Latest Odisha News

BREAKING NEWS

‘ଗୋପାଳ ପାଗଳ କି ନୁହେଁ ପ୍ରମାଣ କରିବା ଦାୟିତ୍ୱ ବୋଧେ ତଦନ୍ତ ଅଧିକାରୀଙ୍କର’

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ ଟିମ୍। ଝାରସୁଗୁଡାର ତଳ କୋର୍ଟ ଏପରି ଆବେଦନକୁ ଖାରଜ କରିଦେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା କୋର୍ଟରେ ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ କରି ସଂଶୋଧିତ ଆବେଦନ କରିଛି। ଫେବ୍ରୁଆରି ୨୭ରେ ଏହାର ଶୁଣାଣି ହେବ।

ଏହି ସମୟରେ ବରିଷ୍ଠ ଆଇନଜୀବୀ ତଥା ବିଜେପିର ବରିଷ୍ଠ ନେତା ପୀତାମ୍ବର ଆଚାର୍ଯ୍ୟ ଟ୍ବିଟ୍ କରି କହିଛନ୍ତି, ବୋଧହୁଏ ଗୋପାଳକୁ ପାଗଳ ଭାବେ ପ୍ରମାଣିତ କରିବା ଦାୟିତ୍ୱ କ୍ରାଇମବ୍ରାଞ୍ଚ ଟିମର। ତେଣୁ ତଳ କୋର୍ଟର ରାୟକୁ କାହିଁକି ଚ୍ୟାଲେଞ୍ଜ କରନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନବ ଦାସ ହତ୍ୟାର ତଥ୍ୟ ପଦାକୁ ଦେଇନାହାନ୍ତି। ପାଗଳ କରିଦେବାକୁ ଚେଷ୍ଟା କି ସେ ପାଗଳ ସ୍ପଷ୍ଟ କରନ୍ତୁ। ତେଣୁ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି। ଏହି ଘଟଣାରେ ରାଜ୍ୟସରକାର ସଂନ୍ଦେହେ ଘେରରେ।

ଏହି ହତ୍ୟା ମାମଲାର ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତକାରୀ ଟିମ୍ ନାର୍କୋ ସହିତ ଏଲଭିଏ ଏବଂ ପଲିଗ୍ରାଫ ଟେଷ୍ଟ କରିସାରିଛି। ହେଲେ ଏହାପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲିଥିବା କୁହାଯାଉଛି। ତେଣୁ ହତ୍ୟା ଘଟଣାର ତଦନ୍ତକୁ 24 ଦିନ ପୂରଣ ହୋଇଥିଲେ ବି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ ଟିମ ଚୁୁପ ଏ ବାବଦରେ କିଛି ସ୍ପଷ୍ଟ କରି ନାହିଁ।

ବିଭିନ୍ନ ମିଡିଆରେ ପ୍ରସାରିତ ହେଉଥିବା ଖବର ଅନୁଯାୟୀ ଗୋପାଳ ତଦନ୍ତ ବେଳେ ମେଡିକାଲ ଟିମକୁ କୁଆଡେ ନିଜ ଅସୁସ୍ଥତା ବାବଦରେ ଯେତିକି ନକହିଛି ସେତିକି ଅଧିକ କହିଛି ହତ୍ୟାକାଣ୍ଡ ବାବଦରେ। ଏପରି ସ୍ଥିତିରେ ଗୋପାଳ ପାଗଳ ବୋଲି ପ୍ରମାଣିତ କରିବା ସଂପୃକ୍ତ ମେଡିକାଲ ଟିମକୁ କଷ୍ଟସାଧ୍ୟ ହେଉଛି।

ସଂଶୋଧିତ ଆବେଦନରେ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଗୋପାଳକୁ ତିନି ସପ୍ତାହ ପାଇଁ ନିମାହନ୍ସ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁମତି ମାଗିଛି। ଏଥିସହ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି। ତଦନ୍ତ ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି, ଯେହେତୁ ଏହା ପୁଲିସ ହେପାଜତ ପାଇଁ ଆବେଦନ ନୁହେଁ, ତେଣୁ ଆମେ ଆଶା କରୁଛୁ କୋର୍ଟ ଅନୁମତି ଦେବେ।

ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚାରି ଜଣିଆ ଟିମର ପରାମର୍ଶ କ୍ରମେ ତାଙ୍କୁ ନିମହାନ୍ସ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଅନୁମତି ଦେବାକୁ ତଦନ୍ତକାରୀ ଟିମ୍ ନିବେଦନ କରିଛି। ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଏକ ସୁନିଶ୍ଚିତ ସିଦ୍ଧାନ୍ତ ନେବା ପାଇଁ ଅଭିଯୁକ୍ତର ବିସ୍ତୃତ ପରୀକ୍ଷା ଆବଶ୍ୟକ ବୋଲି ତଦନ୍ତକାରୀ ଟିମ୍ ଅନୁଭବ କରିଛି।

 

 

Comments are closed.