Latest Odisha News

BREAKING NEWS

ଅତିକ ବ୍ରଦର୍ସକୁ ହତ୍ୟା: ଯୋଗୀଙ୍କୁ ନିୟମର ପାଠ ପଢ଼ାଇଲେ ପାଓ୍ୱାର

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପୋଲିସ୍ ହେପାଜତରେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ହତ୍ୟାର ଶିକାର ହେବା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ଆଉ ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଭଳି ସରକାର ପରିଚାଳିତ ହେବା ଦରକାର, ସାମ୍ବିଧାନିକ ପଦରେ ଥାଇ ଏହାକୁ ନମାନିବା ଠିକ ନୁହେଁ କହି ପରୋକ୍ଷରେ ଦେଶର ଏହି ବରିଷ୍ଠ ନେତା ସମାଲୋଚନା କରିଛନ୍ତି।

ମୁମ୍ବାଇରେ ଏକ ଇଫତାର ପାର୍ଟିରେ ଯୋଗ ଦେଇ ଶରଦ ପାୱାର କହିଛନ୍ତି, “ଏ ଦେଶ ସମ୍ବିଧାନ ଏବଂ ଆଇନ ଅନୁଯାୟୀ ପରିଚାଳିତ ହେଉଛି। ଯଦି ଶାସକ ଦଳ ସମ୍ବିଧାନ ଏବଂ ଆଇନକୁ ଅଣଦେଖା କରି ଏପରି ପଦକ୍ଷେପ ନେବାକୁ ପ୍ରୟାସ କରନ୍ତି, ତେବେ ଆମେ ଭୁଲ ବାଟରେ ଯିବା।” .. ଯଦି ଆଇନକୁ ନିଜ ହାତକୁ ନେଇ, ଆଇନ ଏବଂ ସମ୍ବିଧାନକୁ ଭୁଲି ଏପରି ପଦକ୍ଷେପ ନେବାକୁ କୁହାଯାଏ, ତେବେ ଏହା ଭୁଲ। ଯଦି ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଏ, ତେବେ ଏହା ଠିକ୍ ନୁହେଁ। ତେବେ ଏନସିପି ସୁପ୍ରିମୋ ଅତିକ କିମ୍ବା ଯୋଗୀଙ୍କ ନାମ ନନେଇ ପରୋକ୍ଷରେ ଏସବୁ କହିଛନ୍ତି।

କହିରଖୁଛୁ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ପୋଲିସ ଭ୍ୟାନରେ ଆସୁଥିବା ବେଳେ ଖସିପଳାଇବାକୁ ପ୍ରୟାସ କରିବାରୁ ଏନକାଉଣ୍ଟରର ଶିକାର ହୋଇଥିଲା। ପରେ ପ୍ରାଣ ହରାଇଥିଲା ୟୁପିର ଏହି ଅନ୍ୟତମ ଅପରାଧୀୀ। ସେତେବେଳେ ମଧ୍ୟ ଏହା ରାଜ୍ୟ ସରକାରଙ୍କ ଇଙ୍ଗିତରେ ଏନକାଉଣ୍ଟର କରାଯାଇଥିବା ଅଭିଯୋଗ ରହିଛି।

ଶନିବାର ପ୍ରୟାଗରାଜରେ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ପୋଲିସ ସମ୍ମୁଖରେ ପଏଣ୍ଟ ବ୍ଲାଙ୍କରେ ଗୁଳି କରାଯାଇଥିଲା ଏବଂ ଗୁଳି ଚଳାଇବା ପରେ ଉଭୟ ଦୁର୍ବୃତ୍ତ ଘଟଣାସ୍ଥଳରେ ଏକ ପ୍ରକାର ଆତ୍ମସମର୍ପଣ କରିଥିଲେ ବୋଲି କୁହାଯାଉଛି।

ଏହି ଘଟଣାର ଠିକ ଦିନକ ପୂର୍ବରୁ ଏକ ଏନକାଉଣ୍ଟରରେ ଅତିକ ଅହମ୍ମଦର ପୁଅ ଅସଦ ମଧ୍ୟ ଏନକାଉଣ୍ଟରରେ ନିପାତ ହୋଇଥିଲା। ଅତିକ୍ ଏବଂ ଅସରଫଙ୍କୁ ଗୁଳି ଚଳାଇଥିବା ତିନିଜଣ ସୁଟର ଅରୁଣ ମୌର୍ଯ୍ୟ, ସନ୍ନି ସିଂ ଏବଂ ଲଭଲେଶ ତିୱାରୀକୁ ରବିବାର ଦିନ 14 ଦିନ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି କୋର୍ଟ।

ଜାତୀୟ ମାନବ ଅଧିକାର ଆୟୋଗ (NHRC) ମଙ୍ଗଳବାର ଅତିକ୍ ଅହମ୍ମଦ ଏବଂ ତା ଭାଇ ଅସରଫକୁ “ଜାମିନ ହତ୍ୟା” ବିଷୟରେ ଅବଗତ କରାଇ ଉତ୍ତରପ୍ରଦେଶ ପୋଲିସ୍ ମହାନିର୍ଦ୍ଦେଶକ ତଥା ପୋଲିସ କମିଶନର ପ୍ରୟାଗରାଜଙ୍କୁ ନୋଟିସ୍ ଜାରି କରିଛି। ଚାରି ସପ୍ତାହ ମଧ୍ୟରେ ହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ପୋଲିସକୁ କୁହାଯାଇଛି।

Comments are closed.