ମୁମ୍ବାଇ: ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପରିଣୀତି ଆଙ୍ଗୁଠିରେ ପିନ୍ଧିଥିବା ମୁଦି ସାମ୍ନାକୁ ଆସିବା ପରେ ଏହି ଗୁଜବ ଉଠିଛି । ସୋମବାର ପରିଣୀତି ସେଲିବ୍ରିଟି ମ୍ୟାନେଜରଙ୍କ ଅଫିସରେ ନଜର ଆସିଥିଲେ । ଏହି ସମୟରେ ସେ ନିଜ ଅନାମିକା ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କର ରାଘବଙ୍କ ସହ ନିର୍ବନ୍ଧ ସରିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଖୁବଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଚର୍ଚ୍ଚାରେ ରହିଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।
ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା । ପରେ ପରିଣୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ହୋଇଥିଲା । ଏଥିସହିତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଧ୍ୟ ଅଭିନେତ୍ରୀ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Comments are closed.