ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ ସୋସିଆଲ୍ ମିଡିଆରେ ଶାହରୁଖଙ୍କ ଫିଲ୍ମ ପଠାନକୁ ବୟକଟ୍ ଦାବି କରୁଛନ୍ତି । ଏପରିକି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଲାଣି ।
ଫିଲ୍ମର ଟିଜର ରିଲିଜ୍ ପରେ ଗୀତ ରିଲିଜକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ । ଏବେ ଫିଲ୍ମର ଗୀତ ବେଶରମ ରଙ୍ଗ ରିଲିଜ୍ ହୋଇଛି । ଦୀପିକା ଓ ଶାହରୁଖଙ୍କ ଲୁକ୍ ଦର୍ଶକଙ୍କୁ ଆକର୍ଷିତ କରିଛି । କିନ୍ତୁ ଗୀତରେ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନି ଫିଲ୍ମକୁ ବିବାଦ ଘେରକୁ ଟାଣି ଆଣିଛି ।
ଲୋକଙ୍କ ବିରୋଧ ଭିତରେ ମଧ୍ୟପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଦୀପିକା ପିନ୍ଧିଥିବା ବିକିନି ସଟ୍ ନ ବଦଳିଲେ ଫିଲ୍ମ ରିଲିଜ୍ ହେବାକୁ ଦେବୁନି । ଫିଲ୍ମରେ ଦୀପିକାଙ୍କ ବେଶଭୂଷା ଆପତ୍ତିଜନକ ଥିବା ବେଳେ ଗୀତ ଖରାପ ବାତାବରଣ ସୃଷ୍ଟି କରୁଥିବା ମନ୍ତ୍ରୀ କହିଛନ୍ତି ।
ପଠାନ ଫିଲ୍ମ ବେଶରମ ରଙ୍ଗ ଗୀତର ଏକ ଦୃଶ୍ୟରେ ଦୀପିକା ନାରଙ୍ଗୀ ରଙ୍ଗର ଏକ ବିକିନି ପିନ୍ଧିଛନ୍ତି । ଯାହାକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁ ମହାସଭା । ପଠାନ ଫିଲ୍ମରେ ନାରଙ୍ଗୀ ରଙ୍ଗର ଅପମାନକୁ ହିନ୍ଦୁସ୍ଥାନ ସହିବ ନାହିଁ ବୋଲି ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି ।
ତେବେ ଫିଲ୍ମରେ ପ୍ରଥମ ଥର ପାଇଁ କୌଣସି ଅଭିନେତ୍ରୀ ନାରଙ୍ଗୀ ରଙ୍ଗର କପଡ଼ା ପରିଧାନ କରି ନାହାନ୍ତି । ଏହା ପୂର୍ବରୁ ରବିନା ଟଣ୍ଡନ ଟିପ୍ ଟିପ୍ ବର୍ଷା ପାଣି ଗୀତରେ ମଧ୍ୟ ନାରଙ୍ଗୀ ରଙ୍ଗର ଶାଢ଼ିରେ ନଜର ଆସିଥିଲେ । କିନ୍ତୁ ସେତେବେଳେ ନାରଙ୍ଗୀ ରଙ୍ଗର କପଡ଼ା ଓ ଗୀତକୁ ନେଇ କୌଣସି ଆପତ୍ତି ଉଠି ନଥିଲା । ତେବେ ଏବେ ଦୀପିକାଙ୍କ ପୋଷାକକୁ ନେଇ ବିବାଦ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ ।
Comments are closed.