ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ , ନିଜ ଭକ୍ତମାନଙ୍କୁ ଦେଖାଦେବା ସହ ମାଉସୀ ମା ଘରକୁ ଯିବାରେ ଏତେ ବିଭୋର ଯେ କଳା ଠାକୁର, ନିଜ ସହଧର୍ମିଣୀଙ୍କୁ ମଧ୍ୟ ନିଜ ସହିତ ନେବାକୁ ଭୁଲି ଯାଆନ୍ତି ।
ଏହାପରେ ପରେ ବଡଦାଣ୍ଡରୁ ଗୁଣ୍ଡିଚା ଯାତ୍ରା, ପରେ କିଛି ରାଗ ରୁଷା, ମାନ ଅଭିମାନରେ ପତ୍ନୀ ମା ଲକ୍ଷ୍ମୀ ସାଆନ୍ତାଣୀ ସ୍ୱାମୀ ଶ୍ରୀଜଗନ୍ନାଥଙ୍କ ରଥକୁ ଭାଙ୍ଗି ପକାଇଥାଆନ୍ତି । ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଏକୁଟିଆ ଛାଡ଼ିଦେଇ ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ବୁଲି ଯାଇଥାଆନ୍ତି । ମାଉସୀ ଘରେ ପିଠା-ମିଠା ଖାଇ ମଉଜ ମଜଲିସ କରୁଥିବା କଥା ପତ୍ନୀ ମହାଲକ୍ଷ୍ମୀଙ୍କୁ ଭଲ ଲାଗେନି । ତାଙ୍କୁ ଟିକେ ବୁଲେଇ ନେଲେନି ! ଏହି ଅଭିମାନରେ ରାଗରୁଷା କରନ୍ତି ଲକ୍ଷ୍ମୀ ସାଆନ୍ତାଣୀ ।
ହେରା ପଞ୍ଚମୀ ବେଳକୁ ଏକୁଟିଆ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ସତେ ଯେମିତିକି ଅତିଷ୍ଠ ହୋଇ ଉଠନ୍ତି ସ୍ୱାମୀଙ୍କ ବିଛେଦ ବେଦନାରେ । ତେଣୁ ପାଲିଙ୍କି ଚଢି ମା ଲକ୍ଷ୍ମୀ ବାହାରନ୍ତି ଗୁଣ୍ଡିଚା ଘର ଆଡ଼େ । ନନ୍ଦିଘୋଷ ରଥ ଆଗରେ ରହିଯାଆନ୍ତି ମହାଲକ୍ଷ୍ମୀ । ପୂଜାପଣ୍ଡାମାନେ ମା’ଙ୍କର ବନ୍ଦାପନା ତଥା ଉପାସନା କରିଥାନ୍ତି । କିନ୍ତୁ ରଥ ନିର୍ମାଣ କରିଥିବା ଜଣେ ବଢେଇ ନନ୍ଦିଘୋଷର ଗୋଟିଏ ଚକରୁ ଖଣ୍ଡେ କାଠ ଉତାରି ନିଅନ୍ତି । ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରଖିଥିବା ସବୁ ରାଗକୁ ସୁଜାଇଥାଆନ୍ତି ରଥ ଉପରେ । ମହାଲକ୍ଷ୍ମୀଙ୍କ ଇଙ୍ଗିତରେ ହିଁ ରଥର କିଛି କାଠ ଭଙ୍ଗାଯାଇଥାଏ । ସିଂହାସନରେ ବସି ମହାପ୍ରଭୁ ଅନ୍ନ ଭୋଜନ କରିବା ବେଳେ ଦୁଆର ନିକଟରେ ମହାପ୍ରଭୁଙ୍କୁ ଲୁଚି ଲୁଚି ଦେଖନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ମହାପ୍ରଭୁ ମଧ୍ୟ ଟିକିଏ ମନଭରି ଦେଖିନିଅନ୍ତି ତାଙ୍କ ପ୍ରାଣପ୍ରିୟା ପତ୍ନୀଙ୍କୁ । ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଶୀଘ୍ର ଫେରିବାର ଇସାରା ଦେଇ ମା ସାଆନ୍ତାଣୀଙ୍କ ଉଦ୍ଦେଶ୍ୟରେ ଆଜ୍ଞାମାଳ ପଠାନ୍ତି । ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ କିଛି ଅଙ୍ଗଲାଗି ଫୁଲ ଆଣି ସେବାୟତ ମହାଲକ୍ଷ୍ମୀଙ୍କୁ ଅର୍ପଣ କରିଥାନ୍ତି । ତାପରେ ବଡ଼ଦାଣ୍ଡ ବାଟେ ଆଉ ନଯାଇ ମହାଲକ୍ଷ୍ମୀ ରାସ୍ତାର ପଛପଟ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଯାଆନ୍ତି ଲକ୍ଷ୍ମୀସାଆନ୍ତାଣୀ । ଲକ୍ଷ୍ମୀ ସାଆନ୍ତାଣୀ ଭାବନ୍ତି ମୋ ସ୍ୱାମୀ ଟିକେ ବୁଲିବାକୁ ଯାଇଛନ୍ତି, କାହିଁକି ରଥଟା ମୁଁ ଭାଙ୍ଗିଲି । ଖୁବ୍ ଲଜ୍ଜା ଅନୁଭବ କରି ଲୁଚି ଲୁଛି ହେରାଗୋହରୀ ସାହି ବାଟେ ଚାଲିଯାଆନ୍ତି ଶ୍ରୀମନ୍ଦିରକୁ । ଏବଂ ସ୍ୱାମୀଙ୍କ ଅପେକ୍ଷାରେ ରହନ୍ତି । କିନ୍ତୁ ଅଭିମାନ, ବିରହ ବେଦନା ପତ୍ନୀଙ୍କର ଯାଇନଥାଏ । ପତି-ପତ୍ନୀଙ୍କର ରାଗ-ରୁଷା, ମାନ ଅଭିମାନ ସହିତ ଅପୂର୍ବ ପ୍ରେମ ଭାବନା ଏହି ହେରାପଞ୍ଚମୀ ଓ ଦକ୍ଷିଣ ମୋଡ଼ ଦିନରେ ଦେଖାଯାଇଥାଏ ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ମଣ୍ଡପ
ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରିବିଗ୍ରହ ମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ଧରି ଅବସ୍ଥାନ କରନ୍ତି, ତାହା ଆଡପ ମଣ୍ଡପ ନାମରେ ଜଣାଶୁଣା । ପୁରାଣରେ ଏହି ବେଦିକ୍ୁ ଯଜ୍ଞ ବେଦି ତଥା ମହାବେଦି ଭାବେ ଉଲ୍ଲେଖ କରାଯାଇଛି । ଆଡପ ମଣ୍ଡପରେ ଅଧିଷ୍ଠିତ ପ୍ରତିମା ଗୁଡିକୁ ଦର୍ଶନ ସହିତ ଅବଢା ସେବନ ଭକ୍ତମାନଙ୍କ ପାଇଁ ଏକ ନିଆରା ଅନୁଭବର କଥା! ଏ କଥା ସ୍ୱତନ୍ତ୍ର ଆଲୋଚନାର କଥା ଯେ:- “ଗୁଣ୍ଡିଚା ରାଣୀ’’ ଇତିହାସ ବା କିମ୍ବଦନ୍ତି, କାହାଣୀ କି କଳ୍ପନା ତାହା ଭିନ୍ନ କଥା; କିନ୍ତୁ ଲୋକ ବିଶ୍ୱାସରେ ସେ ରାଣୀ ଇନ୍ଦ୍ରଦ୍ୟୁମ୍ନଙ୍କର କି ଚୋଡଗଙ୍ଗଙ୍କର ତାହା ଅବଶ୍ୟ ଗବେଷଣା ସାପେକ୍ଷ । ଗୁଣ୍ଡିଚା ଯାତ ପାଇଁ ବ୍ୟାକୁଳ ଭକ୍ତଗଣ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଶ୍ୱାସ ହିଁ ସେମାନଙ୍କ ସଂସ୍କୃତି ନିଶାର ମୂଳ ଗଣ୍ଠି, ସେ ଯାହା ହେଉ ଏହି ଯାତ୍ରା କାହିଁ କେଉଁ କାଳରୁ ଗଡିଆସିଥିବା ପରମ୍ପରାର-ପୁଞ୍ଜି । ମହାପ୍ରଭୁ ଆଡପ ମଣ୍ଟପ ରେ ଅବସ୍ଥାନ କରୁଥିବା ସମୟରେ ଶ୍ରୀବିଗ୍ରହ ମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ଅଟେ । କୁହାଯାଏ ଭକ୍ତ ଭାବଗ୍ରାହୀଙ୍କୁ ନୀଳାଚଳରେ ଦଶବର୍ଷ ପୂଜା କଲେ ଯେଉଁ ଫଳ ମିଳେ, ଆଡପ ମଣ୍ଟପର ଗୋଟିଏ ଦିନ ଦର୍ଶନରେ ସେତିକି ପୁଣ୍ୟ ମିଳେ । ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି-
“ଦିବା ଦର୍ଶନଂ ପୁଣ୍ୟଂ ରାତ୍ରୋ÷ ଦଶ ଗୁଣଂ ଭବେତ” ।
ଅର୍ଥାତ ଦିନ ଅପେକ୍ଷା ମହାପ୍ରଭୁଙ୍କୁ ରାତ୍ର କାଳରେ ଦର୍ଶନ କଲେ ଅଧିକ ସୁଫଳ ମିଳିଥାଏ । ବାହୁଡା ପୂର୍ବ ଦିନର ‘ସନ୍ଧ୍ୟା ଦର୍ଶନ’ ବହୁ ପୁରାତନ ଦିନରୁ ପ୍ରଚଳିତ ହୋଇଆସୁଛି । ଏହି ଅନ୍ତିମ ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ କୋଟି କୋଟି ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କର ମନୋବା’ା ପୂରଣ କରିଥିବାର ଲୋକଶୃତି ରହିଛି ।
ହେରାପଞ୍ଚମୀ: ପତ୍ନୀ ମହାଲକ୍ଷ୍ମୀଙ୍କର ସ୍ୱାମୀ ଶ୍ରୀଜଗନ୍ନାଥଙ୍କ ଉପରେ ମାନ ଅଭିମାନ
ରଥଯାତ୍ରା ପାଳନ ଅବସରରେ ହେରାପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯାତ୍ରା ଭାଗବତରେ କୁହାଯାଇଛି- “ ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରାପଞ୍ଚମୀ ଭବତି” । ବାମଦେବ ସଂହତିର ବର୍ଣ୍ଣନାନୁଯାୟୀ ସ୍ୱୟଂ ବାମଦେବ ଶ୍ରୀ ଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କ୍ରମରେ ଦେବୀ ପାର୍ବତୀଙ୍କୁ କହିଥିଲେ-
“ଦ୍ୱିତୀୟା ପଞ୍ଚମ ଦିନେ ତୟାଯାତ୍ରାକୃତା ପ୍ରିୟେ ଧବଂସା ବୀକ୍ଷିତୁଂ ତତ୍ର ଗୁପ୍ତଯାତ୍ରା କୃତାତୟା ।
“ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ ରାଜେ୍ଞ କୃଦ୍ଧବତୀ ଚାପି ସାୟଂ ପୂଜା ସମାପନେ” ।
ଅର୍ଥାତ ବାମଦେବ କହୁଛନ୍ତି- ହେ ପ୍ରିୟେ! ଏହା ପରେ ମହାଲକ୍ଷ୍ମୀ ଆଷାଢ ଦ୍ୱିତୀୟା ତିଥୀ ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଗୋପନରେ ଯାତ୍ରା କରିଥିଲେ । ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ହେରାପଞ୍ଚମୀ ନାମରେ ପ୍ରସିଦ୍ଧ । ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ୱପୂର୍ଣ୍ଣ ବିଭବ ଅଟେ । ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷାକରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରିଥାନ୍ତି । ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଇଥାନ୍ତି, ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ପରେ ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦଃୁଖ ସମ୍ପର୍କରେ ଭଗୀନି ବିମଳାଙ୍କୁ କହିଥାନ୍ତି । ଏହାପରେ ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ-“ ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡିଥାଏ । ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ୍ । ଏହା ପରେ ମାତା ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।
ଦକ୍ଷିଣ ମୋଡ: ମହାଲକ୍ଷ୍ମୀଙ୍କୁ ଦେଖି ଶ୍ରୀମନ୍ଦିର ଶିଘ୍ର ଫେରିବାକୁ ଆଜ୍ଞାମାଳ ଦିଅନ୍ତି ମହାପ୍ରଭୁ
ବିମଳାଙ୍କ ପରାମର୍ଶ ପାଇ ମା ଲକ୍ଷ୍ମୀ ପଞ୍ଚମୀ ଦିବସରେ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହୋଇଥିଲେ, ଏହା ପରେ ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ । ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୋଇଥାଏ । ପରମ୍ପରାନୁଯାୟୀ ହେରାପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ , ଛତା, କାହାଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ଏହା ପରେ ତିନି ରଥର ଦକ୍ଷିଣ ମୋଡ ହୋଇଥାଏ, ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବପ୍ରଥମେ ଟଣା ହୋଇଥାଏ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ ।
Comments are closed.