Latest Odisha News

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ  

ନୂଆପଡ଼ା : ପୁଣି ସାମ୍ନାକୁ ଆସିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିଭାଗର ଦୁର୍ନୀତି । ପୂର୍ବରୁ ଅନେକ ଥର ଏହି ବିଭାଗରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ବର୍ତ୍ତମାନ ଏହା ଦ୍ଵିଗୁଣିତ ହୋଇଛି । କେନାଲରେ ନିମ୍ନମାନର କାମ କରି ଆତ୍ମସାତ କରୁଛନ୍ତି କୋଟି କୋଟି ଟଙ୍କା  । ଯାହା ଏବେ ପୁଣି ନଜରକୁ ଆସିଛି  । କେନାଲ ଉନ୍ନତି କରଣ ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଉଭୟ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ଚାଷୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ନୂଆପଡା ଜିଲ୍ଲା କୋମନା ଓ ଖଡ଼ିଆଳ ବ୍ଲକ ମଝି ରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ  (ତିଖାଲି ଡ୍ୟାମ) ୨୦୦୦ ମସିହାରେ ଆରମ୍ଭ ହୋଇ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଚାଷ ଜମିରେ ଜଳ ସେଚିତ ହେବ ଓ ଚାଷୀ ଉପକୃତ ହେବେ । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ବର୍ତ୍ତମାନ ଯାଏ ପାଣି ପହଞ୍ଚି ନାହିଁ । କେନାଲ ଉନ୍ନତି କରଣ ନାଁ ରେ ଠିକାଦାର ଓ ବିଭାଗୀୟ ଅଧିକାରୀ ମିଶି କୋଟି କୋଟି ଟଙ୍କା ହଡ଼ପ କରିଚାଲିଛନ୍ତି । ଗୋଟିଏ ପଟେ ବର୍ଷ ବର୍ଷ ଧରି କେନାଲ ଉନ୍ନତି କରଣ କାର୍ଯ୍ୟ ସରୁ ନଥିବା ବେଳେ ନିମ୍ନରୁ ଅତି ନିମ୍ନ କାମ କରି କେନାଲ ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କାର୍ଯ୍ୟ କରୁଥିବା ଠିକାଦାର ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ବାମ କେନାଲ ୩୫୩ ଜାତୀୟ ରାଜପଥକୁ ଅତିକ୍ରମ କରି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ଼ ପର୍ଯ୍ୟନ୍ତ ଯାଇଛି । ଏଥିରେ ୩୫୩ ଜାତୀୟ ରାଜପଥ ଚଳାନପଡ଼ା ଠାରୁ ବରପଦର ଗାଁ ପର୍ଯ୍ୟନ୍ତ ୧୮ଶହ ମିଟର କେନାଲ ଉନ୍ନତିକରଣ ପାଇଁ ସାତକୋଟି ଷୋହଳ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି । କିନ୍ତୁ କେନାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ସହ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି  ।  ଗୋଟିଏ ପଟେ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ନିମ୍ନ ମାନର କାର୍ଯ୍ୟକରି ଠିକାଦାର ମାଲାମାଲ ହେଉଥିବା ଅଭିଯୋଗ ହେଉଛି ।

ଠିକାଦାର ନିମ୍ନମାନର ସିମେଣ୍ଟ, ଚିପ୍ସ ସହ ହାଲୁକା ମାଟିରେ ବିମ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ସେପଟେ ନିମ୍ନ ମାନର କାର୍ଯ୍ୟ ସହ ପାଣି ସିଞ୍ଚନ ହେଉନଥିବାରୁ କଂକ୍ରିଟ ଓ ବିମ ସବୁ ଫାଟି  ଆଁ କରିଛି । ଏନେଇ ବାରମ୍ବାର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି । ଉଚିତ ସିମେଣ୍ଟ ଚିପ୍ସ ଲଗାଇ,ଏବଂ ପାଣି ସିଞ୍ଚନର ବ୍ୟବସ୍ଥା କରି କାମ ନକଲେ କାମକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବେ ବୋଲି ବରପଦର ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ନିମ୍ନମାନର କାମ ବାବଦରେ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ନିୟମ ଅନୁସାରେ କାମ ହେଉଛି ହେଲେ ପାଣି ସିଞ୍ଚନରେ କିଛି ଅସୁବିଧା ହେଉଥିବା ସ୍ୱୀକାର କରିଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରପଦର ଗ୍ରାମବାସୀ ଦାବୀ କରିଛନ୍ତି  ।

 

Comments are closed.