Latest Odisha News

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏହି ନିଯୁକ୍ତି ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କିମ୍ବା ପରବର୍ତ୍ତୀ ଆଦେଶ ଯାଏ କାର୍ଯ୍ୟକାରୀ ହେବ। ଆଇଆଇଏମ ଅହମ୍ମଦାବାଦର ପୂର୍ବତନ ଛାତ୍ର ବିଧୁଭୂଷଣ ମିଶ୍ର ୨୦୨୨ ଏପ୍ରିଲ ୩୦ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବ୍ୟବସାୟ ପ୍ରଶାସନ ବିଭାଗର ଅଧ୍ୟାପକ ଭାବେ ଅବସର ଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପୂର୍ବରୁ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜିନେସ୍ ଆଡମିନିଷ୍ଟ୍ରେସନର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।

ସେ ପ୍ରାୟ ନଅଟି ପୁସ୍ତକ ରଚନା କରିଛନ୍ତି। ସେ ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ମୋଟ ୧୨୨ଟି ଲେଖା ପ୍ରଦାନ କରିଛନ୍ତି। ଶ୍ରୀ ମିଶ୍ରଙ୍କର ୩୪ ବର୍ଷରୁ ଅଧିକ ସମୟ ଧରି ଶିକ୍ଷାଦାନର ଅଭିଜ୍ଞତା ରହିଛି। ଜଣେ ଡିଲିଟ, ୩୯ ଜଣ ପିଏଚଡି ଓ ତିନି ଜଣ ଏମଫିଲ ଧାରୀଙ୍କୁ ସେ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି। ପୂର୍ବରୁ ଅନେକ ବିବାଦରେ ଫସିଥିବା ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ହୋଇଛି।

Comments are closed.