Latest Odisha News

ରାଜ୍ୟ ଫରେନସିକ ଲ୍ୟାବ ଉପରେ ନାହିଁ ଇଡିର ଭରସା, ନିଜ ଏକ୍ସପର୍ଟଙ୍କ ଜରିଆରେ ତଦନ୍ତ କରିବ!

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାର ସମସ୍ତ ରହସ୍ୟ ସେ ବ୍ୟବହାର କରୁଥିବା ମୋବାଇଲ, ଲାପଟପ ଆଦିରେ ଲୁଚି ରହିଛି। ଯଦିଓ କମିଶନରେଟ ପୋଲିସ ଏହି ସବୁ ଜବତ କରି ରାଜ୍ୟ ଫରେନସିକ ଲ୍ୟାବକୁ ପଠାଇଥିଲା। ହେଲେ ରିପୋର୍ଟରେ ଆଶା ଅନୁଯାୟୀ ସେଭଳି କିଛି ରିପୋର୍ଟ ନଆସିବାପରେ ଫରେନସିକ ଲ୍ୟାବକୁ ଗ୍ରହଣ କରିପାରିନି ଇଡି।

ମିଳିଥିବା ସୂଚନା ଅନୁଯାୟୀ ଇଡି ଏବେ ହାଇକୋର୍ଟ ଯିବାକୁ ଯୋଜନା କରିଥିବା ସୂଚନା ରହିଛି। ରାଜ୍ୟ ଫରେନସିକ ଲ୍ୟାବରୁ ଅର୍ଚ୍ଚନାଙ୍କ ମୋବାଇଲ ଏବଂ ଅନ୍ୟାନ୍ୟ ଡିଜିଟାଲ ଉପକରଣ ଆଣି ନିଜ ଏକ୍ସପର୍ଟ ବା ବିଶେଷଜ୍ଞଙ୍କ ଦ୍ୱାରା ତଦନ୍ତ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।

ଏହି ମାମଲାରେ କମିଶନରେଟ ପୋଲିସ ଓ ଇଡି ତଦନ୍ତ କରୁଛି। କମିଶନରେଟ ପୋଲିସ କିନ୍ତୁ ଏହି ମାମଲାରେ ଅନେକ କିଛି ଲୁଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ରହିଛି। ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ପରେ କମିଶନରେଟ ପୋଲିସ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ସୂଚନା ରହିଛି। ଏହି ହନିଟ୍ରାପ ମାମଲାରେ ରାଜ୍ୟର ଶାସକ ଦଳ ଏବଂ ବିରୋଧୀ ଦଳର ନେତା, ବାବୁମାନଙ୍କ ସଂପୃକ୍ତି ଥିବାରୁ ବିବାଦରେ ରହିଛି କମିଶନରେଟ ପୋଲିସ।

ଅନ୍ୟପଟେ ଅର୍ଚ୍ଚନାଙ୍କୁ ଜେରା କରିବା ପାଇଁ ଜିଲ୍ଲା ଦୌରାଜଜଙ୍କ ଅନୁମତି ଲୋଡିଛି ଇଡି। ଆବେଦନ ପରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଇଡି ଆବେଦନରେ ଦର୍ଶାଇଛି ଯେ ଆସନ୍ତା ୫ ତାରିଖରୁ ଜେଲକୁ ଯାଇ ଅର୍ଚ୍ଚନା ଓ ଖଗେଶ୍ବର ପାତ୍ରଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଖଗେଶ୍ବରଠାରୁ ଜବତ ହୋଇଥିବା ୪ଟି ମୋବାଇଲରୁ ଇଡି କିଛି ସୁରାକ୍‌ ପାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପଚରାଉଚରା କଲେ ଇଡି ତଦନ୍ତରେ ସହଯୋଗ ହେବ ବୋଲି କୋର୍ଟକୁ ଜଣାଥିଲା ଇଡି।

 

Comments are closed.