Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

BjdElectrycity

ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ…ନର୍ତ୍ତକୀ ରୋହିଣୀ ।

ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ ପ୍ରତିହିଂସା ପୂର୍ଣ୍ଣକଟାକ୍ଷ ଦେଖି ତାଙ୍କର ଅନ୍ତର୍ବାସ ଘର୍ମାକ୍ତ ହୋଇଉଠିଲା । ସେ କମ୍ପିତ ଦେହ ନେଇ ଶଯ୍ୟାର ଶେଷଭାଗକୁ ଘୁଞ୍ଚି ଗଲେ ।

ତାଙ୍କର ଅତି ନିକଟକୁ ଆସିଲା ରୋହିଣୀ । କଣ୍ଠରେ ତା’ର ଥିଲା ତାଚ୍ଛଲ୍ୟଭରା ଉକ୍ତି- ‘ବୃଦ୍ଧାବେଶ୍ୟା ତପସ୍ୱିନୀ’ ଭଳି ତମେ ଆଜି ମତେ ଦେଖି ଭୟ କରୁଛ ? ନା ଲଜ୍ଜା କରୁଛ ? କିନ୍ତୁ ଥରେ ଭାବିଲ, ମୋର ପୂର୍ଣ୍ଣବସନ ଢଙ୍କା ଦେହକୁ ତମେ କେତେଥର ନଗ୍ନ ନ କରିଛ ? ମୋ ଯୌବନର ପ୍ରତିଟି ପାଖୁଡ଼ାକୁ ମତ୍‌ଥିତ
କରିବା ପରେ ତମେ ସୁପୁରୁଷ ହୋଇଯାଇଛି । ମାନ, ସମ୍ମାନର ତିଳକ ନେଇ ତମେ ବିଜୟୀ ହୋଇଛ । ଅଥଚ ସମାଜର ରାଜଦାଣ୍ଡରେ ସାଧାରଣ ନାରୀ ଭାବରେ ବଞ୍ଚିବାର ଅଧିକାର ମୋର ନାହିଁ । ମୁଁ ହୋଇଯାଇଛି ବାରନାରୀ… କାହାପାଇଁ ଆଜି ମୁଁ ରୂପଜୀବୀ ସାଜିଛି ? ମୁଁ ନାରୀ… ପୁରୁଷ ହିଁ ମୋର ଇଜ୍ଜତର ଢାଙ୍କୁଣି । ଅଥଚ ତମେ ମୋ ମାନ ମହତର ଓଢ଼ଣୀକୁ ଉଡ଼ାଇ ଦେଇଛ । ପତ୍ର-ପୁଷ୍ପବିହୀନ
ବୃକ୍ଷ ଯେପରି ଶ୍ରୀହୀନ; ଆଜି ନାରୀତ୍ୱ ଓ ଇଜ୍ଜତକୁ ହରାଇ ମୁଁ ସେମିତି ନଗ୍ନ । ହୋଟେଲ, ବାର୍ ଓ କ୍ଲବମାନଙ୍କରେ ଆଖିର ଲୁହକୁ ପିଇ, ଓଠରେ ମୋହିନୀ କନ୍ୟାର ହସ ଫୁଟାଇ ଆଜି ମୁଁ ଅନେକଙ୍କ ମୁହଁରେ ସୁରା ପରିବେଷଣ କରୁଛି । କାହିଁକି ? କି ଆନନ୍ଦ ପାଇଁ ??

ତମେ ହିଁ ଦିନେ ମତେ କହିଥିଲ ନା, ‘ମଣିଷ ଜନ୍ମର ସାର୍ଥକତା ପାଇଁ ଜୀବନ-ପଞ୍ଜୁରୀରେ ଏମିତି ଏକ ଶାରୀକୁ ପୋଷିବାକୁ ପଡ଼ିବ, ଯା’ ସ୍ୱରରୁ ପ୍ରତି ମୁର୍ହୂରେ ହର୍ଷର ସଙ୍ଗୀତ ଛୁଟୁଥିବ ଆଉ ମଣିଷ ସବୁଦିନେ ହସିବାକୁ ଇଚ୍ଛାକଲେ, ତା’ର ଆବଶ୍ୟକ କେବଳ ଏଇ ଗୋଟିଏ ପାଥେୟ ।’ ସେଇ ପାଥେୟଟିକୁ ଚିହ୍ନେଇବା ପାଇଁ ତମେ ସେ ଦିନ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲ ଏକ ବିଦେଶୀ ସୁରା ବୋତଲ ଆଡ଼କୁ । ତମ କଥାର ଯାଦୁରେ ମୁଁ ଭାସିଯାଇଥିଲି ।

କ୍ରମଶଃ

Leave A Reply

Your email address will not be published.