Latest Odisha News

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ମୁକାବିଲା

ଲାଉଡ଼ରହିଲ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆଜିଠୁ ଆରମ୍ଭ କରୁଛି ତା’ର କାରବିୟାନ୍ ଅଭିଯାନ । ଭାରତୀୟ ଦଳ ଏହି ଗସ୍ତକ୍ରମରେ ୩ଟି ଟି-୨୦ ମ୍ୟାଚ, ୩ଟି ଦିନିକିଆ ଅନ୍ତର୍ଜାତୀୟ ତଥା ୨ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଲାଉଡ଼ରହିଲଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତୀୟ ସମୟ ରାତି ୮ଟା ବେଳେ ଏହି ଟି-୨୦ ମ୍ୟାଚ୍ ଖେଳାଯିବ ।

ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ କ୍ରିକେଟରେ ସେମିଫାଇନାଲ ମ୍ୟାଚରେ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇ ଅଭିଯାନ ସମାପ୍ତ କରିଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସମସ୍ତ ସିରିଜ୍ ଜିତି ଦଳର ଶ୍ରେଷ୍ଠତ୍ୱ ଜାହିର୍ କରିବାକୁ ଉଦ୍ୟମ କରିବ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦, ଦିନିକିଆ ତଥା ଟେଷ୍ଟ ସିରିଜରେ ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟିତ ହେବ ।

ଦଳରେ କିଛି ନୂଆ ଖେଳାଳି ଅନ୍ତର୍ଭୃକ୍ତ ହୋଇଥିବା ବେଳେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଦଳର ନିୟମିତ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଉଦୀୟମାନ କିପର୍ ରିଷଭ ପନ୍ଥ ନୂଆ ଦାୟିତ୍ୱ ନେବେ । ସେହିପରି ଦୁର୍ଦ୍ଦଶ ଓପନର୍ ଶିଖର୍ ଧାୱନ ଏବଂ ମନୀଷ ପାଣ୍ଡେ ଦଳକୁ ଫେରିଥିବା ବେଳେ ପୂର୍ବପରି ବ୍ୟାଟିଂ ଲାଇନ୍ ଅପ୍ ଶକ୍ତିଶାଳୀ ସାବ୍ୟସ୍ତ ହେବ । ଦଳରେ ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ରାହୁଲ ଚହର, ଶ୍ରେୟସ ଆୟର ଏବଂ ଖଲିଲ୍ ଅହମ୍ମଦଙ୍କୁ ନୂଆ ଖେଳାଳିଭାବେ ସାମିଲ୍ କରାଯାଇଛି ।

ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ କିରଣ ପୋଲାର୍ଡ଼ ଓ ସୁନୀଲ୍ ନାରାୟଣ ଅନ୍ତର୍ଭୃକ୍ତ ହେବାପରେ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇ ଭାରତକୁ ନିଶ୍ଚିତ ରୂପେ ଚ୍ୟାଲେଞ୍ଜ୍ ଦେବ ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ଲୋକେଶ ରାହୁଲ, ରବୀନ୍ଦ୍ର ଜାଡ଼େଜା, କ୍ରୁନାଲ୍ ପାଣ୍ଡ୍ୟା, ରିଷଭ ପନ୍ଥ, ୱାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ଦୀପକ ଚହର ଏବଂ ନବଦୀପ ସାଇନି ।

Comments are closed.