ପୋର୍ଟ ଅଫ ସ୍ପେନ: ଟିମ୍ ଇଣ୍ଡିଆ କପ୍ତାନ୍ ବିରାଟ କୋହଲୀଙ୍କ ପୁଣି ଏକ ଦମଦାର୍ ଶତକୀୟ ଇନିଂସ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ୩ୟ ଦିନିକିଆରେ ପରାସ୍ତ କରି ଶୃଙ୍ଖଳାକୁ ୨-୦ ଜିତିପାରିଛି । ଭାରତୀୟ ଦଳ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ କାରବିଆନ୍ ଦଳକୁ ୬ ୱିକେଟରେ ପରାସ୍ତ କରିଛି ।
ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି କ୍ରିସ ଗେଲଙ୍କ ଧୁଆଁଧାର ୭୨ ରନ ବଳରେ ୩୫ ଓଭରରେ ୭ ୱିକେଟ ହରାଇ ୨୪୦ ରନ କରିପାରିଥିଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୁଇସ ୪୩, ପୁରଣ ୩୦, ହେଟମୋର ୨୫ରନ ଏବଂ ହୋପ ୨୪ ରନ ସ୍କୋର କରିପାରିଥିଲେ ।
King for a reason ??#TeamIndia take the ODI series 2-0 ???? #WIvIND pic.twitter.com/Wr8tZJO5e1
— BCCI (@BCCI) August 14, 2019
ଭାରତୀୟ ବୋଲର୍ ଖଲିଲ୍ ଅହମ୍ମଦ ଚମତ୍କାର ବୋଲିଂ କରି ୩ ୱିକେଟ ହାସଲ କରିପାରିଛନ୍ତି । ଅନ୍ୟ ବୋଲରମାନଙ୍କ ମଧ୍ୟରେ ମହମ୍ମଦ ସାମି ୨ଟି, ଚହଲ ଏବଂ ରବୀନ୍ଦ୍ର ଜାଦେଜା ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।
ଟିମ୍ ଇଣ୍ଡିଆ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡ଼ି ଏଣ୍ଡ ଏଲ ପଦ୍ଧତି ଦ୍ୱାରା ୩୫ ଓଭରରେ ୨୫୫ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ୩୨.୫ ଓଭରରେ ୪ଟି ୱିକେଟ ବିନିମୟ କରିଥିଲା । ଭାରତୀୟ ଦଳ ସମୁଦାୟ ୨୫୫ ରନ ହାସଲ କରିଥିବା ବେଳେ ବିରାଟ କୋହଲୀ ୯୯ଟି ବଲରେ ଆକର୍ଷଣୀୟ ୧୧୪ ରନ କରିଥିଲେ । ଏହି ମ୍ୟାଚ ବିଜୟର ଅନ୍ୟତମ କର୍ଣ୍ଣଧାର ଶ୍ରେୟସ୍ ଆୟାର୍ ୪୧ ବଲରେ ଧୁଆଁଧାର ୬୫ ରନ ସ୍କୋର କରିଥିଲେ । ଶ୍ରେୟସ୍ ୫ଟି ବିଶାଳ ଛକା ଓ ୩ଟି ଚୌକା ମାରି ଇଣ୍ଡିଜ୍ ବୋଲରଙ୍କ ମନରେ ଶିହରଣ ଖେଳାଇ ଦେଇଥିଲେ । ଶିଖର ଧାୱନଙ୍କ ବ୍ୟାଟରୁ ୩୬ ରନ ସ୍କୋର ହୋଇଥିବା ବେଳେ କେଦାର ଯାଦବ ୧୨ଟି ବଲରେ ଗୋଟିଏ ଛକା ସହିତ ୧୯ ରନ ସ୍କୋର କରିଥିଲେ ।
ମ୍ୟାଚ ଶେଷରେ ବିରାଟ କୋହଲୀଙ୍କୁ ଉଭୟ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଏବଂ ‘ପ୍ଲେୟାର୍ ଅଫ ଦି ସିରିଜ’ ଘୋଷଣା କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, କ୍ରିସ ଗେଲ୍ ଆଜି ତାଙ୍କ ଜୀବନର ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ୩୦୦ଟି ଦିନିକିଆ ମ୍ୟାଚରେ ୨୫ଟି ଶତକ ଓ ୫୩ଟି ଅର୍ଦ୍ଧଶତକ ହାସଲ କରିପାରିଛନ୍ତି । ସର୍ବାଧିକ ୨୧୫ ରନ କରିଛନ୍ତି ଦିନିକିଆ ମ୍ୟାଚରେ ଗେଲ୍ ।
Comments are closed.