Latest Odisha News

BREAKING NEWS

କେନିଆରେ ରଥଯାତ୍ରା: ଘଣ୍ଟ-ଘଣ୍ଟା ଓ ମୃଦଙ୍ଗ କୀର୍ତ୍ତନ ସହିତ ନାଇରୋବିରେ ରଥ ଗଡ଼ିଲା

ଭୁବନେଶ୍ୱର : କଳା କଳା ବଡ଼ ଚକା ଆଖିରେ ସେ ସାରା ଜଗତକୁ ଦେଖନ୍ତି । ପ୍ରଲମ୍ବିତ ବଳିଆର ଭୂଜ ବାହୁ ପ୍ରସାରି ସାରା ଜଗତରେ ଭକ୍ତଙ୍କ ଦୁଃଖ ସୁଖ ସହିତ ନିଜକୁ ଜଡ଼ିତ କରିଦିଅନ୍ତି ମହାପ୍ରଭୁ । ଜଗତର ନାଥ ସେ ଜଗତନାଥ ମହାପ୍ରଭୁ ଜଗନ୍ନାଥ । ବିଶ୍ୱର ଅଧିକାଂଶ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହିବର୍ଷ ବିଶ୍ୱର ପ୍ରାୟ ୨୦୦ଟି ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି ଆଫ୍ରିକୀୟ ରାଷ୍ଟ୍ର କେନିଆରେ ମଧ୍ୟ ମହାସମାରୋହରେ ଦାରୁବ୍ରହ୍ମଙ୍କର ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।

କେନିଆର ରାଜଧାନୀ ନାଇରୋବିରେ ରହିଥିବା ପ୍ରବାସୀ ଓଡ଼ିଆ ତଥା ଭାରତୀୟମାନେ ପାଳନ କରିଥିଲେ ରଥଯାତ୍ରା ଉତ୍ସବ । ନାଇରୋବିରେ ଥିବା ଶ୍ରୀଜଗନ୍ନାଥ (ଇଷ୍ଟ ଆଫ୍ରିକା)ସମାଜ ପକ୍ଷରୁ ଦୀର୍ଘ ୬ବର୍ଷ ଧରି ରଥଯାତ୍ରା ପାଳିତ ହେଉଛି । ଏବର୍ଷ ମଧ୍ୟ ନାଇରୋବୀରେ ଥିବା ପ୍ରବାସୀ ଓଡ଼ିଆମାନେ ପାଳନ କରିଥିଲେ ମହାପ୍ରଭୁଙ୍କ ରଥଯାତ୍ରା ।

ଏହି ରଥଯାତ୍ରା ଉତ୍ସବରେ ନାଇରୋବିରେ ଥିବା ପ୍ରାୟ ୬୦ଟି ଓଡ଼ିଆ ପରିବାର ଅଂଶଗ୍ରହଣ କରିଥିଲେ ।

“ଆମେ ଏଠାରେ ଥିବା ପ୍ରାୟ ୧,୦୦୦ ଜଣ ଲୋକଙ୍କୁ ଏହି ରଥଯାତ୍ରାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲୁ । ନାଇରୋବିରେ ଥିବା ଗୁଜରାଟି, ସ୍ଥାନୀୟ ଅଧିବାସୀ, ପଞ୍ଜାବୀ, ଦକ୍ଷିଣଭାରତୀୟ ତଥା ଇସ୍କନ ଭକ୍ତମାନେ ମଧ୍ୟ ବହୁଳ ଭାବେ ଏହି ରଥଯାତ୍ରାରେ ଅଂଶଗ୍ରହଣ କରିଥିଲେ” । ରଥଟଣା ଏଠାରେ ରହିଥିବା କୁସି ଲେନରୁ ଆରମ୍ଭ ହୋଇ ସେହି କୁସି ଲେନଠାରେ ହିଁ ଶେଷ କରିଥିଲୁ,” ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସମାଜର ଅଧ୍ୟକ୍ଷ ପ୍ରମୋଦ ସାହୁ ।

ସ୍ଥାନୀୟ ଶିଳ୍ପୀଙ୍କ ଦ୍ୱାରା କାଠରେ ନିର୍ମିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ମୂର୍ତ୍ତି ନିର୍ମିତ ହୋଇଛି ।

ପାରମ୍ପରିକ ରଥଯାତ୍ରା ଓ ପୂଜା ଶେଷରେ କେନିଆ ପାର୍ଲିଆମେଣ୍ଟର ସଦସ୍ୟ ଡ଼ଃ ସ୍ୱରୂପ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ସମବେତ ଶ୍ରଦ୍ଧାଳୁମାନଙ୍କୁ ରଥଯାତ୍ରାର ତାତ୍ପର୍ଯ୍ୟ ଓ ଶ୍ରୀଜଗନ୍ନାଥଙ୍କ ଅଲୌକିକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ରଥଯାତ୍ରାରେ ଶତାଧିକ ଓଡ଼ିଆ ତଥା ପ୍ରବାସୀ ଭାରତୀୟମାନେ ଘଣ୍ଟ ଘଣ୍ଟା, ହୁଳହୁଳି ତଥା ଶଙ୍ଖନାଦରେ ରଥଟାଣି ଥିବାର ଦେଖାଯାଇଛି । ଶ୍ରୀଜଗନ୍ନାଥପ୍ରେମୀ ଓଡ଼ିଆ ଭକ୍ତମାନେ ରଥଟଣା ଯିବା ସମୟରେ ଭଜନ, କୀର୍ତ୍ତନ ସହିତ ମୃଦଙ୍ଗ କରତାଳ ବଜାଇ ଆନନ୍ଦରେ ଚତୁର୍ଦ୍ଧା ମୂରତୀ ବସିଥିବା ରଥକୁ ଟାଣିଥେିଲେ । ନାଇରୋବିର ରାଜରାସ୍ତାରେ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ରଥଯାତ୍ରା ସେଠାରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥିଲା ।

ସର୍ବଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.