍ ଜହ୍ନ । ରୋଷଣୀ ସାରା ସହର, ସାରା ପ୍ରାନ୍ତର, ସାରା ଆକାଶରେ । ବରଗଛର ପତ୍ରସନ୍ଧିରୁ କିରଣ-ବର୍ଷା ଝରି ପଡ଼ୁଛି । ଅଖାଡ଼ୁଆ ପବନ କାହିଁ କାହିଁ ବୁଲି ଆସୁଛି, ଅଥଚ ପତ୍ର ଶୁଖି ଯାଉଛି! ଝଡ଼ି ପଡ଼ୁଛି! ୟା ସମ୍ଭବ! ଶ୍ୱେତାଙ୍କ ସେହି ଗଛମୂଳେ ବସିଛି । ସହରତଳିଠାରୁ ଅଧ ଫର୍ଲଂଗ ଦୂରରେ ଏଇ ପଡ଼ିଆ । ବରଗଛ । ଜହ୍ନପକ୍ଷ ରାତିରେ ଠିକ୍ ଆଠଟା ବେଳକୁ ହୋଟେଲରୁ ଖାଇ ଦେଇ ଶ୍ୱେତାଙ୍କ ସହରରୁ ସାଇକେଲ ମାରି ଚାଲିଆସେ ଏଇ ପଡ଼ିଆକୁ । ବରଗଛ ମୂଳକୁ । ରାତି ସାଢ଼େ ଦଶ, ଏଗାର ବେଳକୁ ଫେରିଆସେ ବସାକୁ । ନିୟମିତ ଭାବରେ ସେ ଆସେ । କିନ୍ତୁ ଏ ଯାବତ୍ ଶୁଖିଲା ପତ୍ରଟିଏ ଏମିତି ଏକ ରାତିରେ ଖସିବା କଥା, ସେ ଅନୁଭବ କରି ନଥିଲା, ପୁଣି ଖସିଲା ବେଳକୁ କିଛି ଶବ୍ଦ ସୃଷ୍ଟି କରି । ଗଛରୁ ଶୁଖିଲାପତ୍ର ଖସିଲେ ଶବ୍ଦ ହୁଏ? ଶବ୍ଦ! ଗଛରୁ ପତ୍ର ଜନ୍ମ ହେବ ନୀରବରେ- ଝଡ଼ିବ ଶବ୍ଦରେ । ଆଉ ମଣିଷ? ଆଉ ଶେତାଙ୍କ! ଜନ୍ମ ହେବ ଶବ୍ଦରେ । ଝଡ଼ିବ ନୀରବରେ, ଏକାନ୍ତରେ, କାହାକୁ ନ ଜଣେଇ, ନଶୁଣେଇ । ଶ୍ୱେତାଙ୍କ ସାମାନ୍ୟ ବିମର୍ଷ ହେଲା । ପତ୍ରଟିକୁ ଗୋଟାଇ ଆଣିଲା । ପକେଟରେ ପୂରାଇଲା । ଏମିତି ଏକ ଶାନ୍ତ ଜହ୍ନ-ଲଳିତ ରାତିରେ ଝଡ଼ାପତ୍ର ଏକ କୃତିତ୍ୱ ନୁହେଁ?

ରାତି ଜହ୍ନଳିଆ ହେବା, ଏମିତି ଏକ ରାତିରେ ବି ଗଛରୁ ଶିଖିଲା ପତ୍ର ଝଡ଼ିବା, ଶ୍ୱେତାଙ୍କ ପ୍ରତି ରାତିରେ ବରଗଛମୂଳେ ବସିବା, ଝଡ଼ାପତ୍ରକୁ ଏମିତି ଏକ ରାତିର କୃତିତ୍ୱ ବୋଲି ଗ୍ରହଣ କରି ତାକୁ ପକେଟରେ- ଏତିକିରେ ସନ୍ତୁଷ୍ଟ ହୋଇ ଗଳ୍ପ ଶେଷ କରିବା ଶ୍ୱେତାଙ୍କ ପକ୍ଷେ ସମ୍ଭବ ନୁହେଁ । କାରଣ ଗଳ୍ପକୁ ସଂକ୍ଷିପ୍ତ, କ୍ଷୁଦ୍ର କରି ଜୀବନକୁ ସୀମିତ, କ୍ଷୁଦ୍ର କରିବା ସପକ୍ଷରେ ଶ୍ୱେତାଙ୍କ ନୁହେଁ । ସେଥିପାଇଁ ପତ୍ରିକାର ସମ୍ପାଦକମାନେ ଶ୍ୱେତାଙ୍କର ଗଳ୍ପକୁ ଫେରାଇଦେଇ, ଅପେକ୍ଷାକୃତ ଛୋଟ ଗଳ୍ପ ପଠାଇବା ପାଇଁ ଯେତେବେଳେ ଲେଖି ଜଣାଇ ଦିଅନ୍ତି, ଶ୍ୱେତାଙ୍କ କେବଳ ଚୁପ୍ ରହେ; ମୋ ଗଳ୍ପ ବରଂ ଅପ୍ରକାଶିତ ରହୁ, ଜୀବନ ବରଂ ଅପ୍ରକାଶ୍ୟ ହେଉ, ଅପେକ୍ଷାକୃତ ସଂକ୍ଷିପ୍ତ ଗଳ୍ପ, ଅପେକ୍ଷାକୃତ ସଂକ୍ଷିପ୍ତ ଜୀବନ ଅନ୍ତତଃ ମୋ ଦ୍ୱାରା ସମ୍ଭବ ନୁହେଁ । ଜୀବନ ଯେଉଁଠି ଅଟକି ଯାଉଛି, ଶବ୍ଦ ସେଇଠି ଅପେକ୍ଷା କରି ଯାଇଛି।

ଅବଶ୍ୟ ଶ୍ୱେତାଙ୍କ ସନ୍ତୁଳିତ ହୁଏ, ନିଜେ ଅପ୍ରକାଶିତ ରହିବାର ଯନ୍ତ୍ରଣାରେ । ଏମିତିକା ନିର୍ଜନ ଅନ୍ଧାର କୋଠରିରେ ସୁଦୀପାକୁ ଏକାନ୍ତରେ ପାଇ ବି ଚୁମାଟିଏ ଦେଇ ପାରେନା । ତା’ର ସାହସ ହୁଏନା । କାଳେ ସୁଦୀପା ସେଥିପାଇଁ ପ୍ରସ୍ତୁତ ନଥିବ! ସବୁ ଅଚାନକ ଘଟଣାଗୁଡ଼ିକୁ ଶ୍ୱେତାଙ୍କ ଏକ ଆକ୍ରମଣ ବୋଲି ଗ୍ରହଣ କରିନିଏ । ସେଥିପାଇଁ ସେ ଖୁବ୍ ଅବ୍ୟକ୍ତ, ଖୁବ୍ ଅପ୍ରକାଶିତ । ଅଥଚ ତାରି ସାମ୍ନାରେ ସେ ଦେଖୁଛି ପଡ଼ିଆଠାରୁ କିଛି ଦୂରରେ ଠିକାଦାରର ରାସ୍ତାକାମ କରୁଥିବା ପ୍ରାୟ କୋଡ଼ିଏ ପଚିଶ ଜଣ ପୁରୁଷ ଓ ସ୍ତ୍ରୀ ଗୋଟିଏ ପଲାରେ ଏକାଠି ରହୁଛନ୍ତି । ରାତିରେ ବି ସେଇ ଗୋଟିଏ ପଲାରେ ସ୍ୱାମୀ-ସ୍ତ୍ରୀ ସହ-ଯାପନ କରୁଛନ୍ତି । କି ବ୍ୟସ୍ତ ସେମାନେ! ସେମାନଙ୍କ ପାଖରେ ଶବ୍ଦ କି ଛଳ ଛଳ, କି ଗତିଶୀଳ!

ଏଇଠି ବି ଶ୍ୱେତାଙ୍କର ଗଳ୍ପ ଶେଷ ହୋଇପାରୁନି । ଶେଷ ହୋଇପାରିବନି ବୋଲି ଆରମ୍ଭ ହେବାରେ ଏତେ ବିଳମ୍ବ । ନିଜ କଥା କେଉଁଠୁ ଓ କେମିତି ଆରମ୍ଭ କରିବ, କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନି ବୋଲି ଅନ୍ୟ କଥାରେ ଓ ପ୍ରକାରାନ୍ତରେ ତା’ର ଗଳ୍ପ ବେଶୀ ଭାସି ଯାଉଛି- ଅସଂଲଗ୍ନ ହୋଇ ପଡ଼ୁଛି । ତେଣୁ ଅନ୍ୟମାନଙ୍କ କଥା ଶୁଣି, ଅନ୍ୟମାନଙ୍କ ମନ ଜାଣି, ଅନ୍ୟମାନଙ୍କ ଗଳ୍ପ ପଢ଼ିନିଜେ ବଞ୍ଚିଯାଏ । ନିଜେ ଗଳ୍ପ ଲେଖିଯାଏ ।

ଗଳ୍ପ ୧:

ଶ୍ୱେତାଙ୍କ! ତୁ ଘର ପ୍ରତି ଏତେ ଉଦାସୀନ କାହିଁକି? କ’ଣ ହେଇଚି ତୋର । ତୁ ଘରକୁ ବଡ଼ ପୁଅ । ଅନ୍ୟମାନଙ୍କଠାରୁ ତୁ ନିଜକୁ ବେଶୀ ଦାୟିତ୍ୱପୂର୍ଣ୍ଣ ବୋଲି ଭାବିବା କଥା । କିନ୍ତୁ ତୋ ହାଭଭାବରୁ ମୁଁ ଠଉରେଇଛି, ଏ ଘର ଉଜୁଡ଼ିଯିବ । ଭାସି ଯିବ । ତୁ ଏତେ ନିଷ୍କ୍ରିୟ କାହିଁକି? ଚାରି ବର୍ଷ ହେଲା ଚାକିରି କଲୁଣି । କେଉଁ ମାସ ପଚାଶ ଶଏ ଘରକୁ ପଠାଇଦଉଛୁ ତ କେଉଁ ମାସ ନାହିଁ । ସେଥିରେ ମୁଁ ତୋତେ ପଦେ ହେଲେ କିଛି କହିନାହିଁ । ଲେଖିନାହିଁ । ହେଲେ, ଆଉ ନ ଚଳେ । ଆଉ ବର୍ଷକ ପରେ ମୁଁ ରିଟାୟାର୍ କରିବି । ତାପରେ ଏ ଘର ହବ କ’ଣ? ତୋ ତଳେ ଆହୁରି ଭାଇ ଭଉଣୀ ସାତ ଜଣ । ସେମାନେ କେମିତି ମଣିଷ ହେବେ? ତୁ କ’ଣ ଘର ଦାୟିତ୍ୱ ମଥାକୁ ନେବୁ ନାହିଁନା! ରୋହିତ କହୁଚି: ଭାଇ ଚାକିରି କରି ଆରାମରେ ରହୁଛି । ଆମ କଥା ତାର ମୋଟେ ମନେ ପଡ଼ୁନି । ଅଫିସରୁ ଆସିଲା ପରେ କ’ଣ ଗୁଡ଼ାଏ ଗାରଉଛି । ତାକୁ ପତ୍ରିକାକୁ ଉଠାଉଛି- ନିଜ ହାତରୁ ପଇସା ଖର୍ଚ୍ଚ କରି । ତା ଭଳିଆ କେତେଜଣ କାମଦାମ ନଥିବା, ଦିନରାତି ବହି ପଢ଼ୁଥିବା, କାଗଜ କଲମ ଧରି ଗାରଉଥିବା ଲୋକଙ୍କୁ ସାଙ୍ଗ କରି, ସେମାନଙ୍କୁ ଖାଇବା ପିଇବା ଦେବାରେ ବହୁତ ପଇସା ଖର୍ଚ୍ଚ କରୁଛି । ଆମ କଥା ମନେ ପଡ଼ିବାକୁ ତା’ର ସମୟ କାହିଁ? ଏଣିକି ତା ସହ ଆମର ସଂପର୍କ ନାହିଁ । ମୋର ଗୋଟେ ବଡ଼ଭାଇ ଅଛି ବୋଲି ମୁଁ କାହିଁ ଅନୁଭବ କରିପାରୁନି ।

ଶ୍ୱେତାଙ୍କ! ତିନି ବର୍ଷ ହେଇଗଲା ସଞ୍ଜୁର ବାହାଘର କରିବା କରିବା ବୋଲି ହେଇ ପାରିଲାନି । ବାହାଘରକୁ କେତେ ଟଙ୍କା ତୁ ଦେଇପାରିବୁ, ଏଯାଏଁ ମୋତେ ଜଣେଇଲୁନି । ସଞ୍ଜୁ ଆଉ ବାହା ହବନି ବୋଲି କହିଲାଣି । ପ୍ରଜାପିତା ବ୍ରହ୍ମା କୁମାରୀ ଅଶ୍ରମକୁ ନିତି ଯିବାଆସିବା କରୁଛି । ମୁଁ ତାକୁ ବି ମନା କରିପାରୁନି । କେମିତି ମନା କରିବି? ଅଠେଇଶି ପୂରି ଗଲାଣି ତାକୁ ଅଥଚ ତାର ବାହାଘର ହୋଇ ପାରିଲାନି । ତାକୁ କିଛି କହିବାକୁ ମୋର ମୁହଁ ଅଛି? ତା ବୋଉ ତାକୁ ଥରେ ଦୁଇ ଥର ମନା କଲାଣି । ସେ କିନ୍ତୁ କହିଲା- ସେ ସଂସାର ଅପେକ୍ଷା ଏ ସଂସାରରେ ଖୁବ୍ ଶାନ୍ତି ଅଛି ବୋଉ!

ତୋ ବୋଉ ହଠାତ୍ ଡାକ୍ତରଖାନାରେ ପଡ଼ିଲା । ସେଥିପାଇଁ ଯୋଉ ଦହଗଞ୍ଜ, ଯୋଉ ଯନ୍ତ୍ରଣା ଭୋଗିଛି, ମୁଁ ଜାଣେ । ତୋ ବୋଉର ସ୍ୱାସ୍ଥ୍ୟ କଦଳୀ ପତ୍ର ପରି ହୋଇଯାଇଛି । ଏ ମାସରେ କିଛି ଟଙ୍କା ପଠାଇବୁ । ଏଟା ମାର୍ଚ୍ଚ ମାସ, ଫିଲ୍ଡ଼ ଷ୍ଟାଫମାନେ ଟି.ଏ., ଔଷଧ ଖର୍ଚ୍ଚ, ଆସବାବ ଖର୍ଚ୍ଚ ବାବଦକୁ ଯାହା ପାଆନ୍ତି, ତା’ର କିଛି ପର୍ସେଣ୍ଟ କିରାଣୀମାନଙ୍କୁ ଦିଅନ୍ତି ବୋଲି ମୁଁ ଜାଣେ । ମୁଁ ଭାବୁଛି, ସେ ବାବଦକୁ ତୁ ବି କିଛି ପାଇବୁ । ମୋ କଥାକୁ ମନରେ ହେଜ । ବଡ଼ ପୁଅ ବୋଲି ପଛକୁ ସମସ୍ତେ ତୋତେ ଦୋଷ ଦେବେ । ସେ ଲେଖାଲେଖିରୁ ଆମକୁ କ’ଣ ମିଳିବ, କହିଲୁ? କାହାର ବା କି ଲାଭ ହେବ ସେଥିରୁ? କେବଳ ଇତିହାସରେ ଦି’ ଧାଡ଼ି ନାଁ ରହିବା ବ୍ୟତୀତ । ବରଂ ରାତି ଅନିଦ୍ରା ରହି ଦେହ ଖରାପ କରୁଛୁ । ଅର୍ଥ ଶ୍ରାଦ୍ଧ କରୁଛୁ ।

ଏହି ଗଳ୍ପରୁ ଶ୍ୱେତାଙ୍କ ଆହରଣ କଲା ତା ଗାଁ ସାଙ୍ଗ ଶରତ ଚିଠିର ଗଳ୍ପାଂଶ: ମାଉସୀଙ୍କ ନବମ ଗର୍ଭ ଛଅ ମାସରେ ନଷ୍ଟ ହୋଇଯାଇଛି । ଗାଉଁଲୀ ଟୁଣୁକା ଟୁଣିକିରେ ଗର୍ଭପାତ କରାଇଦିଆଗଲା । ଏହା ବୋଧେ ତୁ’ ଜାଣି ନଥିବୁ । କିନ୍ତୁ ଗର୍ଭପାତ ପରେ ମାଉସୀ ଖୁବ୍ ସିରିଅସ୍ ହୋଇଗଲେ । ତାଙ୍କୁ ଡାକ୍ତରଖାନା ନିଆଗଲା । ବିଚରା ମଉସା ଅନ୍ୟ ଉପାୟ ନ ପାଇ, ଅନିଚ୍ଛା ସତ୍ୱେ ଫେମିଲି ପ୍ଲାନିଂ ଅପରେଶନ୍ ହେଲେ । ତାହା ପୁଣି ଦୁଇଟି ସନ୍ତାନର ଜନକ ରୂପେ । ଡାକ୍ତରଙ୍କୁ ବହୁତ ତେଲାତେଲି କଲି । କାହିଁକି ଜାଣୁ? ଦୁଇଟି ସନ୍ତାନର ଜନକ ରୂପେ ଅପରେସନ ହେଲା ପରେ ଯେଉଁ ଅର୍ଥ ତାଙ୍କୁ ପ୍ରାପ୍ୟ ହେଲା, ସେଇ ଅର୍ଥରେ ମାଉସୀଙ୍କ ଚିକିତ୍ସା ହେଲା । ମଉସାଙ୍କ ପକ୍ଷେ ମାଉସୀଙ୍କୁ ବଞ୍ଚାଇବାର ଏହା ଥିଲା ଏକମାତ୍ର ଉପାୟ! ଶ୍ୱେତଙ୍କ! ୟାକୁ ତ୍ୟାଗ କୁହାଯିବ ନି କି? ଅଥଚ ତୁ ଘରପ୍ରତି ଏତେ ଉଦାସୀନ, ଏତେ ନିଷ୍ପୃହ କାହିଁକି । କ’ଣ ତୋର ହେଇଚି? ସାହିତ୍ୟ-ରାଜ୍ୟରେ ଡୁବି ଗଲେ ମଣିଷ ଏତେ ନିରାସକ୍ତ, ନିଃସଙ୍ଗ ହୋଇପଡ଼େ, ଏକଥା ମୁଁ ତ ମୋଟେ ଶୁଣିନି । ସତରେ ତୋର ହେଇଚି କ’ଣ? ତୁ କ’ଣ ଏକବାରେ ଚିନ୍ତାଶୂନ୍ୟ, ଦାୟିତ୍ୱଶୂନ୍ୟ?

ଶରତର ଚିଠି ପାଇ ଶ୍ୱେତାଙ୍କ ଯେ ତା’ବାପାର ନିରୂପାୟ, ଅସହାୟତାରେ କାନ୍ଦୁଣୁ ମାନ୍ଦୁଣୁ ହୋଇ ହଠାତ୍ ଅଫିସରୁ ବସାକୁ ଚାଲି ଆସି ନଥିଲା ନୁହେଁ, କିନ୍ତୁ ଦାୟିତ୍ୱ, ଚିନ୍ତା ପ୍ରଭୃତି ଶବ୍ଦରେ ତା ମନ ବିଚଳିତ ହୋଇନଥିଲା । ସେ ଯନ୍ତ୍ରଣାକୁ, ଲୁହକୁ ଏତେ ଆନ୍ତରିକ ଭାବରେ ଅନୁଭବ କରିଥିଲା ଯେ ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲା । ତା’ଛାତିରେ ଏତେ ଯନ୍ତ୍ରଣା ବରଫ ପାଲଟି ଯାଇଥିଲା, ସତରେ? ଅଥଚ ସେ ତାକୁ ବୁଝିପାରି ନଥିଲା? ଯେମିତିକି ଦୁନିଆରେ ବୁଝିବାକୁ ଆଉ କିଛି ନାହିଁ । ବୁଝିବା ଭିତରେ ଦୁନିଆ ଆଉ ଗତି କରୁନି । ଶ୍ୱେତାଙ୍କ ବି ଶରତକୁ ଚିଠି ଲେଖି କିଛି ବୁଝାଇ ପାରିଲା ନି । ହୁଏତ ମଣିଷ ଅନ୍ୟକୁ କିଛି ବୁଝେଇବାର କ୍ଷମତାଟି ହରାଇ ସାରିଚି ସେଇଦିନୁ, ଯେଉଁ ଦିନ, କିଛି ବୁଝିବାକୁ ଚେଷ୍ଟା କରି ବିଶ୍ୱର ସୌନ୍ଦର୍ଯ୍ୟରେ ସେ ନିଜେ ମୋହିତ ହେଲା । ନିଜକୁ ନିଜେ ଭୁଲିଗଲା, ଭୁଲି ଯିବାରେ ଆଚ୍କା ମାଚ୍କା ହେଲା । ଶ୍ୱେତାଙ୍କ ନିଜକୁ ନିଜେ ବାରମ୍ବାର ପ୍ରଶ୍ନ କରେ: ସତରେ କ’ଣ ମୁଁ ଦାୟିତ୍ୱହୀନ, ଖୁବ୍ ଉଦାସୀନ! ନିଜକୁ ନିଜେ ବିଶ୍ଳେଷଣ କରିବା ବ୍ୟତୀତ ଅନ୍ୟ କିଛି ଦାୟିତ୍ୱ ମୁଁ ଗ୍ରହଣ କରିନି?

ଏମିତି ପ୍ରଶ୍ନ ପାଖରେ ଶ୍ୱେତାଙ୍କ ଅଟକି ଯାଇଛି । ଆଉ ଆଗେଇ ପାରିନି । ତେଣୁ ୟା ପରେ ଯାହା କିଛି ସମ୍ଭବ, ତା’ କେବଳ ପ୍ରଶ୍ନ ମଧ୍ୟରେ ଉବୁ ଟୁବୁ ହେବା କଥା, ଯାହା ଆଉ ଗଳ୍ପ ହୋଇ ପାରିବନି । ଯେହେତୁ ଏମିତି ଏକ ପ୍ରଶ୍ନର ଊଦ୍ଧ୍ୱର୍ରେ କୌଣସି ଗାଳ୍ପିକ ଦାୟିତ୍ୱବାନ୍ ହୋଇନପାରେ ।

ଗଳ୍ପ ୨:

ତମେ ସେହି ଶ୍ୱେତାଙ୍କ ନାଁ? ତମ ଲମ୍ବା ମୁହଁରେ ସେ ସରୁ ନିଶ, ଭୃକୁଟିର ଗହଳ ଲୋମ ସେମିତି ଅଛି ନା? କଥା କଥାକେ ଆଗ ଭଳି ତମେ ହସି ଦଉଚ ନା? ଗାଁରେ ଥିଲାବେଳେ ପର୍ବ-ପର୍ବାଣୀମାନଙ୍କରେ ଘର ଘରକା ବୁଲି ସାଇ ଛୁଆଙ୍କୁ ରୁଣ୍ଡାଇ ଯାତ ଦେଖି ଯିବାଲାଗି ହୋ ହଲ୍ଲା କଲାଭଳି ସେଠି ବି ସେମିତି କରୁଛ ନା? ମାସକୁ ଥରେ ଘର ଘରକା ବୁଲି ଡାଲି ଚାଉଳ ଆଦାୟ କରି ସେଠି ବି ସେମିତି ବଣଭୋଜୀ କରୁଛ ନା? ତମେ ରାଗି ଗଲେ ଦୁଇ ତିନି ଓଳି ଉପାସ ରହିଯାଅ, ମୁଁ ରାଣ ନିୟମ ପକାଇଲେ ତମର ରାଗ ଭାଙ୍ଗେ । ବେଳେ ବେଳେ ରାଣନିୟମ ପକାଇବା ପାଇଁ ତମେ ଜାଣି ଜାଣି ମିଛୁଟାରେ ବି ରାଗିଯାଅ, ନୁହେଁ? ସେଠି ବି ସେମିତି ରାଗି ଯାଉଛ ନା ନାହିଁ? ମୋ ଭଳି କେହି ରାଣ ନିୟମ ପକାଉଛନ୍ତି ନା ନାହିଁ! ତମେ ସେହି ଶ୍ୱେତାଙ୍କ ନା?

ତମ ହାବ ଭାବରୁ ମୁଁ ଜାଣୁଛି, ମୋ ପ୍ରତି ତମର ସେ ଅନୁରକ୍ତି ନାହିଁ । ଛଅ ମାସ ହେଲା ତମଠାରୁ ଚିଠିଟିଏ ପାଇନି, ଯଦିଓ ପ୍ରତିମାସ ମୁଁ ତମକୁ ଚିଠି ଲେଖୁଛି । ଏକଥା ବି ମୁଁ ଜାଣି ପାରୁଛି ଯେ ଏ ସୁଦୀପା ପାଖକୁ କେବଳ ନୁହେଁ, ଆଉ କୌଣସି ସୁଦୀପା ପାଖକୁ ବି ତମେ ଚିଠି ଲେଖି ପାରିନଥିବ । ଗୋଟେ ଝିଅ ପାଖରୁ ଚିଠି ପାଇ ତମ ଭଳି ଅବିବାହିତ ପୁରୁଷ କେମିତି ନୀରବ ରହି ପାରୁଛି କେଜାଣି? ତମେ ଏମିିତ କେମିତି ହେଲ ଶ୍ୱତାଙ୍କ! କ’ଣ ତମ ଜୀବନରେ କିଛି ଦୁର୍ଘଟଣା ଘଟିଛି! ତମ ଛାତିରେ କିଛି ଅବ୍ୟକ୍ତ ଅଥଚ ଭୟଙ୍କର ଯନ୍ତ୍ରଣା ରହିଛି? କ’ଣ ହେଇଛି ତମର?

ଏମିତି ତ ଶହେଥର ପ୍ରଶ୍ନ କରିଛି । ଅଥଚ ସେଇ ପ୍ରଶ୍ନ ହିଁ ଉତ୍ତର ହୋଇ ମୋ ପାଖକୁ ବାହୁଡ଼ି ଆସିଛି । ସଞ୍ଜୁ ଅପା ସନ୍ନ୍ୟାସୀନୀ ହୋଇଗଲାଣି । ତମେ ଜାଣ? ସେଥିପ୍ରତି ତମର ଲକ୍ଷ୍ୟ ଅଛି? ତମେ ପା’ ତାର ଭାଇ! ତାର ବାହାଘର କଥା ତମ ମୁଣ୍ଡକୁ ପଶିନି ବୋଧେ! ତାକୁ ପଚାରିବାରୁ ସେ କହୁଚି: ମୁଁ ଜାଣେ ବାପା, ସାନ ଭାଇ ମୋର ବାହାଘର କରିବା ପାଇଁ ଅକ୍ଷମ । ମୁଁ ନିଜେ ବି ନିଜ ପାଇଁ ଯୋଗାଡ଼ କରି ପାରିଲିନି । ସେମିତି ସାହସ ମୋର ହେଲାନି । ଠକିଯିବା ଭୟରେ ଡରିଗଲି । ଖାଲି ବାପା, ପରିବାରର ସମ୍ମାନକୁ ଜଗି କାହାରି ସାଙ୍ଗରେ ପଳେଇ ଯାଇ ପାରିଲିନି । ସେ ମାନସିକ ପ୍ରସ୍ତୁତି ଏବେ ଆଉ ମୋର ନାହିଁ । ଆଉ କରନ୍ତି କ’ଣ? ସନ୍ୟାସିନୀ ହେଇଯିବାଟା ମୋର ଏକ ଛଳନା, ଗୋଟେ ଅଭିନୟ । ସତ, କିନ୍ତୁ ଗୋଟେ ଆଶ୍ରୟତ? ଶୁଣିଲ ତ ଶ୍ୱେତାଙ୍କ! ଏଥର କୁହ, ସଞ୍ଜୁ ଅପାର ତମ ପରିବାର ପ୍ରତି ଏହା କ’ଣ ଏକ ତ୍ୟାଗ ନୁହେଁ!

ଏଯାବତ୍ ଶ୍ୱେତାଙ୍କ ଖାଲି ଯନ୍ତ୍ରଣା ଓ ତ୍ୟାଗର କାହାଣୀମାନ ଶୁଣି ଆସିଛି । ଯେମିତି ସମଗ୍ର ମାନବ ସଭ୍ୟତା କେବଳ ଯନ୍ତ୍ରଣା ଓ ତ୍ୟାଗ ଇତିହାସରେ ଖୁନ୍ଦି ହେଇଯାଇଛି । ନିବୁଜ ହୋଇ ଯାଇଛି । ତାକୁ ଡେଇଁ ଏ ବିଶ୍ୱରେ ଆଉ କିଛି ଯେମିତି ସମ୍ଭବ ନୁହେଁ । ହୁଏତ ଏହି ଯନ୍ତ୍ରଣା ଓ ତ୍ୟାଗର କାହାଣୀମାନ ହିଁ ଶ୍ୱେତାଙ୍କକୁ ନିର୍ମୋକ, ନିସ୍ତେଜ କରି ଦେଇଛି । ଯୁଆଡ଼େ ଚାହଁ- ସେଠି ଖାଲି ଯନ୍ତ୍ରଣା ଓ ତ୍ୟାଗର ବିଭାଷା, ତେବେ ଜୀବନର ଏତେ ବିଭକ୍ତି କାହିଁକି? ଏତେ ବିକୃତି କାହିଁକି? ଶ୍ୱେତାଙ୍କ କିଛି ବୁଝିପାରେ ନା । ଖାଲି ଜଳ ଜଳ ଚାହେଁ । ଭରସି ଆଗତୁରା କାହାକୁ କିଛି ପଚାରି ପାରେନା । ତା ନିକଟରେ କେହି ପଡ଼ୋଶୀ ନୁହନ୍ତି, ସମସ୍ତେ ଗୋଟେ ଗୋଟେ ଅପରିଚିତ ଆଗନ୍ତୁକ! ଷ୍ଟ୍ରେଂଜର!!

ଗଳ୍ପ ୩:

ବହୁ କଷ୍ଟରେ ଶ୍ୱେତାଙ୍କ କିରାଣୀ ଚାକିରିଟିଏ ଯୋଗାଡ଼ କରିଛି । ତାହା ପୁଣି ଦୁଇ ହଜାର ଟଙ୍କାର ଲାଞ୍ଚରେ । ସେ ଲାଞ୍ଚକୁ ବି ସେ ଲାଞ୍ଚ ବୋଲି ଧରେନା । ଆବଶ୍ୟକତା ବୋଲି ଧରି ନେଇଛି । ସେ ଭାବେ ଏମିତି ସ୍ତରକୁ ଆମ ସଭ୍ୟତା ଉନ୍ନତି କରିପାରିଛି ନୁହେଁ, ବରଂ ଜାତୀୟ ଜୀବନର ମାପକାଠି ଏଇଠି ସଂଯୋଜିତ ହୋଇଯାଇଛି । ଲାଞ୍ଚ ଦେଲାବେଳେ ଶ୍ୱେତାଙ୍କ ପଚାରିଥିଲା; ଲାଞ୍ଚ ନ ଦେଲେ ହେବନି? ଉତ୍ତର ମିଳିଥିଲା- ହଜାର ହଜାର ଯୁବକ ବେକାର ଥିଲାବେଳେ ତମେ ଚାକିରି ପାଇଯିବା ତୁମର କ’ଣ ସୌଭାଗ୍ୟ ନୁହେ? ବରଂ ଭାବିନିଅ ଏତେ ଦିନ ବେକାର ଥିଲି, ନହେଲେ ଆଉ ଛଅ ମାସ ବେକାର ଅଛି । ବାସ୍ ! ଛଅ ମାସର ଦରମା ତ ଦୁଇ ହଜାର ଟଙ୍କା! ଶ୍ୱେତାଙ୍କ ବି ସେୟା ଭାବିନେଲା । ଭାବି ନେବାରେ ଅବଶ୍ୟ ଯନ୍ତ୍ରଣା ଥିଲା । କିନ୍ତୁ ନ ଭାବିବାର ଉପାୟ କାହିଁ? ଏ ଜବରଦସ୍ତି ଶତାବ୍ଦୀରେ ଜବରଦସ୍ତି ଭାବନାକୁ ଏଡ଼ାଇ ବା ହବ କେମିତି?

ଚାକିରି ପାଇବା ଦିନଠାରୁ ଶ୍ୱେତାଙ୍କର ଆଉ ଏକ ଭାବନା- ଚାକିରିକୁ ସବୁବେଳେ ବଞ୍ଚାଇ ରଖିବା! ଯେକୌଣସି ପରିସ୍ଥିତିରେ ଚାକିରିକୁ କରଛଡ଼ା ନ କରିବା । ଏକ ବୃହତ୍ତର ବେକାରୀ ରାଷ୍ଟ୍ରରେ ଚାକିରି ପାଇବା ଯେତିକି କଷ୍ଟ, ତାଠୁ କଷ୍ଟ ଚାକିରିକୁ ସବୁବେଳେ ବଞ୍ଚାଇ ରଖିବା । କାରଣ ସେ ଅନୁଭବ କରେ ଚାକିରିଟା କରଛଡ଼ା ହେଇଯିବାର ଷଡ଼ଯନ୍ତ୍ର ଯେମିତି ସବୁବେଳେ ତାକୁ ଘେରି ରହିଛି । ଚାରିବର୍ଷ କାଳ ଚାକିରି ପରିସରରେ ବି ସେ ଆତଙ୍କିତ ହୋଇ ରହିଆସିଛି ।

ଆଜି ସକାଳେ ଶ୍ୱେତାଙ୍କ ଆହୁରି ଆତଙ୍କିତ, ଯନ୍ତ୍ରଣାଜର୍ଜରିତ ହୋଇପଡ଼ିଛି । ମାର୍ଚ୍ଚମାସ ଅଧାଅଧି । ମାସ ଶେଷକୁ ସବୁ ଷ୍ଟାଫ୍ ତାଙ୍କର ବାକିଆ ପାଉଣା, ଟି.ଏ. ପାଇବେ । ସାରା ବର୍ଷର ଟି.ଏ. ସେମାନେ ମାର୍ଚ୍ଚମାସରେ ପାଆନ୍ତି । ସରକାରୀ ସାଙ୍କସନ୍ ଅଭାବରୁ ମାସକୁ ମାସ ଟି.ଏ. ପାଇ ପାରନ୍ତି ନାହିଁ । ଯାହା ପାଇବେ ବର୍ଷ ଶେଷରେ । ଗଣ୍ଡଗୋଳ ହେଲା ପର୍ସେଣ୍ଟ ଦିଆନିଆରେ । ହେଡ଼୍ ଅଫ୍ ଡିପାର୍ଟମେଣ୍ଟରେ ଦଶ ପର୍ସେଣ୍ଟ ନ ଦେଲେ ଟଙ୍କା ଆଲଟମେଣ୍ଟ ମିଳିବ ନି । ଏଟା ଜଣାଶୁଣା କଥା । ସେଠି କହିବାକୁ ବାଧ୍ୟ । ଅଫିସ୍ର କହନ୍ତି: ମୁଁ ଯଦି କୋଡ଼ିଏ ପର୍ସେଣ୍ଟ ନ ନେବି, ତା’ହେଲେ ଟୁର ଡାଏରୀ ଆପୃଭ୍ କରିବିନି । କାହିଁକି ବା କରିବ କୁହନା! ତମମାନଙ୍କର ଡାଏରୀ ତ ସବୁ ଫଲ୍ସ । କୋଡ଼ିଏ ପର୍ସେଣ୍ଟ ନେଲେ ମାସକୁ ଷୋଳ ସତରଟା ଲେଖାଏଁ ଡି.ଏ. ଆପ୍ରୁଭ କରିବି । ମୁଁ ଡ୍ରଇଁ ଆଣ୍ଡ ଡିସବର୍ସିଂ ଅଫିସର, ସବୁ ଦାୟିତ୍ୱ ମୋ ଉପରେ । ମୁଁ କାହିଁକି ନ ନେବି?

ଟ୍ରେଜେରୀ କଥା ତ ଛାଡ଼ । ସେ ସାତ ପର୍ସେଣ୍ଟ ନେବ ହିଁ ନେବ । ମାର୍ଚ୍ଚ ମାସରେ ଟ୍ରେଜେରୀ କିରାଣୀମାନଙ୍କର ମୁହଁ ଟଙ୍କାରେ ଧୁଆହୁଏ। ନ ହେଲେ ବିଲ୍ ଅବ୍ଜେକ୍ସନ୍ କରିଦେବେ । ଆଇନ୍, ନିୟମ ତ ହଜାରେ । ମାର୍ଚ୍ଚ ମାସ ଶେଷକୁ ରାତି ରାତି ଅନିଦ୍ରା ହୋଇ ଶହ ଶହ ବିଲ୍ ତିଆରି ହବ! ଭୁଲ ନିଶ୍ଚୟ ରହିବ । ପରସେଣ୍ଟ ନ ପାଇଲେ ସେମାନେ ଅବଜେକ୍ସନ୍ ସ୍ଲିପ୍ଟି ମାରି ଛାଡ଼ିଦେବେ । ଟଙ୍କା ଏନ୍କେଶ୍ ହବା ଅସମ୍ଭବ । ତେଣୁ ଟ୍ରେଜେରୀ ସହିତ ଗଣ୍ଡଗୋଳ ନ କରି ସାତ ପରସେଣ୍ଟ ତା’ ପାଇଁ ମୁଣ୍ଡରେ ମାରି ଥୋଇ ଦେବାକୁ ହବ ।

ସେଠୁ ଆସିଲା ଅଫିସର ବିଲ୍ କ୍ଲାର୍କ ଓ ଆକାଉଣ୍ଟାଣ୍ଟଙ୍କ କଥା । ଆକାଉଣ୍ଟାଣ୍ଟ ଅଡ଼ି ବସିଛନ୍ତି କୋଡ଼ିଏ ପରସେଣ୍ଟ । କିହୋ, ଆମେ କାହିଁକି ତମ ବିଲ୍ ସବୁ କରିବୁ? ହେଡ଼୍ ଅଫ୍ ଡିପାର୍ଟମେଣ୍ଟ ଆଲଟ୍ମେଣ୍ଟଟା ପଠେଇବ, ସେ ନବ ଦଶ ପରସେଣ୍ଟ । ଟ୍ରେଜେରୀ କିରାଣୀ ନାଲି ଟିକ୍ ଚିହ୍ନ ମାରିବ, ସେ ନବ କୋଡ଼ିଏ ପରସେଣ୍ଟ । ଆମେ କାହିଁକି ରାତି ଦିନ ଖଟି ତୁମର ସବୁ ବିଲ୍ ତିଆରି କରିବୁ? ଅଫସର ଆଖିବୁଜା ଦସ୍ତଖତ୍ ମାରିବ, ସେ ନବ କୋଡ଼ିଏ ପରସେଣ୍ଟ । ଆମେ କାହିଁକି ରାତି ଦିନ ଖଟି ତୁମର ସବୁ ବିଲ୍ ତିଆରି କରିବୁ? ଦାୟିତ୍ୱ ତ ଆମର ବେଶୀ । ପଛେ କିଛି ଗଣ୍ଡଗୋଳ ହେଲେ, ସମସ୍ତେ ଫାରକିତ୍ ମାରି ଚାଲିଯିବେ- ଆମେ ଦି’ଜଣ ପାଲରେ ପଡ଼ିବୁ! ତା’ ହେଇ ପାରିବନି। ଆମେ କୋଡ଼ିଏ ପରସେଣ୍ଟ ନ ନେଲେ ବିଲ୍ କରିବୁ ନି । କେମିତି ଟି.ଏ.ନଉଚ ନିଅ ।

ଏମିତି ହିସାବ କଲାରୁ ଗାଏମୋଟ ପରସେଣ୍ଟେଜ୍ ଚାଲିଯାଉଛି ସତାବନ୍ । ଷ୍ଟାଫ୍ ସବୁ ବିରକ୍ତ । ଆମେ ଫିଲ୍ଡ଼ ଷ୍ଟାଫ୍ ବୋଲି ସିନା ସମସ୍ତଙ୍କର ହାକିମାତି ଆମ ଉପରେ! ଅଥଚ ଫିଲ୍ଡ଼ ଷ୍ଟାଫମାନେ ହିଁ ସରକାରୀ କାମର ଅସଲ ପିଣ୍ଡ । ଆରମ୍ଭ ହେଲା ପାଟିତୁଣ୍ଡ, ଗଣ୍ଡଗୋଳ, ମାର୍ପିଟ୍ । ଏମିତିକି ପିଟିସନ୍ ଲେଖାଲେଖି ବି ଆରମ୍ଭ ହେଲା । ସେତିକିବେଳେ ଶ୍ୱେତାଙ୍କ ନିଜ ଉପରକୁ ଦାୟିତ୍ୱ ଟାଣି ନେଇ ମଧ୍ୟସ୍ଥି କାରବାର କଲା । ମାର୍ଚ୍ଚ ମାସ । ସମସ୍ତଙ୍କ ଆଶା । ବର୍ଷସରିକି ଦି’ପଇସା ପାଇବେ । କିଏ, କେମିତି, କେତେ ନୈତିକ ଓ ନୈତିକବାନ୍ ହେବା ପାଇଁ କେମିତିକା ପରିବେଶ ଦରକାର, ସେଥିରେ ମୁଣ୍ଡ ନ ଖେଳେଇ ଶ୍ୱେତାଙ୍କ ମଧ୍ୟସ୍ଥି ହେଲା । ଅଫିସରଙ୍କୁ ବୁଝା, ଆକାଉଣ୍ଟାଣ୍ଟଙ୍କୁ ବୁଝା, ଷ୍ଟାଫ୍ଙ୍କୁ ବୁଝା । ଟ୍ରେଜେରୀ କିରାଣୀକୁ ବୁଝା! ଏମିତି ବୁଝାବୁଝିରେ ସମସ୍ତଙ୍କୁ ସନ୍ତୁଷ୍ଟ କଲା । କଥା ଛିଡ଼ିଲା । ଅଫିସର ଦଶ ପରସେଣ୍ଟ, ଆକାଉଣ୍ଟାଣ୍ଟ ଓ ବିଲକ୍ଲର୍କ ଦଶ ପରସେଣ୍ଟ, ଟ୍ରେଜେରୀ ପାଞ୍ଚ ପରସେଣ୍ଟ; ହେଡ଼୍ ଅଫ୍ ଡିପାର୍ଟମେଣ୍ଟର କିରାଣୀଙ୍କୁ ତ ବୁଝାଇ ହବନି; ସେ ଦଶ ପରସେଣ୍ଟ ନେବେ ହିଁ ନେବେ । ଏମିତି ପଇଁତିରିଶ ପରସେଣ୍ଟରେ ଶ୍ୱେତାଙ୍କ ଝମେଲା ତୁଟାଇ ଦେଲା ଏବଂ ଶ୍ୱେତାଙ୍କ ବନିଗଲା ସବୁଷ୍ଟାଫ୍ମାନଙ୍କ ସାମ୍ନାରେ ନେତାଟିଏ । କେତେ ବାହାବା ପାଇଲା ସେ । ସମସ୍ତଙ୍କ ମୁହଁରେ ଗୋଟେ କଥା- ଶ୍ୱେତଙ୍କ ନଥିଲେ, ଏ ବର୍ଷ କ’ଣ ଟି.ଏ. ପାଇଥାନ୍ତୁ? ପିଲାଟା ଖାଲି ଇଣ୍ଟେଲେକ୍ଚୁଆଲ ନୁହେଁ, ଷ୍ଟ୍ରାଟେଜିକ୍ ମଧ୍ୟ । ନେତୃତ୍ୱ ନବାର କୌଶଳ ଜାଣିଛି ।

ସେଇଠି ଶ୍ୱେତାଙ୍କ ପୁଣି ଯନ୍ତ୍ରଣା ପାଇଲା । ଆତଙ୍କରେ ହରବର ହେଲା । ସାମୂହିକ ସଚେତନତା ଆମର ଏଇ ସ୍ତରରେ ପହଞ୍ଚିଛି । ନୈତିକହୀନ ସାଲିସ ପ୍ରତି ଏମାନେ ଏତେ ବାହାବା ଦେଇପାରନ୍ତି । ଶ୍ୱେତାଙ୍କ ପୁଣି ନିର୍ମୋକ ହେଲା । ନିର୍ବିକାର ହେଲା । ମନକୁ ମନ ବିରକ୍ତ ହେଲା । ମଧ୍ୟସ୍ଥି କରି ଝମେଲା ତୁଟାଇବାରେ ତା’ର ଦୁଃଖ ନ ଥିଲା, କିନ୍ତୁ ଦୁଃଖ ହେଲା ଯେ ସେ ସମସ୍ତଙ୍କ ସାମ୍ନାରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ବିବେଚିତ ହେଲା । ସର୍ବଶେଷରେ କିନ୍ତୁ ଶ୍ୱେତାଙ୍କ ଜଣାଇ ଦେଲା: ଯାହା ହେଲେ ବି ମୁଁ ଏହାକୁ ଏକ ଅନ୍ଧ-ପ୍ରସାର ବୋଲି ବିବେଚନା କରେ । ବିଲକ୍ଲାର୍କ ହିସାବରେ ମୁଁ କିନ୍ତୁ ପର୍ସେଣ୍ଟେଜ୍ ନେବି ନାହିଁ । ସମସ୍ତେ କ୍ଷଣିକ ପାଇଁ ଆଚମ୍ବିତ ହେଲେ ସତ, ମାତ୍ର କେହି ବିଲ ସବମିଟ କରିବାରୁ କ୍ଷାନ୍ତ ହେଲେ ନାହିଁ । ବରଂ ଏମିତି ମନ୍ତବ୍ୟ ଦେଲେ: ହଅ! ତାଙ୍କର ପଇସାର କ’ଣ ଅଭାବ ଅଛି, ମାସକୁ ଯେ ପଚାଶ ଷାଠିଏ ଟଙ୍କା ମେଗାଜିନ୍, ବହି କିଣିବାରେ ସାରୁଛନ୍ତି, ସେ କ’ଣ ଏ ପର୍ସେଣ୍ଟଜ୍ ପାଇଁ ଆଖି ଥୋଇଛି! ଆମେ କିନ୍ତୁ ଦି’ଜଣଙ୍କ ପାଇଁ ଦଶ ପର୍ସେଣ୍ଟ କାଢ଼ିଦବୁ, ଆପଣ ନେଲେ ନିଅନ୍ତୁ, ନ ହେଲେ ନାହିଁ! ଏଇଠି ଶ୍ୱେତାଙ୍କ ଅନୁଭବ କଲା ସାମୂହିକ ପରିଚର୍ଯ୍ୟା ମଧ୍ୟରେ ବ୍ୟକ୍ତିତ୍ୱକୁ ଆକ୍ରାନ୍ତ କରି ଚରିତ୍ରସଂହାର କରିବାର ସାମୂହିକ କୌଶଳକୁ!

ଶେଷଗଳ୍ପ/ଶେଷହୀନ:

ଶ୍ୱେତାଙ୍କ ଖୁବ୍ ବିରକ୍ତି ପ୍ରକାଶ କଲା । ଦୁଃଖ ପ୍ରକାଶ କଲା ଯେ ତାର ବନ୍ଧୁଗଣ କେବଳ ଅର୍ଥନୈତିକ ବିଚାରରେ ତାର ଏ ପସେଣ୍ଟ ନ ନବାଟାକୁ ଗ୍ରହଣ କଲେ । ଯଦିଓ ଶ୍ୱେତାଙ୍କ ପାଖରେ ଦରମା ପାଇବାର ସପ୍ତମ ଦିନଠାରୁ ବେଳେ ବେଳେ ଲଫାପାଟାଏ କିଣି ମେଗାଜିନ୍କୁ ଗଳ୍ପଟାଏ ପଠାଇବା ପାଇଁ ବି ପଇସା ନଥାଏ । କିନ୍ତୁ କିଛି କହିଲାନି । ନୀରବ ରହିଲା । ରାଗ ଓ ବିରକ୍ତିରେ ବସାକୁ ଚାଲି ଆସିଲା ।

ବସାରେ ପହଞ୍ଚି ଦେଖିଲା ତା ଚିନିରଖା କାଚ ବୋଏମ୍ ସାରା ପିମ୍ପୁଡ଼ି ଭର୍ତ୍ତି । ସାରା ଘରଟାରେ ପିମ୍ପୁଡ଼ିମାନଙ୍କର ରାଜତ୍ୱ । ଲାଇନ ଧରି ମାଳ ମାଳ ପିମ୍ପୁଡ଼ି ତା ଚିନିକୁ ମୁହଁରେ ଧରି ଚାଲିଛନ୍ତି । ସକାଳେ ଚୁଡ଼ା ଖାଇଲାବେଳେ ସେ ବୋଏମ୍ ଖୋଲି ଚିନି ବାହାର କରିଥିଲା । ଢାଙ୍କୁଣୀଟି ଭଲ ଭାବରେ ଲଗାଇ ନଥିଲା । ତା’ରି ସୁଯୋଗରେ ପିମ୍ପୁଡ଼ିମାନେ କାରସାଦି ଚଳାଇ ଆସିଛନ୍ତି । ଅଫିସରୁ ଧରି ଆସିଥିବା ବିରକ୍ତିକୁ ପିମ୍ପୁଡ଼ିମାନଙ୍କ ଉପରେ ଲଦି ଦେଲା । ଗୋଡ଼ ଗୋଇଠିରେ ଦଳି ଚକଟି ପିମ୍ପୁଡ଼ିମାନଙ୍କୁ ହତ୍ୟା କଲା । ମର, ସବୁ ମର । ଘର ଭିତରେ ଗୋଟାକୁ ହେଲେ ଛାଡ଼ିଲାନି । ଖୋଜି ଖୋଜି ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା । ବୋଏମ୍ ଭିତରେ ଥିବା ପିମ୍ପୁଡ଼ିମାନଙ୍କୁ କରିବ କ’ଣ? ଚିନି ସହ ଗୋଟେ ଖବରକାଗଜ ଉପରେ ଅଜାଡ଼ି ଦେଲା । ଗୋଟିଏ ଗୋଟିଏ ପିମ୍ପୁଡ଼ିକୁ ଧରି ଆଙ୍ଗୁଠିରେ ଦଳିଲା । ବିରକ୍ତି ଆହୁରି ବଢ଼ୁଥାଏ । ଚିନି ଭିତରେ କାହିଁ କେତେ ପିମ୍ପୁଡ଼ି । ଗୋଟି ଗୋଟି ବାହାର କରି ହତ୍ୟା କରିବା ବି କ’ଣ ଏତେ ସହଜ? ପୁଣି ଚାରିଆଡ଼େ ବିଛୁଡ଼ି ହୋଇ ରହିଛନ୍ତି । ଆଙ୍ଗୁଠିରେ ଖେଳାଇ ଖେଳାଇ ବାହାର କରିବାକୁ ପଡ଼ୁଛି । ପିମ୍ପୁଡ଼ିମାନେ ବି ପ୍ରାଣ ବିକଳରେ ଇତଃସ୍ତତ! ଗୋଟି ଗୋଟି କରି ଧରି ହତ୍ୟା କରିବାର ଧୈର୍ଯ୍ୟ ଆଉ ଶ୍ୱେତାଙ୍କର ନାହିଁ । ହତ୍ୟା କରିବାରେ ବି ଅଧୈର୍ଯ୍ୟ!

ଅତିଶୟ ବିରକ୍ତିରେ ପିମ୍ପୁଡ଼ିମାନଙ୍କ ସହ ଚିନିକୁ କାଚ ବୋଏମ୍ ଭିତରେ ଢ଼ାଳିଦେଲା ଏବଂ ଢାଙ୍କୁଣୀକୁ ଖୁବ୍ ଜୋରରେ ଲଗାଇ ଦେଲା । ଏଥର କୁଆଡ଼େ ଯିବ ତମେ ସବୁ! ମର, ଭିତରେ ମର । ରୁଦ୍ଧଶ୍ୱାସ ହୋଇ ମରିଯାଅ!

କାଚ ବୋଏମର ବାହାରୁ ଦେଖିଲା ପିମ୍ପୁଡ଼ିମାନେ ତେବେ ବି ଇତସ୍ତତଃ ହୋଇ ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ । ଆସନ୍ନ ମୃତ୍ୟୁ ପ୍ରତି ଅନବଗତ । ମନେ ମନେ ବୀଭତ୍ସ ହସଟିଏ ହସିଲା ଶ୍ୱେତାଙ୍କ । କାଚ ବୋଏମଟି ତା ପୁରୁଣା ଜାଗାରେ ଥୋଇ ଦେଇ ସାଇକେଲ ମାରି ବଜାରକୁ ଚାଲିଗଲା ।

ଏଥର ଶ୍ୱେତାଙ୍କ ପଡ଼ିଆରୁ ଉଠିଲା । ମନ ବିକଳ ହେଲା । ଆଖିରେ ଉଦାସୀ ନକ୍ଷତ୍ର । ଆହା! ପିମ୍ପୁଡ଼ିମାନେ! ବିଚରା! ଅନୁକମ୍ପାର କ୍ଷୀର ତା ଛାତିରୁ ଝରିଲା । ପିମ୍ପୁଡ଼ିମାନଙ୍କର ଦୋଷ କ’ଣ? ସେମାନଙ୍କୁ ଗଣ-ହତ୍ୟା କରି କ’ଣଟା ବା ସମାଧାନ କରିପାରିଛି ସେ? ଯନ୍ତ୍ରଣା ଓ ତ୍ୟାଗ ନାମକ ସଂସ୍କୃତିର ବ୍ୟବହାର ତାକୁ ପୂର୍ବଭଳି ତ ସେମିତି ନିର୍ବିକାର, ନିର୍ମୋକ କରି ରଖିଛି । ବାପା, ଭଉଣୀ ସଞ୍ଜୁ, ସାଙ୍ଗ ଶରତ, ପ୍ରେମିକା ସୁଦୀପା, ଭାଇ ରୋହିତ, ନିଜର ଚାକିରି- ସମସ୍ତେ ଯେମିତି ଥିଲେ ସେମିତି ଅଛନ୍ତି । ଅଥଚ, ପିମ୍ପୁଡ଼ିମାନେ ମଲେ କାହିଁକି? କ’ଣ ପାଇଁ? ସେତେବେଳେ ଶ୍ୱେତାଙ୍କ ଅନୁଭବ କଲା- ଜୀବ ମରିଗଲେ ବି ଜଡ଼ ହୁଏନା । ନା । ରାସ୍ତାରେ ମଲା ସାପ ମଲା ବେଙ୍ଗ ତା ସାଇକେଲ୍ ଆଗରେ ପଡ଼ିଲେ ବି ସେ ଶୀତେଇ ଉଠେ । ସେମାନଙ୍କ ଉପରେ ସାଇକେଲ ଚକା ମଡ଼ାଇ ନେଇ ପାରେନା । ଛାତିରେ ତାର କ’ଣ ହୋଇଯାଏ । ଯେମିତିକି ବହୁଦିନର ଏହି ମଲା ଜନ୍ତୁମାନେ ଆହୁରି ଜୀବନ୍ତ । ସାମାନ୍ୟତମ ଅସ୍ତିତ୍ୱଥିଲା ଯାକେ ବି ଜୀବନ୍ତ । ଶ୍ୱେତାଙ୍କର ଗଳ୍ପରେ କରୁଣା ଝରିଲା । ଆଉ ଗଳ୍ପକୁ ଅଟକାଇ ହବନି, ନା । ସେ ଆପେ ଆପେ ବହିଯିବ । ଶୁଖିଲା ପତ୍ରଟି ତା ଛାତି ପକେଟରେ ସେମିତି ଥାଏ । ଅସ୍ତବ୍ୟସ୍ତ ହୋଇ ସାଇକେଲରେ ଛୁଟିଲା ସେ ବସାକୁ । ଚାବି ଖୋଲି ଲାଇଟ ଅନ୍ କଲା । କାଚ ବୋଏମ୍କୁ ତରତରରେ ଉଠାଇ ଆଣି ନିରୀକ୍ଷଣ କଲା । କିନ୍ତୁ ପିମ୍ପୁଡ଼ି କାହାନ୍ତି, ପିମ୍ପୁଡ଼ି? ଆଶ୍ଚର୍ଯ୍ୟ ହେଲା ସେ । ଗଲେ କୁଆଡ଼େ ସେମାନେ? କିଛି ସମୟ ଗହିରା ନିରୀକ୍ଷଣ କଲାପରେ ଶ୍ୱେତାଙ୍କ ଦେଖିଲା ସବୁ ପିମ୍ପୁଡ଼ି ଗୁଡ଼ିକ ବୋଏମର ଗୋଟିଏ କୋଣରେ ଏକାଠି ଧରାଧରି ହୋଇ ମରିଛନ୍ତି । ଆଃ! ଏକ ଅକଳ୍ପନୀୟ ଯନ୍ତ୍ରଣାରେ ଶ୍ୱେତାଙ୍କ ଆର୍ତ୍ତନାଦ କରି ଉଠିଲା । ବୋଏମ ଭିତରେ ପିମ୍ପୁଡ଼ିମାନେ ଇତସ୍ତଃତ ବୁଲୁଥିଲେ । ଅଥଚ ଗୋଟିଏ କୋଣରେ ଏକାଠି ଠୁଳ ହୋଇ ମଲେ? କେମିତି! ଶ୍ୱେତାଙ୍କ ହତଭମ୍ବ ହେଲା । ସୃଷ୍ଟିର ଏକ ଘନ ରହସ୍ୟ ଆହୁରି ରହସ୍ୟମୟ ହୋଇ ଉଠିଲା ତା ସାମ୍ନାରେ । ଯେମିତିକି ଆଇନେସ୍କୋ, ସାର୍ତ୍ତ୍ର, କାମ୍ୟୁ, କାଫକା, ଫକ୍ନର ସମସ୍ତେ ଏଇ ମୃତ ପିମ୍ପୁଡ଼ିମାନଙ୍କ ବ୍ୟବହାରରେ ହାର ମାନି ଯାଇଛନ୍ତି । ସତରେ କଣ ପିମ୍ପୁଡ଼ିମାନେ ନିଜର ଆସନ୍ନ ମୃତ୍ୟୁକୁ ଜାଣିପାରି ପରସ୍ପରକୁ କୋଳାଗ୍ରତ କରି ହସି ହସି ମୃତ୍ୟୁବରଣ କରିଛନ୍ତି! ଶ୍ୱେତାଙ୍କ ଆଉ କିଛି ଭାବି ପାରିଲାନି । ଏ ଯାବତ୍ ଭାବି ଆସିଥିବା ସମସ୍ତ ଜବରଦସ୍ତି ଭାବନା ଗୁଡ଼ିକ ତା ସାମ୍ନାରେ ତୁଚ୍ଛ ହୋଇପଡ଼ିଲେ । ସେ ନୀରବରେ ପିମ୍ପୁଡ଼ିମାନଙ୍କ ପାଇଁ ଅଶ୍ରୁ ତର୍ପଣ କଲା । ବୋଏମ୍ରୁ ଚିନି ସହ ମୃତ ପିମ୍ପୁଡ଼ିଙ୍କୁ କାଗଜରେ ଢାଳି ଦେଲା । କି ଆଶ୍ଚର୍ଯ୍ୟ ଯେ ଢାଳିବା ପରେ ବି ମୃତ ପିମ୍ପୁଡ଼ିମାନେ ୟାଡ଼େ ସାଡ଼େ ବିଛୁରି ହୋଇ ପଡ଼ିଲେ ନାହିଁ । ଗୋଟିଏ ଜାଗାରେ ପିଣ୍ଡୁଳା ହୋଇ ଖସିଲେ । ଯେମିତିକି ଏବେ ବି ସେମାନେ ପରସ୍ପରକୁ କୋଳାଗ୍ରତ କରିଛନ୍ତି । ଶ୍ୱେତାଙ୍କ ଶୁଖିଲା ପତ୍ରଟିକୁ ପକେଟରୁ ବାହାର କଲା । ମୃତ ପିମ୍ପୁଡ଼ି ମନ୍ଦାକୁ ସେ ପତ୍ରରେ ରଖି ସାଇକେଲ ଛୁଟାଇଲା ନଈକୂଳକୁ । ଜହ୍ନ ବିମ୍ବିତ ନଈ । ଚାରିଆଡ଼େ ଶୂନ୍ଶାନ୍ । ଯାହା ଶୁଭୁଛି ନଈର କଳ କଳ ଧ୍ୱନି । ପାଖ ତାଳ ଗଛରୁ ବାଇଚଢ଼େଇର ଫୁଡ଼୍ ଫୁଡ଼୍ ଶବ୍ଦ ଓ କ୍ଷଣେ କ୍ଷଣେ ବିଲୁଆର ପହରିକିଆଡ଼ାକ । ପତ୍ରଟିକୁ ନଈ ପାଣିରେ ଭସାଇ ଦେଇ କହିଲା: ତମେମାନେ ଭାସି ଭାସି ଯେଉଁ ଅନନ୍ତ ମଣ୍ଡଳରେ ପହଞ୍ଚିବ, ସେଠି କହିବ ଆମେ ଖାଲି ଆସିନୁ, ଶ୍ୱେତାଙ୍କୁ ପାଖରୁ ଶୁଖିଲା ପତ୍ରଟିକୁ କାଢ଼ି ଆଣିଛୁ ।

ଫେରନ୍ତା ବାଟରେ ଶ୍ୱେତାଙ୍କ ଠିକ୍ କଲା: ସେ କାଲି ସକାଳୁ ଗାଁକୁ ଯିବ । ସାତ ଦିନ ଛୁଟି ନେଇ ଯିବ ।

Leave A Reply

Your email address will not be published.