Latest Odisha News

BREAKING NEWS

ମଧ୍ୟବିତ୍ତ ପରିବାରବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ଆରଏସଏସର ଆହ୍ୱାନ

ନୂଆଦିଲ୍ଲୀ: ଫେବୃଆରୀରେ ବଜେଟ ଆଗତ କରିବେ କେନ୍ଦ୍ର ସରକାର। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଏଥିସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବାରୁ ଏହି ବଜେଟର ରୂପରେଖ ଆବଶ୍ୟକ ପଡିଲେ ଭୋଟ୍ ବ୍ୟାଙ୍କ ଉପରେ ପଡିପାରେ। ତେଣୁ ଭୋଟ୍ ବ୍ୟାଙ୍କକୁ ସୁହାଇଲା ଭଳି କେନ୍ଦ୍ରର ଶାସକ ଦଳ ବିଜେପିକୁ କହିଛି ଆରଏସଏସ। ଯିଏକି ଶାସକ ଦଳର ଆଦର୍ଶଗତ ପରାମର୍ଶଦାତା। ମୁଖ୍ୟତଃ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ସୁହାଇଲା ଭଳି ବଜେଟ ଆଗତ କରିବାକୁ ଆରଏସଏସ କେନ୍ଦ୍ରକୁ କହିଛି।

ସାରା ଦେଶରୁ ମିଳିଥିବା ମତାମତକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ। ଏହି ମତାମତକୁ ଆଧାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି ଆରଏସଏସ । ବିଶେଷ କରି ମୁଦ୍ରାସ୍ଫୀତି, ବେକାରୀ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ମଧ୍ୟବିତ୍ତଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ସମ୍ପର୍କରେ ଆରଏସଏସ ବିଜେପିକୁ ଅବଗତ କରିଥିବା କୁହାଯାଉଛି।

ଆରଏସଏସର ଜଣେ କର୍ମୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଆରଏସଏସର ବରିଷ୍ଠ ସଦସ୍ୟଙ୍କ ନେତୃତ୍ୱ ନିକଟରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟମ ବର୍ଗ ବିଷୟରେ ନିଜର ଆଭିମୁଖ୍ୟ ବାବଦରେ ଅବଗତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଆରଏସ୍ଏସ୍ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବୋଲେ ଦେଶରେ ପ୍ରଚଳିତ ଦାରିଦ୍ର୍ୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଦେଶରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ସେ ନିଜର ମତ ରଖିଥିଲେ। ହୋସବୋଲେଙ୍କ ଚିନ୍ତାକୁ ନେଇ ବିଜେପିରେ ଅନେକ ଲୋକ ଚିନ୍ତାବ୍ୟକ୍ତ କରିଥିଲେ।

ସଙ୍ଘର କର୍ମକର୍ତ୍ତା କହିଛନ୍ତି, ମଧ୍ୟବିତ୍ତଙ୍କୁ ଫୋକସରେ ରଖି ବାର୍ଷିକ ବଜେଟ୍ ପ୍ରସ୍ତୁତ କରିବାକୁ ସଙ୍ଘ ବିଜେପି ଓ କେନ୍ଦ୍ର ସରକାରଙ୍କୁ କହିଛି। ଫେବ୍ରୁଆରି ୧ ତାରିଖରେ ବଜେଟ୍ ଉପସ୍ଥାପନ ହେବ ଏବଂ ଏହା ବର୍ତ୍ତମାନର ଏନଡିଏ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ମଧ୍ୟବିତ୍ତ ବର୍ଗର ଲୋକମାନେ ସଙ୍ଘର ସଦସ୍ୟଙ୍କ ସହିତ ନିଜର ଆର୍ଥିକ ସମସ୍ୟା ବାଣ୍ଟିଛନ୍ତି। ତେଣୁ ସେମାନଙ୍କ ଅସନ୍ତୋଷ ଓ ଆଗାମୀ ନିର୍ବାଚନ ପୂର୍ବରୁ ସରକାରଙ୍କ ପ୍ରତି ଥିବା ଆଶା ଆକାଂକ୍ଷା ସମ୍ପର୍କରେ ବିଜେପି ଓ ସରକାରଙ୍କୁ ଅବଗତ କରାଯାଇଛି ବୋଲି ସଙ୍ଘ କର୍ମକର୍ତ୍ତା କହିଛନ୍ତି।

ବିମୁଦ୍ରୀକରଣ ସମୟରୁ ଆରମ୍ଭ କରି କୋଭିଡ୍ ମହାମାରୀର ପ୍ରକୋପ ଯାଏ ସରକାରଙ୍କ ପ୍ରତ୍ୟେକ କଠୋର ନିଷ୍ପତ୍ତି ସହିତ ମଧ୍ୟବିତ୍ତ ବର୍ଗର ଲୋକମାନେ ସମର୍ଥନ କରିଛନ୍ତି। ରାଜ୍ୟ ସରକାର ଏବଂ ବିଜେପିଠାରୁ ସେମାନେ ଆଶା ରଖିଛନ୍ତି। ପୁରୁଣା ପେନସନ ଯୋଜନା ପ୍ରତି ବଢୁଥିବା ସମର୍ଥନ ସମ୍ପର୍କରେ ବିଜେପି ଓ ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି।

 

Comments are closed.