ଭୁବନେଶ୍ୱର: ସୂର୍ଯ୍ୟଗ୍ରହଣରେ ବିଶ୍ବାସକୁ ପଛକୁ ଠେଲି ନିଜ ବିବେକକୁ ଅଗ୍ରାଧିକାର ଦେଉଥିବା ହେତୁବାଦୀଙ୍କ ଅଡୁଆ ବଢିବାରେ ଲାଗିଛି। ସର୍ବସମ୍ମୁଖରେ ଚିକେନ୍ ବିରିଆନୀ ଖାଇବା ଏବେ ଅଡୁଆ ବଢାଇଛି ହେତୁବାଦୀଙ୍କର। ରାଜ୍ୟର କୋଣ ଅନୁକୋଣରୁ ହେତୁବାଦୀଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁରୀ ଓ କଟକରେ ହେତୁବାଦୀଙ୍କ ବିରୋଧରେ ଏତଲା ହୋଇଥିବା ବେଳେ ଜଣେ ହାଇକୋର୍ଟ ଓକିଲ୍ ନୋଟିସ୍ ପଠାଇ ହିନ୍ଦୁ ଧର୍ମକୁ ଆଘାତ ପହଞ୍ଚାଇଥିବାରୁ କାହିଁକି ତାଙ୍କ ବିରୋଧରେ ଏତଲା ନହେବ ଉତ୍ତର ରଖିବାକୁ କହିଛନ୍ତି। ନଚେତ ହାଇକୋର୍ଟରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହେତୁବାଦୀ ଦେବେନ୍ଦ୍ର ସୂତାର ଏବଂ ପ୍ରତାପ ରଥଙ୍କ ବିରୋଧରେ କଟକ ସ୍ଥିତ ମାର୍କାତନଗର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ ହୋଇଛି। ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଓ ଜୟ ଜଗନ୍ନାଥ ଚରଣ ସମିତି ଏଫଆଇଆର ଦାଖଲ କରିଛନ୍ତି।
ଏଫଆଇଆର୍ ଅନୁଯାୟୀ ଦେବେନ୍ଦ୍ର ସୂତାର ଏବଂ ପ୍ରତାପ ରଥ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ଏବଂ ସୂର୍ଯ୍ୟ ଗ୍ରହଣ ସମୟରେ ଅନ୍ୟମାନଙ୍କୁ ଖାଦ୍ୟ ଖାଇବାକୁ ଉତ୍ସାହିତ କରି ପରମ୍ପରାକୁ ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି।
ତେବେ ଦେବେନ୍ଦ୍ର ସୂତାର କହିଛନ୍ତି, ତାଙ୍କୁ ଅଜ୍ଞାତ ଲୋକ ଫୋନ୍ କରି ମୃତ୍ୟୁ ଧମକ ଦେଉଛନ୍ତି। ଯେଉଁଥିପାଇଁ ମର୍କତନଗର ପୋଲିସ ଷ୍ଟେସନରେ କାଉଣ୍ଟର ଏଫଆଇଆର କରିଥିବା ସୂଚନା ରହିଛି।
ସେହିପରି ସୂର୍ଯ୍ୟପରାଗରେ ବିରିଆନୀ ଖାଇବା ମାମଲାରେ ତଦନ୍ତ କରିବ ପୁରୀ ପୋଲିସ। ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁରୀ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା ଏହି ସୂଚନା ଦେଇଛନ୍ତି।
ସେପଟେ ହାଇକୋର୍ଟର ଓକିଲ ସନ୍ଦୀପ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ପ୍ରଫେସର ଥିବା ହେତୁବାଦୀ ପ୍ରତାପ ରଥଙ୍କୁ ଏକ ନୋଟିସ୍ ପଠାଇଛନ୍ତି। ଯେଉଁଥିରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାନଯିବ ବୋଲି ସେ ଜବାବ ମାଗିଛନ୍ତି। ଯଦି ସେ ସପ୍ତାହକ ମଧ୍ୟରେ ଉତ୍ତର ନଦେବେ ତାହେଲେ ହାଇକୋର୍ଟରେ ମାମଲା ଦାୟର କରିବେ ବୋଲି କହିଛନ୍ତି।
Comments are closed.