ସିଡନୀ: କ୍ରିକେଟ ପଡିଆରେ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ମାଥ୍ୟୁ ୱାଡେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ ଫୁଟବଲ ପଡିଆରେ ମଧ୍ୟ କମାଲ ଦେଖାଉଛନ୍ତି । ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ ଖେଳାଳି ସଦର୍ଣ୍ଣ ଫୁଟବଲ ଲିଗରେ ଲାଡରଡେଲ କ୍ଲବ ପକ୍ଷରୁ ଖେଳୁଛନ୍ତି । ଗ୍ଲେନାର୍ଚି ବିପକ୍ଷ ମୁକାବିଲାରେ ସେ ଚମତ୍କାର ଗୋଲ ସ୍କୋର କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଟନେସ ବଜାୟ ରଖିବା ପାଇଁ ୱାଡେ କ୍ରିକେଟ ପରେ ଫୁଟବଲ ଖେଳିବା ଆରମ୍ଭ କରିଥିଲେ । ଏବେ ଏହା ଗମ୍ଭୀର ରୂପ ଧାରଣ କରିଛି ।
ଲାଡରଡେଲର କୋଚ ବ୍ରେଂଟ ଡଲିଭର ମଧ୍ୟ ୱାଡେଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । କଠିନ ପରିଶ୍ରମ ଓ ଦକ୍ଷତା ବଳରେ ୱାଡେ ସିନିୟର ଟିମରେ ସ୍ଥାନ ପାଇଛନ୍ତି । କ୍ରିକେଟକୁ କ୍ୟାରିୟର କରିବା ପୂର୍ବରୁ ଲାଡାରଡେଲ ୩୫ ସିନିୟର ମ୍ୟାଚ ଓ ବିଏଫଏଲରେ ୧୨ଟି ମୁକାବିଲା ଖେଳିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ୱାଡେ ଅଷ୍ଟ୍ରେଲିଆ ପକ୍ଷରୁ ୩୬ ଟେଷ୍ଟ, ୯୭ ଦିିନିକିଆ ଓ ୯୨ ଟି୨୦ ମ୍ୟାଚ ଖେଳିଛନ୍ତି । ଅଷ୍ଟ୍ରେଲିଆନ ଫୁଟବଲ ଅନ୍ୟ ମୁକାବିଲା ତୁଳପାରେ ସାମାନ୍ୟ ଭିନ୍ନ । ଏଥିରେ ପ୍ରତ୍ୟେକ ଟିମ ପକ୍ଷରୁ ୧୮ ଜଣ ଖେଳାଳି ଖେଳିଥାନ୍ତି ।