Latest Odisha News

BREAKING NEWS

ଶିବସେନା ନାଁ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ: ଉଦ୍ଧବ ଠାକରେଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ

ମୁମ୍ବାଇ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନର ତ୍ୱରିତ ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଆସନ୍ତାକାଲି(୨୨ ଫେବ୍ରୁଆରୀ) ଦିନ ୩.୩୦  ବେଳେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଶିବସେନା ନାଁ ଓ ଏହାର ନିର୍ବାଚନ ଚିହ୍ନ ଧନୁ ତୀରକୁ ଏକନାଥ ସିନ୍ଦେଙ୍କୁ ଦେଇଥିଲେ ନିର୍ବାଚନ କମିଶନ। ଉଦ୍ଧବ ଓ ସିନ୍ଦେଙ୍କ ମଧ୍ୟରେ ଦଳୀୟ ଚିହ୍ନ ଓ ନାଁକୁ ନେଇ ଆଇନଗତ ଲଢେଇ ଚାଲିଥିଲା। କଥା ନିର୍ବାଚନ କମିଶନଙ୍କ ପାଖରେ ଅଟକିଥିଲା।

ଫେବ୍ରୁଆରୀ ୧୭ ତାରିଖରେ ନିର୍ବାଚନ କମିଶନ ନିଷ୍ପତ୍ତି ଶୁଣାଇ ଶିବସେନାର ସମ୍ବିଧାନ କଦର୍ଥ କରାଯାଇଛି। ତେଣୁ ଏହା ଲୋକଙ୍କ ବିଶ୍ୱାସ ଜିତିବାର ବିଫଳ ହେବ ବୋଲି କହି ଦଳୀୟ ନାଁ ଓ ଚିହ୍ନ ଏକନାଥଙ୍କୁ ଦେଇଥିଲେ। ଏହାକୁ ବିରୋଧ କରି ସୋମବାର ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି।

ଆଜି ଏହି ମାମଲାରେ ତର୍କ ରଖିଥିଲେ ବରିଷ୍ଠ ଓକିଲ କପିଲ ଶିବଲ। ସେ କହିଥିଲେ ଯେ ଯଦି ଇସିଙ୍କ ନିର୍ଦ୍ଦେଶକୁ ରୋକା ନଯାଏ ତେବେ ସେମାନେ ନିର୍ବାଚନୀ ଚିହ୍ନା ନେବା ସହ ବ୍ୟାଙ୍କ ଆକାଉଣ୍ଟ ଅକ୍ତିଆର କରିବେ। ତା ସହ କିଛି ବିଧାୟକ ଓ ସାଂସଦ ଅଯୋଗ୍ୟ ଘୋତି ହେବାର ଆଶଙ୍କା ରହିଛି। ଏଣୁ ମାମଲାକୁ ଆସନ୍ତାକାଲି ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଉ ବୋଲି ଶିବଲ କୋର୍ଟଙ୍କୁ କହିଛନ୍ତି।

ଶିବଲଙ୍କ ତର୍କ ଶୁଣି ସାରିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତ୍ୱିରତ ଶୁଣାଣିର ପ୍ରାସଙ୍ଗିତାକୁ ଅନୁଭବ କରି ଆସନ୍ତାକାଲି ଦିନ ସାଢ଼େ ୩ଟାରେ ମାମଲାର ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି।  ଏନେଇ ସେ କହିଛନ୍ତି “ ଆସନ୍ତାକାଲି ଅପରାହ୍ନ ୩.୩୦ ବେଳେ ଆମେ ଏହି ମାମଲାର ଶୁଣାଣି କରିବୁ। ଅନ୍ୟ ସହଯୋଗୀମାନଙ୍କୁ ଆମେ ଅଟକାଇବାକୁ ଚାହୁଁ ନାହୁଁ। ତେଣୁ ସକାଳେ ଶୁଣାଣି ନ କରି ଅପରାହ୍ନରେ ଶୁଣାଣି କରିବାକୁ ନିଷ୍ପତ୍ତି ନିଆଯାଉଛି।”

Comments are closed.