Latest Odisha News

BREAKING NEWS

ନବ ଦାସଙ୍କୁ ହତ୍ୟା ଘଟଣାରେ ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର ଗୃହକୁ ବାଚସ୍ପତି ମୁଲତବି ରଖିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତାଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ଗୃହ ବାହାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ସମ୍ବେଦନଶୀଳ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇ ଦିଅନ୍ତୁ ।

ନରସିଂହ ଆହୁରି କହିଛନ୍ତି, ଏପଟେ ବିଧାନସଭା ଚାଲିଛି । ମୁଖ୍ୟମନ୍ତ୍ରୀ ଗୃହକୁ ନ ଆସି ରାଉରକେଲା ଗସ୍ତରେ ଯାଇଛନ୍ତି । ଯାହାକି ପବିତ୍ର ଗୃହ ବିଧାନସଭା ପ୍ରତି ଅପମାନ । ବିଧାନସଭାରେ କଣ ହେଉଛି ମୁଖ୍ୟମନ୍ତ୍ରୀ ଜାଣୁନାହାଁନ୍ତି । ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ ଠିକ୍ ଦିଗରେ ହେଉ ନଥିବା କହିଛନ୍ତି ନରସିଂହ ମିଶ୍ର ।

ସେହିଭଳି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଏବେବି ହତ୍ୟା ପଛର କାରଣ ଜଣାପଡ଼ିନାହିଁ । ହତ୍ୟା କାରଣ ଖୋଜିବା ଦିଗରେ ତଦନ୍ତ ହେବା ଦରକାର । ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, SIT ତଦନ୍ତ ହେଉ ବୋଲି ଦାବି କରିଛି କଂଗ୍ରେସ ।

ସେପଟେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ହତ୍ୟାକୁ ୪୧ ଦିନ ବିତିଲାଣି । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଫଳ ହେଲା ଭଳି ଲାଗୁଛି । ଏ ଯାଏ ଷଡ଼ଯନ୍ତ୍ର ପଛରେ କିଏ ତଦନ୍ତକାରୀ ସଂସ୍ଥା ଖୋଜି ପାଇ ନାହିଁ । ତଦନ୍ତ ଦିଶାହୀନ ହୋଇ ହେଉଛି କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ମୋହନ ମାଝୀ ।

Leave A Reply

Your email address will not be published.