Latest Odisha News

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ

କଟକ : ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ବର୍ଷାଙ୍କ ରିଟ ପିଟିସନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ରଖୁଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସମୟରେ ଭିଡିଓ ଛାଡି ସ୍ୱାମୀ ଅନୁଭବ ମହାନ୍ତି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ, ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ହାଇକୋର୍ଟ ବୁଧବାର ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବା ବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ। ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଏହି ପ୍ରସଂଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ତାଙ୍କ ବିରୋଧରେ କୁହାଯାଉଥିବା କଥା ସବୁ ଅସତ୍ୟ ଓ ଭିତ୍ତିହୀନ। ଏଣୁ ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ଯୁକ୍ତି କରି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।

ସୂଚନାଯୋଗ୍ୟ, ୨୦୨୨ ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଂଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। କିନ୍ତୁ ଏଥିରୁ କ୍ଷାନ୍ତ ହୋଇନଥିଲେ ସାଂସଦ ଅନୁଭବ ମହାନ୍ତି ।

ନିକଟରେ ସୋସିଆଲ ମିଡିଆରେ ଅନୁଭବ ଲେଖିଥିଲେ, ‘ବାପା-ମା’ ସବୁବେଳେ ପିଲାଙ୍କର ଭଲ ଚାହିଁଥାନ୍ତି । ଆମେ ଜାଣୁ କିଏ ଠିକ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ ଏବଂ ସେ ଏବେ ଆଇସିୟୁରେ ଅଛନ୍ତି । ମୁଁ ତୁମକୁ ହାତଯୋଡି ଅନୁରୋ୍ଧ କରୁଛି, ପ୍ଲିଜ, ତୁମେ ବିଳମ୍ବ ନ କରି ସହୃଦୟତାର ସହ ଦୂରେଇ ଯାଅ । ମୋ ବାପା-ମା’ଙ୍କୁ ଶେଷ ସମୟରେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅ । ଭଗବାନ ତୁମକୁ ଆଶୀର୍ବାଦ କରିବେ ।’ ଏହି ଟୁଇଟରେ ଅନୁଭବ ହାତ ଯୋଡିଥିବାର ଇମୋଜି ଦେଇ ବର୍ଷାଙ୍କୁ ଟ୍ୟାଗ କରିଥିଲେ । ଅବଶ୍ୟ ବର୍ଷାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତ୍ୟୁତ୍ତର ରଖାଯାଇନଥିଲା।

ଗୋଟିଏ ସମୟରେ ଓଲିଉଡର ହିଟ ଯୋଡି ଥିବା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ତିକ୍ତତା ଏବେ ବଢିବାରେ ଲାଗିଛି । ଯାହକୁ ନେଇ ଉଭୟ ବର୍ଷା ଓ ଅନୁଭବଙ୍କ ପ୍ରଶଂସକଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଏବେବି ଜାରି ରହିଛି ଆକ୍ଷେପ ଓ ଉଭୟଙ୍କ ପ୍ରତି ସମାଧାନ ସମ୍ପର୍କିତ ଉପଦେଶ ।

 

Leave A Reply

Your email address will not be published.