ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଭିଏଁ ଭାଷା ବ୍ୟବହାର
କରଂତି ନିତି ବାରଂବାର
ନ ହୋଇ କେବେ ସଚେତନ
ଥାଏ ଭାଷାର ବ୍ୟାକରଣ
ଭାଷା ଯେହେତୁ ସ୍ବାଭାବିକ
ବୁଝଂତିନାହିଁ ବହୁ ଲୋକ
ଥାଏ ନୀତି, ନିୟମମାନ
ସେଆଡ଼େ ଦିଅଂତିନି ଧ୍ୟାନ
ଜଣେ କହିଲେ ଜଣେ ବୁଝି
କଥାବାର୍ତାକୁ ହେଲେ ରାଜି
ଅନ୍ୟ କାହାର ହସ୍ତକ୍ଷେପ
କରଇ ସଦ୍ଭାବନା ଲୋପ
କରିଲେ ଔଚିତ୍ୟ ବିଧାନ
ଅବା ନିୟମ ପ୍ରବର୍ତନ
ତହିଁର ସୁସ୍ଥ ପ୍ରଚଳନ
ହୁଏ କେବଳ ଦିବାସ୍ବପ୍ନ
ବାସ୍ତବ ଉଚ୍ଚାରିତ ବାଣୀ
ଲୋକେ ଏଠି ଓ ସେଠି ଶୁଣି
ପାରଂତି ବୁଝି ଆଉ ଜାଣି
ଗ୍ରାହ୍ୟ, ଅଗ୍ରାହ୍ୟ ଆପେ ମାନି
ଅଧିକ ଭାଷୀ ଲେଖାଲେଖି
କଲେ ଅନେକେ ପଢ଼ି, ଦେଖି
ପାରଂତି ନାନା କଥା ଶିଖି
ହୁଅଂତି ସ୍ବଭାଷାର ସାକ୍ଷୀ
ଅଯଥା ଖୁଣ ଖୋଜାଖୋଜି
କାମରେ ରହିଥିଲେ ମଜ୍ଜି
ଘଟେନି ବିକାଶ, ଉନ୍ନତି
ବୁଝଂତୁ ଭାଷାଭାଷୀ ବ୍ୟକ୍ତି
ଭାଷୀଂକୁ ଦେଲେ ସ୍ବାଧୀନତା
କହଂତି ମନଖୋଲା କଥା
ତହିଁରୁ ମିଳେ ସ୍ବାୟତ୍ତତା
ନ ରହେ କୌଣସି ଦୁଶ୍ଚିଂତା
Comments are closed.