ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ । ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି ।
SITI-ଓଡିଶାର ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ । ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍ଭାଇଟି ରହିବେ । ଏହି ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବେ । ସିଟି ଓଡିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ ।
ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ । ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ । ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକ୍ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ । ସିଇଓ IAS କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ।
ଏଥିସହିତ, ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟ୍ (PIU) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ।
SITI ଓଡିଶା ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ ମଧ୍ୟ ରହିବ । ଏହା evidence-driven governance ପାଇଁ ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ । SITI ଓଡିଶା ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ ।