Latest Odisha News

BREAKING NEWS

ହିନ୍ଦୁ ନୁହଁନ୍ତି ବୋଲି ମନ୍ଦିର ଭିତରକୁ ପ୍ରବେଶ କରିପାରିଲେନି ଅଭିନେତ୍ରୀ: କହିଲେ, ଦୁଃଖ ଲାଗୁଛି…

ଏର୍ଣ୍ଣାକୁଲମ: ହିନ୍ଦୁ ହୋଇ ନଥିବାରୁ ମନ୍ଦିର ଭିତରେ ପ୍ରବେଶ କରିପାରିଲେ ନାହିଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମାଲା ପୌଲ୍। ଏହି ଅଭିଯୋଗ ସେ ନିଜେ କରିଛନ୍ତି। ସୋମବାର କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଥିବା ଥିରୁବରଣୀକୁଲମ ମହାଦେବ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ଅଭିନେତ୍ରୀ। ହେଲେ ମନ୍ଦିର ପ୍ରଶାସନ ତାଙ୍କୁ ଭିତରେ ପ୍ରବେଶ କରିବାକୁ ଅନୁମତି ଦେଇନଥିଲା ବୋଲି ଅମାଲା ଅଭିଯୋଗ କରିଛନ୍ତି।

ସେ ହିନ୍ଦୁ ହୋଇନଥିବାରୁ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଗଲା ନାହିଁ। ରାସ୍ତା ବାହାରେ ଛିଡ଼ା ହୋଇ ବାହାରୁ ଦେବୀଙ୍କ ଦର୍ଶନ କରି ଫେରିଯିବାକୁ ବାଧ୍ୟ କରାଗଲା। ନିକଟରୁ ଦର୍ଶନ ନ କଲେ ବି ସେ ଦୈବିକ ଅନୁଭବ ନେଇ ଫେରିଲେ ବୋଲି ଅଭିନେତ୍ରୀ କହିଛନ୍ତି। ମନ୍ଦିର ଦର୍ଶକଙ୍କ ପାଇଁ ଉଦିଷ୍ଟ ଥିବା ଭିଜିଟର ରେଜିଷ୍ଟରରେ ଅଭିନେତ୍ରୀ ଏପରି ଲେଖିଛନ୍ତି।

ଏଥିରେ ସେ ଲେଖିଛନ୍ତି “ ୨୦୨୩ରେ ବି ଧର୍ମଗତ ଭେଦଭାବ ରହିଛି ତାହା ଜାଣି ଖୁବ ନିରାଶ ଅନୁଭବ କଲି। ମୁଁ ସିନା ଦେବୀଙ୍କ ନିକଟକୁ ଯାଇପାରିଲି ନାହିଁ ହେଲେ ଦୂରରୁ ଛିଡ଼ା ହୋଇ ଦୈବିକ ସତ୍ତାକୁ ଅନୁଭବ କରିପାରିଲି। ମୁଁ ଆଶା କରୁଛି ଏଭଳି ଧାର୍ମିକ ଭେଦଭାବରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ଆସିବ। ବର୍ତ୍ତମାନ ସମୟ ଆସିଛି ଯାଇଛି ଯେ ଆମେ ସମସ୍ତଙ୍କୁ ସମାନ ଭାବରେ ଦେଖିବା। ଧର୍ମ ଆଧାରରେ ନୁହେଁ।”

ଏହି ଘଟଣାକୁ ସାମ୍ନାକୁ ଆସିବା ପରେ ଥିରୁବରଣୀକୁଲମ ମହାଦେବ ମନ୍ଦିର ଟ୍ରଷ୍ଟ ସ୍କାନରରେ ରହିଛି। ତେବେ ମନ୍ଦିର ପ୍ରଶାସନର କହିବା କଥା ହେଲା ସେମାନେ କେବଳ ନୀତି ନିୟମକୁ ଅନୁସରଣ କରିଛନ୍ତି ଯାହା ପୂର୍ବ କାଳରୁ ରହିଆସିଛି। ଏନେଇ ଟ୍ରଷ୍ଟ ସମ୍ପାଦକ ପ୍ରସୁନ କୁମାର କହିଛନ୍ତି “ ବିଭିନ୍ନ ଧର୍ମର ଅନେକ ଭକ୍ତ ମନ୍ଦିର ଦେବୀଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। କିନ୍ତୁ କେହି ଜାଣୁ ନାହାନ୍ତି। କିନ୍ତୁ ଯଦି କେହି ସେଲିବ୍ରେଟି ଆସିଲେ ତେବେ ଏହା ବିବାଦୀୟ ହୋଇପଡ଼ୁଛି।”

Comments are closed.