ସସ୍ମିତା ପ୍ରଧାନ
କେହିଜଣେ
ଆସିଥିଲା ମୋ ଜୀବନରେ
ଅତର୍କିତ ଭାବେ
ଅତି ନିଜର ହୋଇ
ଆପଣା ଲୋକଙ୍କଠାରୁ
ଅଧିକ ଭଲ ପାଇ…।
ଅନାବନା ଭାବନାରେ
ଅନ୍ୟ ମନସ୍କ ରହୁଥିଲି
ଅଳପ କହି ବେଶି ହସୁଥିଲି
ଅଗଣାରେ ଝୁଣ୍ଟି ପଡି
ଆକାଶରେ ଉଡୁଥିଲି
ଅଳ୍ପ ଦିନେ ତାର ହୋଇଗଲି….।
ଅଳସୀ ଆଖିରେ ମୋର
ଅଜସ୍ର ସ୍ୱପ୍ନ ଭରିଦେଲା
ଆଖର ନିଦ ଚୋରେଇ
ଅସୁମାରୀ ଇଚ୍ଛା ଆଣିଦଲା…
ଅମାନିଆ ମନକୁ ମୋ
ଅତୁଟ ବନ୍ଧନେ ବାନ୍ଧି ଦେଲା…।
ଅଲୋଡା ଜୀବନରେ
ଆଶାର ଆଲୋକ ଦେଖାଇଲା
ଆଣି ଦେଲା ଜୀବନରେ
ଅଗଣିତ ଖୁସି
ଆପଣେଇ ନେଲା କରି ବିନା ଚୁକ୍ତି…।
ଆମେ ଦୁହେଁ ଖୁସି ଥିଲୁ
ଆମ ଦୁନିଆରେ
ଆଶଙ୍କାର ଚିହ୍ନ ନ ଥିଲା
ଆମ ପ୍ରେମ ଇଲାକାରେ..।
ଅଦିନିଆ ଝଡ ଆସିଲା
ଆମ ସମ୍ପର୍କରେ
ଅବିଶ୍ୱାସ, ସନ୍ଦେହର ସୁନାମି ପଶିଲା
ଆଶାର ସୌଧ ଭିତରେ
ଅବିଳମ୍ବେ ଭାଙ୍ଗିଗଲା
ଆମ ସ୍ୱପ୍ନର ମହଲ
ଆମର ସବୁ ପ୍ରୟାସ
ଅଯଥାରେ ବୃଥା ହେଲା…।
ଅଲଗା ହୋଇ ଗଲା
ଆମ ଦୁହିଁଙ୍କର ଗତିପଥ
ଆଜି ବି ଉଠେ ମନରେ ପ୍ରଶ୍ନ
ଆସିଥିଲ କାହିଁ ଜୀବନରେ ମୋର
ଆପଣାର କରି ଛାଡିଲ ହାତ
ଅଗଭୀର ଜଳେ ପାଉନି କାତ…….।
ରାଜନଗର, କେନ୍ଦ୍ରାପଡା
Comments are closed.