ତରୁଣ କୁମାର ମିଶ୍ର
ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି
ଉଭୟଙ୍କ ରଙ୍ଗ କଳା ,
କାଉ ରାବ ଶୁଣି ବିରକ୍ତି ଆସଇ
କୋଇଲିର ମଧୁବୋଳା ।
କାଉ ବସା ଦେଖି କୋଇଲି ତାହାର
ଅଣ୍ଡା ଦେଇଥାଏ ରଖି ,
ଛୁଆ ବାହାରିକି କୁହୁ କୁହୁ କହେ
କୁଆ ଦିଏ ତାକୁ ଖୁମ୍ପି ।
କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ
ବସା ବନେଇ ପାରେନି ,
କାଉ ବସା ବାନ୍ଧେ ଛୁଆ ବି ଫୁଟାଏ
ଗୀତ ଗାଇ ପାରେ ନାହିଁ ।
ମାଟିରୁ ଉଠିଛି ଗଛ ଦୁଇଗୋଟି
ଆମ୍ବ ଓ ଆମ୍ବଡ଼ା ନାମେ ,
ଆମ୍ବ ଲାଗିଥାଏ ପାଟିକୁ ସ୍ବାଦିଷ୍ଟ
ଆମ୍ବଡ଼ା ଆମ୍ବିଳ ଗୁଣେ ।
ମାଟି କିନ୍ତୁ ଏକ ଗଛ ଦୁଇଗୋଟି
ଅଲଗା ଅଲଗା ସ୍ବାଦ ,
କହିଦିଅ ବନ୍ଧୁ ଏହି ସ୍ବାଦ ପାଇଁ
କିଏ ଦାୟୀ ହେବ ଆଗ ।
ଅତି ବଡ଼ ଲୋକ ଅବା ସେ ଗରୀବ
ଶବ ହୋଇ ଆସେ ଯେବେ ,
ଛ ଖଣ୍ଡି ବାଉଁଶ ନଡ଼ା ମଶିଣା ରେ
ବନ୍ଧା ହୋଇଥାଏ ତେବେ ।
ସବୁ ଅର୍ଜନକୁ ପଛରେ ପକାଇ
ଖାଲି ହାତକୁ ହଲାଇ ,
କହୁଥାଏ ଶବ ଦେଖ ମୋ ହାତକୁ
କିଛି ନେଇଯାଉ ନାହିଁ ।
ମଣିଷ ନିଅଇ ମଣିଷର ଶବ
ରାମ ନାମ ସତ୍ଯ କହି ,
ମଶାଣି ଭୂଇଁରୁ ଫେରିଆସି ପୁଣି
ଲୁଟିବାରେ ଲାଗେ ରହି।
ଦେବାଳୟ ପାଶେ ଭିକାରୀ ମାଗିଲେ
ମନେ ଜାଗେ ଅସନ୍ତୋଷ ,
ମନ୍ଦିର ଭିତରେଆମେ ମାଗିଥାଉ
ଦିଅଁ ଦେଖି ହସ ହସ।
ଭିକାରୀ ମାଗଇ ଗଳାକୁ ଫଟାଇ
ମାଆ ବାବୁ ଦୟା କର ,
ଚୁପି ଚୁପି କରି ଆଖି ବୁଜି ଆମେ
ଈଶ୍ବରଙ୍କୁ ମାଗୁଁ ବର ।
ବାହାରେଯେମାଗେ ନାମତାଭିକାରୀ
ଭକତ ଭିତରେ ମାଗେ ,
ଭିକାରୀର ଥାଳ ଫାଙ୍କା ପଡ଼ିଥାଏ
ଦିଅଁ ଥାଳ ଭରା ଭୋଗେ ।
ଏ ସବୁ ଭାବନା ଆସଇ ମନକୁ
ଉତ୍ତର ମୁହିଁ ନ ପାଏ ,
ଯଦି ଜାଣିଥାଅ କହିବକି ବନ୍ଧୁ
କାହିଁକି ଏମିତି ହୁଏ।
ଭୁବନେଶ୍ବର
Comments are closed.