ଅଧିକାର କେଉଁଠି, ପ୍ରେମିକାପଣର
ରିତାଞ୍ଜଳି ମହାରଣା
ତୁମ ଆଖିର ଲେନ୍ସରେ ଯଦି
ଅଚିହ୍ନା ମୋ ସପନର ନକ୍ସା,
ତେବେ ଅଧିକାରର
ପ୍ରଶ୍ନ କେଉଁଠି ?
ସାତସନ୍ଧିରେ ସାଇତା
ମୋ ପ୍ରେମ ବଗିଚାର ଗୋଲାପକୁ
ତୁମ ହାତ ମୁଠାରେ ଦଳିମକଚି
ଫିଙ୍ଗିଦେଇପାରିଲ ଯଦି
ଅଜଣା ଆକାଶକୁ !
ବଦଳରେ
ଖୁବ ସହଜରେ,
ତୁମ ଓଠରେ
ଖେଳେଇଦେଲ
ଆଶ୍ଵସ୍ତି କୃଷ୍ଣଚୂଡ଼ାରୁ ପେନ୍ଥାଏ !
ତାପରେ ଆଉ କଣ ଅଛି ??
ଏବେ ତୁମେ ଓଦାଓଦା
ତୁମ ସ୍ଵାର୍ଥ ଦୁନିଆରେ,
ରଙ୍ଗୀନ ବର୍ଷା ଅବିରତ
ଝରଝର ଯେଉଁଠି,
ମୋ ଅଧିକାରର ସେଠି
ପ୍ରଶ୍ନ ବା କେଉଁଠି ?
ପୁଣି ଯେବେ ସେଇ ଆକାଶରୁ
ମୁ ଖସିପଡ଼େ ଖଣ୍ଡ ବିଖଣ୍ଡିତ
ଅସହାୟ ଉଲକାଟିଏ ହୋଇ
ମୋ ଦୁନିଆର ଆହତ ମାଟିରେ!
ମଉନି ଯାଇଥିବା ମୋ
ଏକାକୀତ୍ୱ ଓ ଉଦାସୀ ମୁଦ୍ରା,
ତୁମ ନଜରରେ ଏକ ଅନାବଶ୍ୟକ
ଚିତ୍ରଟିଏ ଯେଉଁଠି !!
ମୋ ଅଧିକାରର ସେଠି
ପ୍ରଶ୍ନ ବା କେଉଁଠି!!
ଦିନେ ତୁମ ପାଇଁ
ପ୍ରତି ମୁହୂର୍ତ୍ତ ଆଖିବୁଜି
ସମର୍ପି ଦେଇଥିବା
ମୋ ନିଶ୍ୱାସର ଚୁଲୁବୁଲିପଣ
ବର୍ତ୍ତମାନକୁ ନେଇ
ଜୀଇଁବାର ଆସ୍ପର୍ଦ୍ଧା ଆଉ
ତୁମ ନାଁରେ ହାତକାଟି ଲେଖିଦେଇଥିବା
ମୋ ଭବିଷ୍ୟତର ଦସ୍ତାବିଜକୁ
ଟିକଟିକ କରି ହସିହସି ଆଜି
ଅପନ୍ତରାରେ, ସାମିଲ କଲା ପରେ
ମୋ ଅସ୍ତିତ୍ବର ମୃତ୍ୟୁ ଯେଉଁଠି,
ସେଠି ମୋର ଜୁ କାହିଁ ଜୋର କରି
ଜାହିର କରିବାକୁ ତୁମ ହୃଦୟରେ
ମୋ ପ୍ରେମିକାପଣର
ଅଧିକାର କେଉଁଠି!
…………………………
କେଶପୁର,ଭଦ୍ରକ