Latest Odisha News

BREAKING NEWS

୨୫ ପର୍ଯ୍ୟବେକ୍ଷକଙ୍କ ସହ ନବୀନ କରିବେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ପରିବର୍ତ୍ତନ ହେବା ପରେ ପରେ ୨୦୨୪କୁ ଆଖି ଆଗରେ ରଖି ବିଜେଡି ୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ବା ସେନିପତି ନିଯୁକ୍ତ କରିଛି। ଯେଉଁଥିରୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ୱ ରହିଛି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାନ୍ଧରେ । ଆସନ୍ତାକାଲି ସମସ୍ତ ପର୍ଯ୍ୟବେକ୍ଷକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରିବେ। ସଂଧ୍ୟା ୭ଟାରେ ନବୀନ ନିବାସରେ ଏହି ବୈଠକ ବସିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ୨୪ ନିର୍ବାଚନ ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏପରି ସ୍ଥିତିରେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ନେଇ ମଧ୍ୟ ଆଲୋଚନା ହେବ। ଯାହାର ପର୍ଯ୍ୟବେକ୍ଷକ ରହିଛନ୍ତି ସାରଦା ପ୍ରସନ୍ନ ନାୟକ।

ନିର୍ବାଚନ ତାରିଖ ଘୋଷଣା ପରେ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ବିଜେପି ବିଧାୟକ ଆଇନ ଶୃଙ୍ଖଳା କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଆଉ ଜଣେ ନାବାଳକ ଅପହରଣର ଶିକାର ହୋଇ ପରେ ହତ୍ୟାର ଶିକାର ହୋଇଛନ୍ତି। ଏହାପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଯେହେତୁ ମନ୍ତ୍ରୀଙ୍କ ମୃତ୍ୟୁର ଦୁଇ ମାସ ପରେ ବି ହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି, ଅନ୍ୟପଟେ ସାରା ରାଜ୍ୟରେ ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି, ଏପରି ସ୍ଥିତିରେ ବିରୋଧୀ ଏହାକୁ ପ୍ରସଙ୍ଗ କରି ଝାରସୁଗୁଡା ଉପନିର୍ବାଚନରେ ଭୋଟ୍ ହାତେଇବାକୁ ଚେଷ୍ଟା କରିବ।

ହେଲେ ସାଧାରଣ ଲୋକେ ଯଦି ଶାସକ ଦଳର ନେତାଙ୍କୁ ହତ୍ୟା ଘଟଣାର ଉତ୍ତର ଲୋଡିବେ ତାହେଲେ ଏହାକୁ ନେଇ ଶାସକ ଦଳ ଅଡୁଆରେ ପଡିପାରେ। ତେଣୁ ଆସନ୍ତାକାଲିର ବୈଠକ ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନ ସଂକ୍ରାନ୍ତରେ ଅଧିକ ଆଲୋଚନା ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.