Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ: ହୁଗୁଳା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଥାନାରେ ମାମଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ଶନିବାର ଏହି ଭିଡିଓ ଓ ଫଟୋ ଭାଇରାଲ୍‌ ହେବା ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଶ୍ରୀମନ୍ଦିରର ଜୟ-ବିଜୟ ଦ୍ୱାରରୁ କଏଦ ହୋଇଥିବା ଏହି ଭିଡିଓରେ ରତ୍ନସିଂହାସନରେ ଥିବା ଦେବଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି। ଦେବଦେବୀଙ୍କ ବଡସିଂହାର ବେଶ ରୀତିନୀତି ପୂର୍ବରୁ ସିକ୍ରେଟ୍ କ୍ୟାମେରା ବ୍ୟବହାର କରି ଏହି ଭିଡିଓ ରେକର୍ଡ କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ ଏହି ଭିଡିଓକୁ ଡିଲିଟ୍ କରିଦିଆଯାଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ଓ କ୍ୟାମେରା ନେବାକୁ ବାରଣ ରହିଛି।

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆକାଶ ଚୌଧୁରୀ ନିଜ ଫେସବୁକ୍‌ ଆକାଉଣ୍ଟ ବ୍ଲକ୍‌ କରି ଦେଇଛନ୍ତି। ଆକାଶଙ୍କ ୟୁ-ଟ୍ୟୁବ ଚ୍ୟାନେଲ୍‌ ବାଲାଂଦେଶର ସିଲେଟ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସିଲେଟ୍‌ସ୍ଥିତ ନିମ୍ବାକ ଗୀତା ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଥିବା ନିଜ ଫେସବୁକ ଓ ୟୁ-ଟ୍ୟୁବରେ ଲେଖିଛନ୍ତି।

ପୂର୍ବରୁ ୨୦୧୭ରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍‌ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍‌ ଘଟଣା ବୋଲି କୁହାଯାଉଛି।

ମନ୍ଦିରର ସୁରକ୍ଷା ପାଇଁ ମାଳ ମାଳ ପୋଲିସ ଏବଂ ମେଟାଲ ଡିଟେକ୍ଟର ଆଦି ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ରହିଛି। ଏପରି ସ୍ଥିତିରେ ମନ୍ଦିର ଭିତରକୁ କେମିତି ଗଲା କ୍ୟାମେରା? ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଉଛନ୍ତି କି ଆଇନ ଉଲ୍ଲଂଘନକାରୀ? ନା ସବୁକିଛି ସଲାସୁତରା ଭିତରେ ହେଉଛି?

Comments are closed.