Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ତାତି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ବିଧାନସଭାରେ ବିରୋଧି କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ହଟ୍ଟଗୋଳ ସୃଷ୍ଟି ହୋଇ ଗୃହ ମୂଲତବୀ ରହିଛି ।

ଗୃହର ଶୂନ୍ୟକାଳରେ କଂଗ୍ରେସର ବିରୋଧି ଦଳ ନେତା ନରସିଂହ ମିଶ୍ର ଜଷ୍ଟିସ ସିଆର୍ ପାଲ୍ କମିଶନଙ୍କ ରିପୋର୍ଟ ଉପସ୍ଥାପନ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବାଚସ୍ପତିଙ୍କ ଜରିଆରେ ପ୍ରଶ୍ନ ଉତ୍ଥାପନ କରିଥିଲେ । “ଯଦି କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ତେବେ ତାହା ଗୃହରେ କାହିଁକି ଉପସ୍ଥାପନ ହେଉନାହିଁ । ଏହି ରିପୋର୍ଟ ବିଧାନସଭାରେ ୬ ମାସ ମଧ୍ୟରେ ଦାଖଲ ହେବା କଥା । ମାତ୍ର ୬ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ବିଧାନସଭାରେ ଏପର୍ଯ୍ୟନ୍ତ ଦାଖଲ ହୋଇପାରିଲା ନାହିଁ । ଏହାବ୍ୟତୀତ, ଜଷ୍ଟିସ ଯଶୱନ୍ତ ସିଂହ କମିଶନ ତାଙ୍କ ରିପୋର୍ଟରେ ବଲାଙ୍ଗୀରଠାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଦର୍ଶାଇଛନ୍ତି । ମାତ୍ର ଏହି ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପନ ହୋଇପାରିଲା ନାହିଁ” ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚପ୍ରତିଷ୍ଠା ଲାଗି ବଲାଙ୍ଗୀର ଜିଲ୍ଲା ବାର୍ ଆସୋସିଏସନର ଓକିଲ ସଂଘ ଦ୍ୱାରା ଗତବର୍ଷ ସେପ୍ଟେମ୍ବରରୁ କ୍ରମାଗତ ଭାବେ ଆନ୍ଦୋଳନ ଜାରି ରହିଛି । ଏଠାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିଲେ ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣ ନ୍ୟାୟ ପାଇପାରନ୍ତେ ବୋଲି ନରସିଂହ ମିଶ୍ର ବାଚସ୍ପତିଙ୍କୁ କହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ସେ ନିଜେ ଗୃହରେ ସ୍ପଷ୍ଟିକରଣ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।

ଏହାପରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସମର୍ଥନ କରିବାର ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ କଂଗ୍ରେସ ବିଧାୟକମାନେ ଦାବି କରିଥିଲେ ।

ହଟ୍ଟଗୋଳ ବୃଦ୍ଧି ହେବାଯୋଗୁଁ କାର୍ଯ୍ୟ ଚଳାଇବାକୁ ଅସମର୍ଥ ହୋଇ ବାଚସ୍ପତି ଗୃହକୁ ମୂଲତବୀ ରଖିଥିଲେ ।

ଇତିମଧ୍ୟରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରି ରାଜଧାନୀରେ ବଲାଙ୍ଗୀର ଜିଲ୍ଲା ବାର୍ ଆସୋସିଏସନ ଏବଂ ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟି ମଙ୍ଗଳବାର ଦିନ ଏକ ର‌୍ୟାଲି ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.