ମୂଳ ବାଂଲା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ
ଜଳିଉଠ ଭୟାତୁର ମଣିଷମାନେ
ଆଜି ତାର ଖୁବ ପ୍ରୟୋଜନ
ଜଳି ଉଠ ଗଛ, ଗ୍ରାମ ଜନପଦ
ସହର, ଶ୍ରମିକ
ଅବରୁଦ୍ଧ ଲୋକାଳୟମାନ ।
ଜୀବନ ଆଜି ବ୍ୟଥିତ
ଆମ ସାମ୍ନାରେ ହତ୍ୟା ଓ ସନ୍ତ୍ରାସ
ହୋଇଅଛି ଛିଡ଼ା
ଖୁବ୍ ଦୁଃସମୟ ଆଜି
ଇଟାର କାନ୍ଥରେ ବନ୍ଦୀ
ଫୁଲର ପାଖୁଡ଼ା
ଶୁଣୁଛ ତ ଆସେ ଭାସି
ନିଷିଦ୍ଧ ପବନେ
କ୍ରନ୍ଦନର ପୀଡ଼ା।
କଥା କୁହ, କୁହ ଅମିତାଭ
ପ୍ରତିବାଦୀର ଶାଣିତ ଅସ୍ତ୍ରରେ
ପ୍ରଜ୍ୱଳିତ ଅଗ୍ନିର ଲାଭା
କହିଦିଏ ଥରଟିଏ ପାଇଁ
କୁଶାସନ, ତୁମକୁ ମୁଁ
କେବେ ବି ମାନିବି ନାହିଁ
ଉଠ, କୁହ ଥରଟିଏ ପାଇଁ
ଭୁଲ ମଣିଷ ଆଗରେ
ନତଜାନୁ କେବେ ହେବି ନାହିଁ।
ଏ ଧରାର ତିନିଭାଗ ପାଣି
ସେମାନଙ୍କୁ ଦିଅ ଚେତାବନୀ। ପାହାଡ଼ ବି ଧସିଯାଏ
ପ୍ଳାବନ ଆସିଲେ
ଧସିଯାଏ ମାଟି
ପଥରର ବିପୁଳ ବପୁ ବି
ଖସି ପଡ଼େ ଦୁର୍ବିନୀତ
ପାଣି ଆଘାତରେ ।
ସୀମାହୀନ କ୍ଷୋଭ ଯହିଁ
ମିଶିଛିତା ଅସ୍ଥି ଓ ମଜ୍ଜାରେ
ରକ୍ତାକ୍ତ ହେଲେ ବି ଛାତି
ସେ ମଣିଷ କେବେ ହେଲେ ନତଜାନୁ ହେବାର ତ ନାହିଁ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.