ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାବନା ଲେଖି ପାଏଁ ଖୁସି
ହୋଇପାରିନି ମାର୍ଗଦର୍ଶୀ
‘ ମୁଁ ଜାଣିନାହିଁ ‘ ବୋଲି ଜାଣେ
ନିଜକୁ ଭାଷାପ୍ରେମୀ ମଣେ
କରିନି ବେଶି ଅଧ୍ୟୟନ
ତତ୍ତ୍ବପୂରିତ ଗ୍ରଂଥମାନ
ଶୁଣିଛିଁ ଦେଇ ମନ ଧ୍ୟାନ
ତହିଁରୁ ପାଇଅଛିଁ ଜ୍ଞାନ
ତାହା ହିଁ କରୁଛିଁ ଲିଖନ
ମଧୁର, କର୍କଶ ବଚନ
ସ୍ମୃତିରେ ଥିବା ଶବ୍ଦମାନ
ମୋ ପାଇଁ ସଂପଦ ସମାନ
ଭାଷାର ସ୍ଥୂଳ ବାସ୍ତବତା
ସଂଭାଳି ରଖେ ଭାଷା ସତ୍ତା
ଯାହା ବି ହୁଅଇ କଥିତ
ତାହା ହିଁ ଅଟେ ମୂଳବିତ୍ତ
ଭାଷାର ରକ୍ଷଣାବେକ୍ଷଣ
କରିଲେ ସର୍ବସାଧାରଣ
ଭାଷାଟେ ପାରେ ବେଶି ବ୍ୟାପି
ବିଲୁପ୍ତ ହୁଏନି କଦାପି
କେବଳ ସାହିତ୍ୟ ସଂପୃକ୍ତ
ଭାଷାଟେ ହୋଇଗଲେ ଲୁପ୍ତ
ତାହାକୁ ଲୋଡ଼ଂତିନି କେହି
ଗ୍ରଂଥାବଳିରେ ଥାଏ ରହି
ଲେଖକେ ହେଲେ ସମ୍ମାନିତ
ଭାଷାଟେ ହୁଏନି ଆଦୃତ
ବହୁସ୍ତରୀୟ ପ୍ରଚଳନ
ଘଟାଏ ଭାଷା ଉନ୍ନୟନ
ପ୍ରତି କାର୍ଯରେ ଯେଉଁ ଭାଷା
ତାହା ହିଁ ହୁଅଇ ସରସା
ସାହିତ୍ୟି ଲେଖାରେ ସୀମିତ
ଭାଷା ହୁଏନି ଲୋକାଦୃତ
ଗାଆଁ, ସହର ଓ ପ୍ରଦେଶ
ସବୁଠି କରେ ଭାଷା ବାସ
ତାହାର ଉନ୍ନତି ବିଧାନ
ଚଳାଇରଖୁଁ ପ୍ରତି କ୍ଷଣ
Comments are closed.