ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ଅଧ୍ୟାପକମାନେ ନିଜ ଦାବି ପୂରଣ ଦାବିରେ ଆନ୍ଦୋଳନରେ ବସିଛନ୍ତି। ସମାନ ଗ୍ରେଡ୍ ପେ’କୁ ସମାନ ଦରମା, ସମସ୍ତଙ୍କୁ ପେନ୍ସନ୍ ଓ ଗ୍ରାଚୁଇଟି ଆଦି ଦାବି କରି ୬୬୨ (ଯୁକ୍ତ୨ ଓ ଯୁକ୍ତ୩) ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଦୁଇ ସପ୍ତାହରୁ ଅଧିକ ଦିନ ହେବ ରାଜଧାନୀରେ ଆନ୍ଦୋଳନ କରୁଛି। ଦାବି ପୂରଣ ହୋଇନଥିବାରୁ ପରୀକ୍ଷା ସମୟରେ ଅସହଯୋଗ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ଆନ୍ଦୋଳନରତ ଅଧ୍ୟାପକଙ୍କୁ ସହଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନ୍ଦୋଳନରତ ଅଧ୍ୟାପକଙ୍କୁ ନିବେଦନ କରିବାକୁ ଯାଇ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷାରେ ସହଯୋଗ କାମନା କରୁଛି। ସେମାନେ ସହଯୋଗ କରିବେ ବୋଲି ମୁଁ ଆଶାବାଦୀ।
ରାଜ୍ୟ ସରକାର ଅନେକ ସମସ୍ୟାର ସମାଧାନ କରୁଛନ୍ତି। କିନ୍ତୁ ଆମ ସମସ୍ୟାକୁ ଅଣଦେଖା କରାଯାଉଛି। ଆମର ଦାବି ଏତେ ବଡ଼ ନୁହେଁ। ଆମ ସମସ୍ୟାକୁ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ସଙ୍ଘର ସଭାପତି ଗୋଲକ ନାୟକ କହିଛନ୍ତି। ଯଦି ସରକାର ଅନୁକୂଳ ନିଷ୍ପତ୍ତି ନ ନିଅନ୍ତି ତେବେ ମାର୍ଚ୍ଚ ୧ରେ ହେବାକୁ ଥିବା ପ୍ଲସ୍ ଟୁ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ସେ କହିଛନ୍ତି।
ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସଙ୍ଘର ସମ୍ପାଦକ ଶତାବୁଦ୍ଦିନ ଅହମ୍ମଦ ଶାହ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ। ଯେହେତୁ ଆନ୍ଦୋଳନରେ ବସିଥିବା ଅଧ୍ୟାପକମାନେ ଅସହଯୋଗ କରିବେ ବୋଲି କହିଛନ୍ତି। ତେଣୁ ପରୀକ୍ଷା ପରିଚାଳନାରେ ସମସ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି।
Comments are closed.