Latest Odisha News

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ ମଧ୍ୟ ହେଉଛି । ହେଲେ ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।   ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଘନ କରି ପଥରକୁଆଁରୀରୁ ପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଖଡ଼ିଆଳ ତହସିଲର ଋଷିଗାଁ ପଞ୍ଚାୟତରୁ  ।

ଖଡ଼ିଆଳ ପାଖ ଋଷିଗାଁ ଗ୍ରାମ ପଞ୍ଚାୟତରେ ଅନେକ ଗୁଡିଏ ପଥର କୁଆଁରି ଅଛି। ଏହି କୁଆଁରୀ  ସରକାରଙ୍କର ରାଜସ୍ୱ ବିଭାଗର ସତ କିନ୍ତୁ ଏହା ଉପରେ ହୁକୁମତ ଜମାଇଛନ୍ତି ପଥର ମାଫିଆ। ଦିନ ରାତି ମନ ଇଛା ବେଆଇନ ପଥର ବ୍ଲାଷ୍ଟିଙ୍ଗ କରୁଛନ୍ତି। ପାହାଡ଼ର ପରିବେଶ ନଷ୍ଟ ହେବା ସହ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହେଉଛି ।

ବିଶେଷ କରି ଋଷିଗାଁ ,ସରଗାଦି ଓ ନରସିଂହପୁରକୁ ଲାଗି ରହିଥିବା କୁଆଁରି ଯୋଗୁ ସ୍ଥାନୀୟ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି ।  ଏହି କୁଆଁରୀକୁ ଲିଜ ନେଇଥିବା କ୍ରସରର ଉଚ୍ଚ ସମ୍ପନ୍ନ ବିସ୍ଫୋରଣ ଯୋଗୁଁ ଗାଁରେ ଲୋକେ ରହିପାରୁ ନାହାନ୍ତି । ଘର ଗୁଡିକ ଫାଟି ଆଁ କଲାଣି । ଗାଁର ପରିବେଶ ଦୂଷିତ ହେବା ସହ ପଥର ଗୁଣ୍ଡ ଉଡି ବିଭିନ୍ନ ପ୍ରକାର ଶ୍ୱାସ ରୋଗ ମଧ୍ୟ ଦେଖା ଦେଉଛି । ଏମିତିକି ବର୍ତ୍ତମାନ ତିନୋଟି ଗାଁର ଷାଠିଏ ଭାଗ ଲୋକ କିଡନୀ ରୋଗରେ ଆକ୍ରାନ୍ତ ଥିବା ଲୋକେ ଅଭିଯୋଗ କରିଛନ୍ତି । ଦିନ ରାତି କ୍ରସର ମେସିନ ଚାଲୁଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି କ୍ରସର ବନ୍ଦ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ ପ୍ରଶାସନ ନିରବ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଖଡ଼ିଆଳ ତହସିଲ ଅଧୀନରେ ଥିବା ଋଷିଗାଁ ଯୋଗୀମଠ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ସତ । ହେଲେ ବର୍ତ୍ତମାନ ଖଡ଼ିଆଳ ତହସିଲ ବିଭାଗର ଖାମଖିଆଲ୍ ନୀତି ଯୋଗୁଁ ଐତିହାସିକ ଯୋଗୀମଠ ଲୀନ ହେବାର ଆଶଙ୍କା ଦେଖାଦେଇଛି। ପଥର ମାଫିଆଙ୍କ କବ୍ଜାରେ ଏବେ ଋଷିପୀଠ ଥିବା ବେଳେ ସେମାନଙ୍କୁ ପୂର୍ଣ ସହଯୋଗ କରୁଛି ଖଡ଼ିଆଳ ରାଜସ୍ବ ବିଭାଗ । ଦିନରାତି ପଥର ଖାଦାନମାନେ ଚାଲୁଥିବାରୁ ଧୁଳି ଗୁଣ୍ଡରେ ସ୍ଥାନୀୟ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ କମ୍ପାନୀ ଲିଜଠାରୁ ଅଧିକ ଅଞ୍ଚଳ ଖନନ କରୁଛି ।  ଗୋଟିଏ ପଟେ ସରକାରୀ ଧାର୍ଯ୍ୟ ପରିସୀମା ବାହାରେ ଖନନ କରି  ରାଜସ୍ୱ ବିଭାଗକୁ ଭକୁଆ ବନେଇ ଶହଶହ ଗୁଣା ଅଧିକ କ୍ୱାରି ଲୁଟି ଚାଲିଛନ୍ତି ।   ଆଉ   ଧର୍ମକୁ ଆଖି ଠାର ଭଳି ରାଜସ୍ୱ ବିଭାଗ ଚଢ଼ାଉ କରି ଅଳ୍ପ କିଛି ଫାଇନ କାଟି ଚୁପ ବସିଯାଉଛି । ବିଶେଷ କରି ଋଷିଗାଁ ପାଇଁ ଏହି ପଥର କ୍ୱାରି ଗୁଡିକ ଅଭିଶାପ ପାଲଟିଛି। କ୍ରସର ଗୁଡିକ ବନ୍ଦ ନହେଲେ ଆଗାମୀ ଦିନରେ ଆଇନକୁ ହାତକୁ ନେଇ ଜୋର ଜବରଦସ୍ତ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ   ।  ଆମେ ଏବାବଦରେ ଖଡ଼ିଆଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ଏବାବଦରେ କିଛି ପ୍ରତିକ୍ରିୟା ଦେବା ପାଇଁ ସେ ରୋକଠୋକ ମନା କରି ଦେଇଛନ୍ତି । ଯାହା ବି ହେଉ, ଋଷିଗାଁ ସ୍ଥିତ ପଥର କୁଆଁରିକୁ ବନ୍ଦ କରିବା ସହ ଗାଁରେ ଶାନ୍ତି ଫେରାଇ ଆଣିବା ଜରୁରୀ ହୋଇ ପଡିଛି ।

Comments are closed.