Latest Odisha News

BREAKING NEWS

କଂଗ୍ରେସକୁ ବିଜେପି ନେତା ସମ୍ବିତ ପାତ୍ରଙ୍କ କଟାକ୍ଷ ! କହିଲେ; ସୁରଟ କୋର୍ଟଙ୍କ ରାୟ ଗାନ୍ଧି ପରିବାର ମୁହଁରେ ଚାପୁଡ଼ା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାନହାନୀ ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁରଟ କୋର୍ଟଙ୍କ ନିଷ୍ପତ୍ତି ଯୋଗୁଁ ସମଗ୍ର ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

ସମ୍ବିତ ପାତ୍ର କହିଛନ୍ତି, ଯେଉଁ ପଛୁଆ ବର୍ଗଙ୍କ ପ୍ରତି ରାହୁଲ ଗାନ୍ଧି ଆପତ୍ତିଜନକ ଶବ୍ଦ ବ୍ୟବହାର କରି, ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ଏସବୁ କରି ଗାନ୍ଧି ପରିବାର ଖସିଯିବେ ବୋଲି ଭାବିଥିଲେ, କିନ୍ତୁ ତାହା ହେଲା ନାହିଁ। କୋର୍ଟଙ୍କ ଏହି ରାୟ ଗାନ୍ଧି ପରିବାରର ମୁହଁରେ ଏକ ଚାପୁଡ଼ା । ଆଜି ସୁରଟ କୋର୍ଟ ପ୍ରମାଣ କରିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ସମଗ୍ର ଦେଶରେ ବିଶେଷ କରି ପଛୁଆ ବର୍ଗରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ରାହୁଲ ଗାନ୍ଧି ଭାବିଥିଲେ ଖସିଯିବେ କିନ୍ତୁ ଏହା ହେଲାନାହିଁ। ରାହୁଲ ଗାନ୍ଧି ବର୍ତ୍ତମାନ ସମୟ ପାଇଁ ସଂସଦରୁ ଅଯୋଗ୍ୟ ରହିବେ। ଯେତେବେଳେ ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ରାଏଲ କୋର୍ଟ ଏହାର ରାୟ ଦେଇଥିଲେ, ସେତେବେଳେ ଗାନ୍ଧି ପରିବାର ଏବଂ ସେମାନଙ୍କୁ ଅନୁସରଣ କରୁଥିବା ଲୋକମାନେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ଯେପରି କୋର୍ଟର ନିଷ୍ପତ୍ତିରେ କିଛି ଭୁଲ ଅଛି ।

ସୂଚନାଯୋଗ୍ୟ, ‘ମୋଦି ସରନେମ୍‌’ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ । ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ କୋର୍ଟରେ ଅପିଲ୍ କରିଥିଲେ । ହେଲେ ସୁରଟ ସେସନ କୋର୍ଟ ରାହୁଲଙ୍କ ଆବେଦନକୁ ଗୁରୁବାର ଖାରଜ କରି ଦେଇଛନ୍ତି । ତେଣୁ ରାହୁଲଙ୍କ ୨ ବର୍ଷ ଜେଲ ଦଣ୍ଡ ସଜା କାଏମ ରହିବ । ସେପଟେ ସୁରଟ କୋର୍ଟଙ୍କ ରାୟ ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ଏହା ବିରୋଧରେ ସେମାନେ ହାଇକୋର୍ଟକୁ ଯିବେ ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ ‘ସବୁ ମୋଦୀ ସାଙ୍ଗିଆଧାରୀ ଲୋକ ଚୋର’ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ଲଳିତ ମୋଦି ଏବଂ ନିରବ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୁଳନା କରିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଗୁଜରାଟର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ଅପରାଧିକ ମାନହାନି ମାମଲା ଦାୟର କରିଥିଲେ । ଏହି ମାମଲାରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।‌ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦିନକ ପରେ ରାହୁଲ ଗାନ୍ଧିଙ୍କ ୱାୟାନାଡର ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ଦଣ୍ଡାଦେଶ ବିରୋଧରେ ଆବେଦନ କରିବାକୁ ଚେଷ୍ଟା ଏକ ମାସ ସମୟ ଦିଆଯାଇଥିଲା ଏବଂ ଜାମିନ ବି ମିଳିଥିଲା। କିନ୍ତୁ ସେପଟେ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା ଏବଂ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡ଼ିଥିଲା ।

Comments are closed.