ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ବୁଲୁ ବୁଲୁ ଆମେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଛେ। ଏହା ମଧ୍ୟ ଜାଣିଲେ ଯେ ସତ୍ୟବାଦୀରେ ଥିବା ରାଧା କୃଷ୍ଣଙ୍କ ବିଗ୍ରହ ପ୍ରଥମେ ଏହିଠାରେ ପୂଜିତ ହେଉଥିଲେ। ପରେ ଅର୍ଥାତ କାଞ୍ଚିରୁ ଆସିଥିବା ବିଗ୍ରହ ସତ୍ୟବାଦୀର ସ୍ୱତନ୍ତ୍ର ମନ୍ଦିରରେ ପ୍ରତିଷ୍ଠା କରିବା ପରେ, ଶ୍ରୀମନ୍ଦିରରେ ସାକ୍ଷୀଗୋପାଳଙ୍କ ଦର୍ଶନ କରିବାର ସୁଯୋଗ ଲାଭର ଅଭିଳାଷ ନେଇ ଏହି ମନ୍ଦିରରେ ପୁନଃ ରାଧା କୃଷ୍ଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛନ୍ତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ମନ୍ଦିରର ମାରଫତଦାର ଓ ସେବକ ହିସାବରେ ପଟ୍ଟଯୋଶୀ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଥିଲା। ୧୯୫୨ ମସିହା ବେଳେ ପଟ୍ଟଯୋଶୀ ମହାପାତ୍ରଙ୍କ ତରଫରୁ ଜନୈକ ଗୋବିନ୍ଦ କର ମାସିକ ୬୦ ଟଙ୍କା ପାରିଶ୍ରମିକ ନେଇ ସମସ୍ତ ପୂଜା କାର୍ଯ୍ୟକ୍ରମ ଦୈନିକ ସମ୍ପନ୍ନ କରୁଥିଲେ। କୋଠରୁ ଦୈନିକ ବଲ୍ଳଭ ଏକ ଓଳି, ଛୋଟ କାକରା ଏକ ଗୋଟି ମିଳେ। ଆଗରୁ ଲାଇଟର ବ୍ୟବସ୍ଥା ନଥିବାରୁ ତେଲ ଏକ ମାଣିକାଏ ଖଞ୍ଜା ଥିଲା। ବର୍ତ୍ତମାନ ତାହା ଆଉ ପ୍ରଚଳନ ନାହିଁ। ବିଶେଷ ଉତ୍ସବରେ (କୁମାର ପୁର୍ଣିମା, ରାଧା କୃଷ୍ଣ ଜନ୍ମ )ପ୍ରଶାସନ ତରଫରୁ ବୋଇରାଣୀ ଶାଢୀ ଦୁଇ ଗୋଟି ପ୍ରଦାନ କରାଯାଏ। ପଟ୍ଟଯୋଶୀ ମହାପାତ୍ର ନିଜସ୍ୱ ଭୋଗରେ ଛଅ ଭୋଗ (କାକରା, ଲଡ଼ୁ, ପୁରୀ, ଲଷ୍ମୀ ବିଳାସ, ଖଜା ଓ ମଗଜଲଡ଼ୁ )ପ୍ରସ୍ତୁତ ହୋଇ ଭୋଗ ଲାଗେ। କିଛି ବିଶେଷ ନୀତି ମଧ୍ୟ ସେବକ ନିଜ ତରଫରୁ ପାଳନ କରନ୍ତି ଯଥା ମାର୍ଗଶିରରେ ଓଢଣଷଷ୍ଠୀ, ପୌଷରେ ଧନୁମୁଆଁ ମାଘରେ ଗଜଉଦ୍ଧାରଣ ଓ ପଦ୍ମବେଶ ଫାଲଗୁଣରେ ଅବିର ଲାଗି ଓ ଚଣା ସାକର ଭୋଗ, ବୈଶାଖରେ ଚନ୍ଦନଲାଗି ଓ ପଣା ଭୋଗ( ୭ ଦିନ ପାଇଁ ), ଆଷାଢ଼ରେ ଅନବସର ପଣା ଶ୍ରାବଣରେ ଝୁଲଣ ଭୋଗ, ଭାଦ୍ରବରେ କୃଷ୍ଣ ଜନ୍ମ, ବଣଭୋଜୀ ବେଶ, କାଳୀୟ ଦଳନ ବେଶ, ଲଷ୍ମୀନାରାୟଣ ବେଶ, ଆଶ୍ୱିନରେ କୁମାର ପୁର୍ଣିମା, କାର୍ତିକରେ ବାଳ ଭୋଗ ଓ ପଞ୍ଚୁକର ପାଞ୍ଚ ବେଶ ସହିତ ଅଁଳା ନବମୀରେ ରାଧା ପାଦ ଦର୍ଶନଇତ୍ୟାଦି ପାଳିତ ହୁଏ।
ଜଣାଯାଏ ଏହି ସବୁ ବିଶେଷ ଉତ୍ସବ ପାଳନ ପାଇଁ ମାରଫତଦାର ତିନିଟି ମୌଜାରେ କିଛି ଭୁସମ୍ପତି (ଚାଷ ଜମି )ଦଖଲ କରିଛନ୍ତି। ସବୁ ଦୃଷ୍ଟିରୁ ବିଚାର କଲେ ଶ୍ରୀମନ୍ଦିର ମଧ୍ୟରେ ଶ୍ରୀ ସାକ୍ଷୀଗୋପାଳଙ୍କର ଏକ ବିଶେଷ ସ୍ଥାନ ରହିଛି। ସବୁବେଳେ ଭକ୍ତଙ୍କ ଗହଳି ସହ ବାର ମାସରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏହି ମନ୍ଦିର ଉତ୍ସବ ମୁଖର ରହିଥାଏ।ଆସନ୍ତୁ ତେବେ ଶ୍ରୀ ସାକ୍ଷୀଗୋପାଳଙ୍କ ଆରାଧନା କରିବା ଓ ଭାଗବତ ପଠନ କରିବା।
ମୋର ସ୍ମରଣ ଯେହୁ କରେ
ସେ ଶୁଦ୍ଧ ଅନ୍ତରେ ବାହାରେ ।
ଯେ ନିତ୍ୟ ମୋ ନାମ ସୁମରି
ସେ ସର୍ବ କର୍ମେ ଅଧିକାରୀ ।
ଗୁରୁ ବଚନେ ମନ୍ତ୍ର ତନ୍ତ୍ର
ନ୍ୟାସେ ଶୋଧନ ସର୍ବଗାତ୍ର ।
ମୋହର ନାମ ଉଚାରିଲେ
ସକଳ ଶୁଦ୍ଧ ହୋନ୍ତି ଭଲେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.