ନୂଆଦିଲ୍ଲୀ: ଦେଶର ୧୦୦ ଜିଲ୍ଲାରେ ଅତି କମ୍ରେ ଗୋଟିଏ କରି ଫୁଡ ଷ୍ଟ୍ରୀଟ ଖୋଲି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଯେଉଁଥିରେ ଓଡ଼ିଶାର ୪ଟି ଫୁଡ୍ ଷ୍ଟ୍ରୀଟ୍ ରହିଛି। ଏହାକୁ ଆଗୁଆ ଯୋଜନା ବା ପାଇଲଟ ପ୍ରୋଗ୍ରାମ ଭିତ୍ତିରେ କାର୍ଯ୍ୟକାରୀ କରାଯିବ । ସ୍ୱାସ୍ଥ୍ୟକର ବ୍ୟବସ୍ଥା ଓ ନିରାପଦ ଖାଦ୍ୟ ଯୋଗାଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଫୁଡ ଷ୍ଟ୍ରୀଟ ଯୋଜନା କେନ୍ଦ୍ର ସହରାଞ୍ଚଳ ବିକାଶ ଏବଂ ଆବାସ ମନ୍ତ୍ରଣାଳୟ ସହଯୋଗରେ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଉଭୟ ଖାଦ୍ୟ ବ୍ୟବସାୟୀ ଏବଂ ଉପଭୋକ୍ତା ଉପକୃତ ହେବେ।
ଏଥିରେ ସମଗ୍ର ଖାଦ୍ୟ ବ୍ୟବସାୟୀ ସମୁଦାୟ ଓ ସାଧାରଣ ଜନତା ମଧ୍ୟ ବିଭିନ୍ନ ଭାବେ ସାମିଲ ହୋଇପାରିବେ । ଖାଦ୍ୟ ଯୋଗାଣ ନିରାପଦ ହେଲେ ବିଭିନ୍ନ ପ୍ରକାର ଖାଦ୍ୟବାହିତ ରୋଗକୁ ନିୟନ୍ତ୍ରଣ କରି ହେବ ଏବଂ ଲୋକେ ସୁସ୍ଥ ରହିବେ । ଏହା ଦ୍ୱାରା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ।
ବିଭିନ୍ନ ରାଜ୍ୟ ସରକାରଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଓ ସହରାଞ୍ଚଳ ଏବଂ ଆବାସ ମନ୍ତ୍ରଣାଳୟ ସଚିବ ମନୋଜ ଜୋଶୀ ଏହି ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ଉଭୟ ସେମାନଙ୍କ ପତ୍ରରେ ଲେଖିଛନ୍ତି ଯେ ଫୁଡ ଷ୍ଟ୍ରୀଟ ଯୋଜନା କାର୍ଯ୍ୟକାରୀ ହେଲେ ଲୋକେ ସହଜରେ ନିରାପଦ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପାଇବେ । ଏହା ମଧ୍ୟ ନିରାପଦ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବ ଏବଂ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ପାଇବା ଦ୍ୱାରା ସୁସ୍ଥ ରହିବେ। ନିରାପଦ ଖାଦ୍ୟାଭ୍ୟାସ ନୀତିରେ ‘ଠିକ୍ ଖାଅ’(ଇଟ୍ ରାଇଟ୍ କ୍ୟାମ୍ପେନ୍) ଅଭିଯାନକୁ ମଧ୍ୟ ସାମିଲ କରାଯିବ। ଏହା ଫଳରେ ସ୍ଥାନୀୟ ଖାଦ୍ୟ ବ୍ୟବସାୟର ବିଶ୍ୱସନୀୟତା ଓ ଆଦର ବଢିବ । ଏହା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେବା ସହିତ ପର୍ଯ୍ୟଟନ ଓ ଅର୍ଥନୀତିକୁ ମଧ୍ୟ ଆଗକୁ ବଢାଇବ । ଏହା ଦ୍ୱାରା ମଧ୍ୟ ଏକ ସ୍ୱଚ୍ଛ, ପରିସ୍କାର ଓ ସବୁଜ ପରିବେଶ ସୃଷ୍ଟି ହେବ।
ପାରମ୍ପରିକ ଭାବେ ଷ୍ଟ୍ରୀଟ୍ ଫୁଡ ଭାରତୀୟ ସମାଜର ଏକ ଅଂଶ ବିଶେଷ ପାଲଟି ଯାଇଛି । ସମୟ ସୁବିଧା ପାଇଲେ ଲୋକେ ବାହାରକୁ ଯାଇ ରାସ୍ତାକଡରେ ମିଳୁଥିବା ବିଭିନ୍ନ ଖାଦ୍ୟର ମଜା ଉଠାଇଥାନ୍ତି । ଷ୍ଟ୍ରୀଟ ଫୁଡ ଦୈନନ୍ଦିନ ଖାଦ୍ୟ କ୍ରେତାଙ୍କୁ କେବଳ ସୁଲଭ ମୂଲ୍ୟରେ ଯୋଗାଇ ନ ଥାଏ । ଏହା ମଧ୍ୟ ସିଧାସଳଖ ଲୋକଙ୍କୁ ରୋଜଗାରର ସୁବିଧା ସୁଯୋଗ ଦେଇଥାଏ । ଏହା ମଧ୍ୟ ପର୍ଯ୍ୟଟନ ଶିଳ୍ପକୁ ସହାୟତା ଯୋଗାଇଥାଏ । ଏହା ସତ୍ତ୍ୱେ ରାସ୍ତାକଡରେ ମିଳୁଥିବା ଖାଦ୍ୟର ନିରାପତ୍ତା, ପରିଚ୍ଛନ୍ନତା, ମାନ ଓ ସ୍ୱାସ୍ଥ୍ୟଗତ ଦିଗ ଏବେ ମଧ୍ୟ ଉଦ୍ବେଗର ବିଷୟ ହୋଇରହିଛି।
ସହରର କାୟା ଦ୍ରୁତ ଗତିରେ ବଢୁଥିବାବେଳେ ଷ୍ଟ୍ରୀଟଫୁଡ ବେପାରୀଙ୍କ ପସରା ସଂଖ୍ୟା ବଢୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଖାଦ୍ୟ ବିକ୍ରେତାଙ୍କ ବିପଣୀ ଧାଡି ଲାଗୁଛି । ଏହା ଉପରେ ନିୟନ୍ତ୍ରଣ ନାହିଁ କିମ୍ବା ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟର ମାନ ତଥା ସ୍ୱାସ୍ଥ୍ୟଗତ ଦିଗ ପ୍ରତି ପ୍ରାୟ ନଜର ରହୁନାହିଁ । ଫଳରେ ଷ୍ଟ୍ରୀଟ ଫୁଡ୍ ରୋଗ ସଂକ୍ରମଣର ଏକ ଉତ୍ସ ପାଲଟିବା ସହିତ ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଛି । ଏଠାରେ ନିରାପଦ ଖାଦ୍ୟାଭାସ ନୀତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଷ୍ଟ୍ରୀଟ ଫୁଡକୁ ଅଧିକ ନିରାପଦ ଓ ସ୍ୱାସ୍ଥ୍ୟପଦ କରିବାକୁ ପ୍ରୟାସ କରାଯାଉଛି ।
ଷ୍ଟ୍ରୀଟ ଫୁଡ ସଂକ୍ରାନ୍ତ ଏହି ଅଭିନବ ପ୍ରୟାସ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ କାର୍ଯ୍ୟକାରୀ ହେବ ।ଉଭୟ ସ୍ୱାସ୍ଥ୍ୟ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହାକୁ ମିଳିତଭାବେ କାର୍ଯ୍ୟକାରୀ କରିବେ । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତି ଫୁଡ୍ ଷ୍ଟ୍ରୀଟ ପାଇଁ ଏକ କୋଟି ଟଙ୍କା ଲେଖାଏଁ ଯୋଗାଇ ଦେବେ । ଦେଶର ୧୦୦ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । (ଏହି ଜିଲ୍ଲା ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।) ରାଜ୍ୟମାନଙ୍କୁ ଯେଉଁ ଏକ କୋଟି ଟଙ୍କାର ସହାୟତା ପ୍ରତ୍ୟେକ ଫୁଡ ଷ୍ଟ୍ରୀଟ ପାଇଁ ମିଳିବ ତାହା ଜାତୀୟ ସ୍ୱାସ୍ଥ୍ୟମିଶନ କାର୍ଯ୍ୟକ୍ରମ ଅଧୀନରେ ୬୦:୪୦ କିମ୍ବା ୯୦:୧୦ ଅନୁପାତରେ ଯୋଗାଇ ଦିଆଯିବ । ଏଥିରେ କିଛି ସର୍ତ୍ତ ରହିବ । ଫୁଡ ଷ୍ଟ୍ରୀଟରେ ବିକ୍ରି ହେବାକୁ ଥିବା ଖାଦ୍ୟ ପଦାର୍ଥର ମାନ ଏଫ୍ଏସ୍ଏସ୍ଏ ଆଇର ନିର୍ଦ୍ଦେଶାବଳୀ ଅନୁସାରେ ହେବ ।
ପୌର ନିଗମ, ବିକାଶ ପ୍ରାଧିକରଣ/ଜିଲ୍ଲାପାଳ ରାଜ୍ୟସ୍ତରରେ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଆର୍ଥିକ ସମ୍ବଳ ଓ ଭୌତିକ ଭିତ୍ତିଭୂମିର କିପରି ଉପଯୁକ୍ତ ସମ୍ମିଶ୍ରଣ ହୋଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ତାହା ସେମାନେ ସୁନିଶ୍ଚିତ କରିବେ । ଏହାଛଡା ଖାଦ୍ୟ ପରିବେଷଣକାରୀଙ୍କୁ ତାଲିମ, ସ୍ୱାଧୀନ ତୃତୀୟ ପକ୍ଷ ଅଡିଟ୍, ଇଟ୍ ରାଇଟ୍ ପ୍ରମାଣପତ୍ର ପ୍ରଦାନ, ଷ୍ଟ୍ରୀଟ ଫୁଡ ହବ ସ୍ଥାପନ ଓ ଏହାର ଆଧୁନିକୀକରଣ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ ପ୍ରକ୍ରିୟାର ପରିପାଳନ କାମ ମଧ୍ୟ ପୌର ନଗମ/ପ୍ରାଧିକରଣ ଓ ଜିଲ୍ଲାପାଳଙ୍କ ସ୍ତରରେ କରାଯିବ । ଏଥିରେ ଖାଦ୍ୟ ନିରାପତ୍ତା ରକ୍ଷା, ଷ୍ଟ୍ରୀଟଫୁଡ ଭେଣ୍ଡରଙ୍କୁ ସମର୍ଥନ ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନ୍ତ୍ୟୋଦୟ ଯୋଜନା ଓ ଅନ୍ୟାନ୍ୟ ଯୋଜନା ଅନୁସାରେ ମଧ୍ୟ ପୂର୍ବବତ୍ ଚାଲିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରି ଷ୍ଟ୍ରୀଟ ଭେଣ୍ଡରମାନଙ୍କୁ ଖାଦ୍ୟର ନିରାପତ୍ତା, ସ୍ୱାସ୍ଥ୍ୟକର ବ୍ୟବସ୍ଥାର ପରିପାଳନ ଓ ବର୍ଜ୍ୟ ସାମଗ୍ରୀର ନିରାପଦ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଓ ତାଲିମ ପ୍ରଦାନ କରିବେ ।
Comments are closed.