Latest Odisha News

BREAKING NEWS

ନବଙ୍କ ଜରିଆରେ ପଦ୍ମପୁର ଡିଲ୍ କରିଥିଲା ବିଜେଡି: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେପି ପଦ୍ମପୁର ଉପନିର୍ବାଚନରେ କେଉଁ କାରଣ ପାଇଁ ହାରିଲା। ଏ ନେଇ ବିସ୍ତୃତ ରିପୋର୍ଟ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ଦେଇଛନ୍ତି ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଦଳ। ତେବେ ରିପୋର୍ଟ ଦେବା ପୂର୍ବରୁ ସେ ନିର୍ବାଚନ ହାରିବା ପଛର କାରଣ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କିଭଳି ବିଜେଡି ଓ କଂଗ୍ରେସର ଭୋଟ୍ ପାଇଁ ଡିଲ୍ ହୋଇଥିଲା।

ସେ କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କଂଗ୍ରେସ ସହିତ ଡିଲ୍ କରିଥିଲେ। ଭୋଟ୍ କିଣାବିକା କାମ ଏକ ହୋଟେଲରେ ହୋଇଥିଲା। ମୋଟ୍ 3 ଘଣ୍ଟାର ଆଲୋଚନା ପରେ ଡିଲ୍ ଫାଇନାଲ ହୋଇଥିଲା। ଆଉ ବିଜେଡି ଇସାରାରେ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ହେଲେ କେଉଁ ହୋଟେଲରେ ଡିଲ୍ ହୋଇଥିଲା ସେ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଦଳର ଏହି ପୁରୁଖା ନେତା।

ତେବେ ଦଳୀୟ ପ୍ରଭାରୀଙ୍କୁ ରିପୋର୍ଟ ଦେବା ବେଳେ ବିଜେପି ଜୋନ ୱାରି ରିପୋର୍ଟ ଦେଇଛି। ଏଥିପାଇଁ ଏକ ତୁଳନାତ୍ମକ ରିପୋର୍ଟ ଦେଇଛି। ଯେଉଁଥିରେ ଧାମନଗର ଏବଂ ପଦ୍ମପୁରକୁ ଉଦାହରଣ ଭାବେ ନିଆଯାଇଛି। ଧାମନଗରର ରିପୋର୍ଟ ମନମୋହନ ସାମଲ ଦେଇଥିବା ବେଳେ ପଦ୍ମପୁର ରିପୋର୍ଟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଛନ୍ତି।  ମନମୋହନ ସାମଲ କହିଛନ୍ତି, ଧାମନଗର ଆମର ସଂଗଠନ ସୁଦୃଢ ଥିଲା, ତେଣୁ ଦଳ ବିଜୟୀ ହେଲା। ସେହିପରି ପଦ୍ମପୁରରେ ବିଜେପିର ଲୋକପ୍ରିୟ ପ୍ରାର୍ଥୀ ଥିଲେ କିନ୍ତୁ ସଂଗଠନ ତୃଣମୂଳରୁ ମଜବୁତ ନଥିଲା। ମୁଖ୍ୟମନ୍ତ୍ରୀ ପଦମପୁର ଉପ ନିର୍ବାଚନକୁ ପ୍ରଚାର କରିବାକୁ ଆସିବା ଶାସକ ଦଳକୁ ମୋରଲ ଭିକ୍ଟ୍ରି ଦେଇଥିଲା।

ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ରର ଚାରି ମନ୍ତ୍ରୀ ଆସିକି ଦମ୍ଭୋକ୍ତି ପ୍ରକାଶ କରିଥିଲେ ବିଜେପି ପଦ୍ମପୁରରେ ଜିତିବ। ହେଲେ କାହିଁ ହେଲାନି । ନବ ଦାସ ଆମ ଦଳ ସହ ବେଇମାନି କରି ଛାଡ଼ି ଚାଲିଯାଇଛନ୍ତି ତ ବନ୍ଧୁତା କୋଉଁଠି ରହିଲା ଯେ ଡିଲ କରିବେ। 42000 ଭୋଟରେ ହାରି ନିଜେ ଆତ୍ମସନ୍ତୋଷ ପାଇବା ପାଇଁ ଏଭଳି ଅବାସ୍ତବ କଥା ବିଜେପି ନେତା କହୁଛନ୍ତି। ପ୍ରଦୀପ ପୁରୋହିତ ବାଧ୍ୟ ବାଧ୍ୟ କଂଗ୍ରେସ ଭୋଟ ବିକ୍ରି କଥା କହୁଛନ୍ତି।  ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଙ୍ଘାତିକ ହେବ।

Comments are closed.